ଦକ୍ଷିଣ ଭାରତୀୟ ଅଭିନେତା ଅଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କ ଝଲକ ଟିକିଏ ପାଇବାକୁ ସବୁବେଳେ ଅନେଇ ବସିଥାନ୍ତି। ସେ ଯୁଆଡେ ବି ଯାଆନ୍ତି, ତାଙ୍କ ପ୍ରଶଂସକମାନେ ସେଠାରେ ପହଞ୍ଚି ଯାଆନ୍ତି। ଯେତେବେଳେ ସେ ତାଙ୍କ ଘନିଷ୍ଠ ବନ୍ଧୁ ତଥା YSRCP ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ପାଇଁ ପ୍ରଚାର କରିବାକୁ ନନ୍ଦିଆଲରେ ପହଞ୍ଚିଥିଲେ ସେତେବେଳେ ମଧ୍ୟ ଏମିତି କିଛି ଘଟିଥିଲା। ତାଙ୍କ ଝଲକ ଟିକିଏ ପାଇବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଯାଇଥିଲା। ଏହା ତାଙ୍କ ପାଇଁ ମହଙ୍ଗା ପଡିଛି। ରିପୋର୍ଟ ଅନୁଯାୟୀ, ଆଇପିସି ଧାରା ୧୮୮ ଅନୁଯାୟୀ ଅଭିନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ବହୁ ସଂଖ୍ୟାରେ ପ୍ରଶଂସକ ଏବଂ ସମର୍ଥକ ରବି ଚନ୍ଦ୍ରଙ୍କ ବାସଭବନକୁ ଅଲୁ ଅର୍ଜୁନଙ୍କୁ ଦେଖିବାକୁ ଆସିଥିଲେ ଏବଂ ଏହାଦ୍ୱାରା ବ୍ୟାପକ ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା।
Also Read
ରିପୋର୍ଟ ଅନୁଯାୟୀ, ଅଭିନେତା ଅଲୁ ଅର୍ଜୁନ ଏବଂ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଟିମ୍ ଦ୍ୱାରା କୌଣସି ଅନୁମତି ନିଆଯାଇ ନ ଥିଲା, ତେଣୁ ଆଇପିସିର ଧାରା ୧୮୮ ଅନୁଯାୟୀ ଅଲୁ ଅର୍ଜୁନ ଏବଂ ରବି ଚନ୍ଦ୍ର ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସାଉଥ୍ ଅଭିନେତା ଅଲୁ ଅର୍ଜୁନଙ୍କ ସହ ତାଙ୍କ ପତ୍ନୀ ସ୍ନେହା ମଧ୍ୟ ଥିଲେ। ଅଭିନେତା ତାଙ୍କ ବନ୍ଧୁଙ୍କ ପାଇଁ ପ୍ରଚାର କରୁଥିବା ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଥିଲେ। ଅଧିକ ଭିଡ ହୋଇଯିବା କାରଣରୁ ପରିସ୍ଥିତି ଅସମ୍ଭାଳ ହୋଇପଡିଲା, ଯେଉଁଥିପାଇଁ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଆଉ କୌଣସି ସୂଚନା ମିଳି ନାହିଁ।
ସୂଚନାଯୋଗ୍ୟ ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଧାରା ୧୪୪ ବଳବତ୍ତର ରହିଛି। ଏହି କାରଣରୁ ବିନା ଅନୁମତିରେ ଭିଡ଼ କରିବାକୁ ଅନୁମତି ଦିଆଯାଉ ନାହିଁ।