• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ: କଙ୍ଗନାଙ୍କ ଟାର୍ଗେଟରେ ଜାତିର ପିତା ମହାତ୍ମାଗାନ୍ଧୀ । କଟୁ ମନ୍ତବ୍ୟ ଦେଇ ଦେଇ ଥକୁନାହାନ୍ତି ଅଭିନେତ୍ରୀ । ଗୋଟିଏ ପରେ ଗୋଟିଏ ବିବାଦୀୟ ମନ୍ତବ୍ୟ ଦେଇ ଚାଲିଛନ୍ତି କଣ୍ଟ୍ରୋଭର୍ସି କ୍ୱିନ୍ । ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ’ଭିକ୍ଷାରେ ମିଳିଛି ସ୍ୱାଧୀନତା ’ ମନ୍ତବ୍ୟକୁ ନେଇ ବିବାଦ ଥମିନଥିବା ବେଳେ ପୁଣି ଆଉ ଏକ ବିବାଦୀୟ ପୋଷ୍ଟ ସେୟାର କରିଛନ୍ତି । ଏଥର ସେ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମହାତ୍ମା ଗାନ୍ଧୀଙ୍କୁ ଭୋକିଲା ଏବଂ ଚତୁର ବୋଲି ଦର୍ଶାଇଛନ୍ତି ।

ଏପରିକି ଭଗତ ସିଂଙ୍କୁ ଫାଶୀ ହୋଇଯାଉ ବୋଲି ମହାତ୍ମା ଗାନ୍ଧୀ ଚାହୁଁଥିବା ସେ କହିଛନ୍ତି । କଙ୍ଗନା ଇନଷ୍ଟା ଷ୍ଟୋରିରେ ଏକ ପୁରୁଣା ଖବର କାଗଜର ଏକ ଆର୍ଟିକିଲ୍ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ଆପଣ ଗାନ୍ଧୀଙ୍କର କିମ୍ବା ନେତାଜୀଙ୍କ ସମର୍ଥକ ହୋଇପାରିବେ । ଉଭୟଙ୍କୁ ସମର୍ଥନ କରିବା ସମ୍ଭବ ନୁହେଁ । ତେଣୁ କାହାକୁ ବାଛିବେ ନିଜେ ସ୍ଥିର କରନ୍ତୁ ।

ଚାପୁଡ଼ା ଖାଇ ଦେଶକୁ ସ୍ୱାଧୀନତା ମିଳିନାହିଁ

ଗାଲରେ ଚାପୁଡ଼ା ଖାଇ ଦେଶକୁ ସ୍ୱାଧୀନତା ମିଳିନି । ବାପୁଜୀଙ୍କୁ ଏଠାରେ ସିଧାସଳଖ ଭାବେ ସମାଲୋଚନା କରିଛନ୍ତି କଙ୍ଗନା । କାରଣ ଅହିଂସାକୁ ବ୍ରତ କରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ଲୋକଙ୍କୁ ପ୍ରେରିତ କରୁଥିଲେ ଜାତିର ପିତା । ଗୋଟିଏ ଗାଲରେ ଚାପୁଡ଼ା ମାରିଲେ, ଅନ୍ୟ ଗାଲଟି ଦେଖାଇ ଦେବାକୁ କହୁଥିଲେ । ଅହିଂସାକୁ ମୂଳମନ୍ତ୍ର କରି ଦେଶର ସ୍ୱାଧୀନତା ଫେରାଇ ଆଣିବାକୁ ଚାହୁଁଥିଲେ । ଆଉ ଗାନ୍ଧିଜୀଙ୍କ ସେହି ଅହିଂସା ନୀତିକୁ ନାପସନ୍ଦ କରି ଏବେ ଏକ ପୋଷ୍ଟ ସେୟାର କରିଛନ୍ତି କଙ୍ଗନା ।

ଏହାସହ ସେ କହିଛନ୍ତି, ଗାନ୍ଧୀଜୀ କେବଳ କ୍ଷମତା ପାଇଁ କ୍ଷୁଧିତ ଓ ଚତୁର ଥିଲେ । ତାଙ୍କ ପାଖରେ ନା ଥିଲା ସାହସ ନା ତାଙ୍କ ରକ୍ତ ଗରମ୍ ଥିଲା । ହେଲେ ଲୋକଙ୍କୁ କିନ୍ତୁ ମହତ ଶିକ୍ଷା ଦେଉଥିଲେ । କେହି ଆପଣଙ୍କୁ ଗୋଟିଏ ଗାଲରେ ଚାପୁଡ଼ା ମାରନ୍ତି, ତେବେ ଆପଣଙ୍କର ଅନ୍ୟ ଗାଲକୁ ଦେଖାଇବାକୁ ପରାମର୍ଶ ଦେଉଥିଲେ । ଆଉ ଏହି ପ୍ରକାରେ ସ୍ୱାଧୀନତା ମିଳିବ ବୋଲି କହୁଥିଲେ । ହେଲେ ଏପରି କେବେ ସ୍ୱାଧୀନତା ମିଳେ ନାହିଁ, ମିଳେ କେବଳ ଭିକ । ତେଣୁ ନିଜର ହିରୋକୁ ଚତୁରତାର ସହ ବାଛନ୍ତୁ ବୋଲି କଙ୍ଗନା କହିଛନ୍ତି ।

kangna କଙ୍ଗନାଙ୍କ ବିବାଦୀୟ ବୟାନ୍

ମହାତ୍ମା ଗାନ୍ଧୀ ଭଗତ ସିଂଙ୍କୁ ସମର୍ଥନ କରିନଥିଲେ

ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା ଭଗତ୍ ସିଂ ଓ ନେତାଜୀଙ୍କୁ କେବେ ସମର୍ଥନ କରିନଥିଲେ ଗାନ୍ଧିଜୀ ବୋଲି କଙ୍ଗନା କହିଛନ୍ତି । ଆଉ ଏହାର ଅନେକ ପ୍ରମାଣ ରହିଛି । ଭଗତ୍ ସିଂଙ୍କୁ ଫାଶୀ ଦିଆଯାଉ ବୋଲି ଚାହୁଁଥିଲେ ଗାନ୍ଧିଜୀ । ତେଣୁ ତୁମେ କାହାକୁ ସମର୍ଥନ କରୁଛ ତାହା ବାଛିବାକୁ ପଡିବ । କାରଣ ସେହି ଲୋକଙ୍କୁ ସ୍ମୃତିରେ ରଖିବା ଏବଂ ସେମାନଙ୍କର ଜନ୍ମ ବାର୍ଷିକୀରେ ଶୁଭେଚ୍ଛା ଜଣାଇବା ଯଥେଷ୍ଟ ନୁହେଁ । ସତ କହିବାକୁ ଗଲେ ଏହା କେବଳ ମୂର୍ଖତା ନୁହେଁ ବରଂ ଦାୟିତ୍ୱହୀନତା କହିଲେ ଚଳେ । ଜନତା ନିଜ ଦେଶର ଇତିହାସ ଏବଂ ସେମାନଙ୍କର ସ୍ୱାଧୀନତା ସଂଗ୍ରାମର ନାୟକଙ୍କ ସମ୍ପର୍କରେ ଜାଣିବା ଉଚିତ୍।

ସୂଚନାଯୋଗ୍ୟ କଙ୍ଗନା ରାଣାୱତ୍ ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲ୍ କାର୍ଯ୍ୟକ୍ରମରେ କହିଥିଲେ, ୧୯୪୭ ମସିହାରେ ସ୍ୱାଧୀନତା ନୁହେଁ ଭିକ ମିଳିଥିଲା । ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ପରେ ବାସ୍ତବରେ ଦେଶକୁ ସ୍ୱାଧୀନତା ମିଳିଥିଲା । ତାଙ୍କର ଏହି ବୟାନ୍ ପରେ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଛି । କଙ୍ଗନାଙ୍କ ଏହି ବିବୃତି ଉପରେ ଲୋକମାନେ ନିଜର ଆପତ୍ତି ଜଣାଇଥିଲେ ।

ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ । ବିବାଦୀୟ ବୟାନ୍ ପାଇଁ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା । ହେଲେ ତଥାପି ସେ ଚୁପ୍‌ ବସି ନାହାନ୍ତି । ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଉଛନ୍ତି ।