• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚର୍ଚ୍ଚାରେ ଅବତାର ପାର୍ଟ-ଟୁ... ଦ ୱେ ଅଫ୍ ଓ୍ୱାଟର୍ ଯିଏ ଦେଖୁଛି ତାଜୁବ ହେଉଛି । ମଣିଷର କଳ୍ପନା ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସମାହାରରେ ଯେ, ଏଭଳି ଆଚମ୍ବିତ କଲାଭଳି କରିସ୍ମା କରିହୁଏ, ତାହା ପ୍ରମାଣିତ କରିଛି ଚର୍ଚ୍ଚିତ ଫିଲ୍ମ ଅବତାରର ଦ୍ୱିତୀୟ ଭାଗ । ଦଶନ୍ଧିର ସବୁଠୁ ବଡ଼ ସିନେମା ବୋଲି କୁହାଯାଉଛି, ନିର୍ମାତା ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଏହି ଅକଳ୍ପନୀୟ ସାଇ-ଫାଇ ଫାଣ୍ଟାସିକୁ । ସାରା ବିଶ୍ୱରେ ମୋଟ ୫୨ ହଜାର ସିନେମା ହଲରେ ଗତ ଶୁକ୍ରବାର ରିଲିଜ ହୋଇଛି ଏହି ଥ୍ରୀ-ଡି ଫିଲ୍ମ । ଆଉ ତା ପରେ, ଏହାକୁ ଯିଏ ଦେଖୁଛନ୍ତି, ଚମତ୍କୃତ ହେଉଛନ୍ତି ବିମୋହିତ ହୋଇଯାଉଛନ୍ତି ।

ଅବତାର ଫ୍ରାଞ୍ଚାଇଜିର ପ୍ରଥମ ଭାଗ ୨୦୦୯ରେ ରିଲିଜ ହୋଇଥିବା ବେଳେ ସେଥିରେ ପୃଥିବୀବାସୀ ପ୍ରଥମେ ଦେଖିଥିଲେ ଅଦ୍ଭୁତ କାଳ୍ପନିକ ଦୁନିଆ ପାଣ୍ଡୋରାର ଗଛବୃଚ୍ଛ, ଜୀବଜନ୍ତୁ ଏବଂ କିଛି କିଛି ମଣିଷ ଭଳି ଦେଖାଯାଉଥିବା ଲମ୍ବା ଲମ୍ବା ନୀଳଜୀବ । ତେବେ ପ୍ରଥମ ଭାଗରେ ଶୂନ୍ୟରେ ଉଡ଼ୁଥିବା ପାହାଡ଼ ପର୍ବତ ଓ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟ ଭାଗ ତିଆରି ହୋଇଛି ପାଣ୍ଡୋରାର ଜଳଭାଗକୁ ନେଇ । ତିମି ସଦୃଶ ଏବଂ ଅନ୍ୟ ଜଳଜ ଜୀବଙ୍କୁ ମଧ୍ୟ ଏଥିରେ ତିଆରି କରାଯାଇଛି କମ୍ପ୍ୟୁଟର୍ ଗ୍ରାଫିକ୍ସ ଜରିଆରେ ।

ଅଧିକ ପଢ଼ନ୍ତୁ: ଅବତାର-୨ ଦେଖିବା ବେଳେ ଚାଲିଗଲା ଜୀବନ

୨୩ କୋଟି ୭୦ ଲକ୍ଷ ଡଲାର୍ ଖର୍ଚ୍ଚରେ ତିଆରି ହୋଇଥିବା ଅବତାରର ପ୍ରଥମ ଭାଗ ଭାଙ୍ଗିଥିଲା ଅନେକ ରେକର୍ଡ । ୨୦୦୯ରେ ଏହା ରିଲିଜ ହୋଇଥିବା ବେଳେ ସେଯାଏଁ ବଡ଼ ପରଦାରେ ଏଭଳି ଉନ୍ନତ ତଥା ଚକିତ କଲା ଭଳି କମ୍ପ୍ୟୁଟର ଗ୍ରାଫିକ୍ସ କେବେବି ଦେଖିନଥିଲେ ଦର୍ଶକ । ସେତେବେଳେ ଏହା ଆୟ କରିଥିଲା ପ୍ରାୟ ୩ଶହ କୋଟି ଆମେରିକୀୟ ଡଲାର୍ । ଆଉ ଏଥର ବି ଦ ୱେ ଅଫ୍ ଓ୍ୱାଟର୍ ପ୍ରଥମରୁ ଦେଖାଇଛି ବ୍ୟବସାୟିକ କମାଲ୍ । ପ୍ରାୟ ୪୦ କୋଟି ଡଲାର୍ରେ ନିର୍ମିତ ଏହି ଫିଲ୍ମ ଜବରଦସ୍ତ ଓ୍ୱିକେଣ୍ଡ୍ । ପରଫର୍ମାନ୍ସ ଦେଖାଇବା ସହିତ ମାତ୍ର ୩ ଦିନରେ ଭାରତରେ ଶହେ କୋଟି କ୍ଲବରେ ସାମିଲ ହୋଇଛି । ଭାରତରେ ଏହା ୪ହଜାର ସ୍କ୍ରିନରେ ରିଲିଜ ହୋଇଛି । ଚତୁର୍ଥ ଦିନ ସୁଦ୍ଧା ଏହା ଆୟ କରିଛି ପ୍ରାୟ ୧୪୦ କୋଟି ଟଙ୍କା । ସପ୍ତାହେ ଭିତରେ ଏହା ୨ଶହ କୋଟି ଟପିବ ବୋଲି ଆଶା କରାଯାଉଛି । ଅନ୍ତର୍ଜାତୀୟ ସ୍ତରରେ ଏହା ରବିବାର ସୁଦ୍ଧା ୪୩ କୋଟି ୪୦ ଲକ୍ଷ ଡଲାର୍ ଆୟ କରିଥିଲା ।