/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686934258.jpg)
Conman Sukesh Chandra Sekhar
ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଆଉ ଏକ ଚିଠି ଲେଖି ସମସ୍ତଙ୍କୁ ଚକିତ କରିଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସୁକେଶ ଆମ୍ ଆଦମୀ ପାର୍ଟି ବିଷୟରେ ନୂଆ ନୂଆ ଖୁଲାସା କରୁଥିଲା । କିନ୍ତୁ ଏଥର ସେ ଲେଖିଥିବା ଚିଠିଟି ଭାରତୀୟ ରେଲୱେ ନାଁରେ ରହିଛି । ବାସ୍ତବରେ, ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ସୁକେଶ, ନିକଟରେ ଓଡ଼ିଶାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପୀଡିତ ତଥା ମୃତକଙ୍କ ପରିବାରକୁ ରିଲିଫ ଯୋଗାଇବା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଚାହିଁଛନ୍ତି ।
ଅନେକ ଦିନ ହେବ ମୋ ମନ ଭାରି ଭାରି ଲାଗୁଛି
ନିଜ ଓକିଲ ମାଧ୍ୟମରେ ପଠାଇଥିବା ଚିଠିରେ ସୁକେଶ କହିଛି ଯେ ଏହା ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା, ଯାହା ମୋତେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ଗତ କିଛି ଦିନ ହେବ ମୋର ମନ ଭଲ ନାହିଁ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଯାହାର ନିକଟ ତଥା ପ୍ରିୟ ବ୍ୟକ୍ତିମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।
ସରକାର ବହୁତ ଭଲ କାମ କରିଛନ୍ତି
ଚିଠିରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁର୍ଘଟଣା ପରେ ହୋଇଥିବା ରିଲିଫ କାର୍ଯ୍ୟ ପାଇଁ ସୁକେଶ ଖବୁ ପ୍ରଶଂସା କରିଛି । ଏହାସହ ସେ ଲେଖିଛି ଯେ ରିଲିଫ କାର୍ଯ୍ୟ ଦେଖି ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କରିଛି । ପ୍ରଧାନମନ୍ତ୍ରୀ ନିଜେ ଘଟଣାସ୍ଥଳକୁ ଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଯେଭଳି କହିଲେ, ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ଏହା ବ୍ୟତୀତ ରେଳ ମନ୍ତ୍ରୀ ନିଜେ ଘଟଣାସ୍ଥଳରେ ରହି, ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେ ଯେଭଳି ଦିନରାତି ଲୋକଙ୍କ ସହ ଛିଡା ହୋଇଥିଲେ, ତାହା ମଧ୍ୟ ଏକ ଗର୍ବର କଥା ।
ଶିକ୍ଷା ପାଇଁ ଖର୍ଚ୍ଚ ହଉ ଅର୍ଥ
ଆମ ସରକାର ଆରମ୍ଭରୁ ସମସ୍ତ ପ୍ରଭାବିତଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇ ଆସୁଛନ୍ତି । କିନ୍ତୁ ଜଣେ ଦାୟିତ୍ୱବାନ ତଥା ସୁନାଗରିକ ଭାବରେ ମୁଁ ୧୦ କୋଟି ଟଙ୍କା ରିଲିଫ ପାଣ୍ଠିରେ ସହଯୋଗ କରିବାକୁ ଚାହୁଁଛି । ଏହି ଟଙ୍କା ସେହି ପରିବାର ତଥା ପିଲାମାନଙ୍କ ପାଇଁ ସାହାଯ୍ୟ ହେବ, ଯେଉଁମାନେ ନିଜ ରୋଜଗାରିଆ ବାପା ଭାଇ କିମ୍ବା ଘରର କୌଣସି ବି ମୁରବୀଙ୍କୁ ହରାଇ ବେସାହାରା ହୋଇ ପଡ଼ିଛନ୍ତି । ଏହି ଟଙ୍କା ସେହି ପିଲାମାନଙ୍କର ଶିକ୍ଷା ପାଇଁ ଖର୍ଚ୍ଚ କରାଯାଉ, ଯାହାର ପିତାମାତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)