• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୁସ୍ଥ ହେଲେ ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି । ଲଦାଖରେ ବାଇକ୍ ରାଇଡିଂରେ ଯାଇ ଅସୁସ୍ଥ ହୋଇପଡ଼ିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପ୍ରାୟ ସପ୍ତାହେ ପରେ ଆଜି ବାବୁସାନ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଡିସଚାର୍ଜ ବେଳେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କିଛିଦିନ ତଳେ ଉଭୟଙ୍କ ଦାଂପତ୍ୟ ଜୀବନରେ ଯେଉଁ କଳି ସୃଷ୍ଟି ହୋଇଥିଲା, ତା ପରେ ପ୍ରଥମ ଥର ଲାଗି ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେଣୁ ଏହି ଷ୍ଟାର ଫ୍ୟାମିଲିରେ ଉଠିଥିବା ଝଡ଼ ଧିରେଧିରେ ପ୍ରଶମିତ ହେଲା ଭଳି ମନେ ହେଉଛି ।

ହ୍ୱିଲ୍‌ ଚେୟାର୍‌ରେ ବାବୁସାନ, ସାଥିରେ ଥିଲେ ପତ୍ନୀ ତୃପ୍ତି । ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ବେଳେ ଉଭୟଙ୍କୁ ଦେଖିବାକୁ ଲାଗିଥିଲା ପ୍ରବଳ ଗହଳି । ଆଉ ହସ୍ପିଟାଲରୁ ବାହାରିବା ପରେ ବାବୁସାନ କହିଲେ ‘ମୁଁ ପୂରା ଫିଟ୍ ଅଛି, କିଛି ଅସୁବିଧା ନାହିଁ’ । ୮ ଦିନ ତଳେ ଲଦାଖରୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଫେରିଥିଲେ ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ।

ଫିଲ୍ମ ପ୍ରମୋସନ ପାଇଁ ସେଠାକୁ ଯାଇ ଏକ ଗ୍ରୁପ୍‌ରେ ବାଇକ୍ ରାଇଡିଂ କରିଥିଲେ ବାବୁସାନ । ସୁଉଚ୍ଚ ହିମାଳୟ ପାର୍ବତ୍ୟାଞ୍ଚଳରେ ପ୍ରାୟ ୨ଶହ କିଲୋମିଟର ବାଇକ୍ ଚଳାଇବାରୁ ଅକ୍ସିଜେନ୍ ଅଭାବ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ସେଠାରେ ତାଙ୍କୁ ଭାରତୀୟ ସେନା ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ୱର ଅଣାଯାଇଥିଲା ବୋଲି କହିଛନ୍ତି ବାବୁସାନଙ୍କ ପାରିବାରିକ ବନ୍ଧୁ ତଥା ଅଭିନେତା ରବି ମିଶ୍ର ।

 

ବାବୁସାନ ଓ ତୃପ୍ତିଙ୍କ ଦାଂପତ୍ୟ ଜୀବନରେ କିଛି ଦିନ ତଳେ ଉଠିଥିଲା ପ୍ରକୃତି ଝଡ଼ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ସେବେଠାରୁ ବାବୁସାନ ଓ ପତ୍ନୀ ତୃପ୍ତିଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । ହେଲେ ଏବେ ଏହି ଝଡ଼ ଧିରେ ଧିରେ ପ୍ରଶମିତ ହେଉଥିବା ଭଳି ମନେ ହେଉଛି । କାରଣ ତୃପ୍ତି ନିଜେ ହସ୍ପିଟାଲ ଆସି ବାବୁସାନ ଡିସ୍‌ଚାର୍ଜ ହେବା ପରେ ସାଥିରେ ଧରି ଘରକୁ ଫେରିଛନ୍ତି । ତୃପ୍ତି ବାବୁସାନଙ୍କୁ ଧରି ନିଜ ଆପାର୍ଟମେଣ୍ଟ ନୁହେଁ, ବରଂ ଶାଶୁ-ଶ୍ୱଶୁର ଅର୍ଥାତ୍ ଅପରାଜିତା-ଉତ୍ତମ ମହାନ୍ତିଙ୍କ ଘରକୁ ଯାଇଥିବା ସୂଚନା ମିଳିଛି ।

(ରିପୋର୍ଟର- ଚନ୍ଦନ ପାଇକରାୟ)