• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଜଣାଶୁଣା ଅଭିନେତ୍ରୀ ଆଶା ପାରେଖଙ୍କୁ ଚଳିତ ବର୍ଷର ‘ଦାଦାସାହେବ ଫାଲକେ ପୁରସ୍କାର’ ପ୍ରଦାନ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହା ଘୋଷଣା କରିଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଆଶା ପାରେଖଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଆଶା ପାରେଖ ମାତ୍ର ୧୦ ବର୍ଷ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ। ଆଶା ବଲିଉଡ୍ ଦୁନିଆକୁ ୯୫ ରୁ ଅଧିକ ଫିଲ୍ମ ଦେଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶା ଜୀଙ୍କୁ ଏହି ସମ୍ମାନ ପ୍ରଦାନ କରିବେ।  ସେପ୍ଟେମ୍ବର ୩୦ ରେ ଦିଲ୍ଲୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ ବୋଲି ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ତେବେ ଆସନ୍ତୁ ଏହି ମହାନ କଳାକାରଙ୍କ ଜୀବନର କିଛି ଅଜଣା କଥା ଉପରେ ନଜର ପକେଇ ନେବା।

ଜନ୍ମ:

ଆଶା ପାରେଖ ୨ ଅକ୍ଟୋବର ୧୯୪୨ ମସିହାରେ ଏକ ଗୁଜୁରାଟୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ମାଆ ସୁଧା ଆକା ସଲମା ଜଣେ ମୁସଲିମ୍ ଥିବା ବେଳେ ବାପା ବଚ୍ଚୁଭାଇ ପାରେଖ ଜଣେ ହିନ୍ଦୁ ବଣିଆ ଥିଲେ। ପିଲାଦିନେ ଆଶା ଡାକ୍ତର ହେବା ବା ଆଇଏଏସ୍ ହେବାର ସ୍ୱପ୍ନ ଦେଖୁଥିଲେ। ତାଙ୍କ ମା’ କିନ୍ତୁ ଚାହୁଁଥିଲେ ସେ ଜଣେ ଭଲ ନୃତ୍ୟଶିଳ୍ପୀ ହୁଅନ୍ତୁ। ଏନେଇ ସେ ପିଲା ଦିନରୁ ତାଙ୍କୁ ଭାରତୀୟ ନୃତ୍ୟ ଶିକ୍ଷା ଦେଇଥିଲେ। ଆଶା ପଣ୍ଡିତ ବଂସୀଲାଲ୍ ଭାରତୀ ସମେତ ଅନେକ ଗୁରୁଙ୍କ ଠାରୁ ନୃତ୍ୟ ଶିକ୍ଷା କରିଛନ୍ତି। ଫଳରେ ସେ ଜଣେ ଦକ୍ଷ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ହୋଇପାରିଲେ।


କ୍ୟାରିଅର୍:

ଆଶା ଜଣେ ଶିଶୁ କଳାକାର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସେ 'ଦିଲ୍ ଦେକେ ଦେଖୋ', 'ତିସ୍‌ରୀ ମଞ୍ଜିଲ୍', 'କଟି ପତଙ୍ଗ', 'ଲଭ୍ ଇନ୍ ଟୋକିଓ', 'ଆୟା ସାୱନ୍ ଝୁମ୍ କେ', 'ଆନ୍ ମିଲୋ ସଜନା' ଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ଗତ କିଛି ଦଶନ୍ଧି ଧରି ସେ ଜଣେ କଳାକାର, ନିର୍ଦ୍ଦେଶକ ଏବଂ ନିର୍ମାତା ଭାବରେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ସକ୍ରିୟ ଅଛନ୍ତି। ମୁଖ୍ୟ ଅଭିନେତ୍ରୀ ଭାବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା 'ଦିଲ୍ ଦେକେ ଦେଖୋ'।

ପଦ୍ମଶ୍ରୀରେ ହୋଇଛନ୍ତି ସମ୍ମାନିତ:

ମନୋରଞ୍ଜନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଆହୁରି ଅନେକ ପୁରସ୍କାର ପ୍ରଦାନ କରାଯାଇଛି। ୧୯୯୨ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ଆଶା ପାରେଖ ସେନ୍ସର ବୋର୍ଡର ଚେୟାରମ୍ୟାନ୍ ଥିଲେ। ଏହି ସମ୍ମାନ ପାଇଁ ଆଶା ପାରେଖଙ୍କୁ ପାଞ୍ଚ ଜଣିଆ ଖଣ୍ଡପୀଠ ଚୟନ କରିଥିଲେ। ଏଥିରେ ଆଶା ଭୋଁସ୍‌ଲେ, ହେମା ମାଳିନୀ, ପୁନମ ଢିଲ୍ଲନ୍, ଟିଏସ୍ ନାଗଭରନା ଏବଂ ଉଦିତ ନାରାୟଣ ସାମିଲ ଥିଲେ।

ବ୍ୟକ୍ତିଗତ ଜୀବନ:

ଆଶା ପାରେଖ ‘କାରା ଭବନ’ ନାମରେ ଏକ ଡ୍ୟାନ୍ସ ଏକାଡେମୀ ଚଳଉଛନ୍ତି। ସେ ସବୁବେଳେ ହସି ହସି ମଜ୍ଜାଳିଆ ଭାବେ ଜୀଅନ୍ତି। ସେ ଜଣେ ଉଦାର ବ୍ୟକ୍ତି ଭାବେ ଖୁବ ଜଣାଶୁଣା। ସେ ଅନେକ ସାମାଜିକ କାର୍ଯ୍ୟରେ ନିଜକୁ ଜଡିତ ରଖିଛନ୍ତି। ଏନେଇ ତାଙ୍କ ନାମ ଅନୁସାରେ ମୁମ୍ବାଇ ହସ୍‌ପିଟାଲର ନାଁ ‘ଦ ଆଶା ପାରେଖ ହସ୍‌ପିଟାଲ୍’ ଦିଆଯାଇଛି। ସେ ୧୯୯୪ରୁ ୨୦୦୦ ପର୍ଯ୍ୟନ୍ତୁ ଭାରତୀୟ ସେନ୍ସର ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ  ଭାବରେ ରହି ଇତିହାସ କରିଥିଲେ।

ବିବାଦ

ସେନ୍ସର ବୋର୍ଡକୁ ନେଇ ବିବାଦ:

ଯେତେବେଳେ ସେ ସେନ୍ସର ବୋର୍ଡ ଅଧ୍ୟକ୍ଷ ଥିଲେ ସେ ଅନେକ ବଡ ବଡ ନିଷ୍ପତ୍ତି ନେଇଥିଲେ। ଯେଉଁ ସଂସ୍ଥା ଠିକ୍ ସେନ୍ସର ବୋର୍ଡକୁ ମାନୁ ନଥିଲେ ସେ ତାଙ୍କ ଫିଲ୍ମକୁ ପାସ୍ କରୁ ନଥିଲେ। ଏଥିରେ ଗୋଟିଏ ଫିଲ୍ମ ଥିଲା ଶେଖର କପୁରଙ୍କର ‘ଏଲିଜାବେଥ୍’। ଏହାକୁ ନେଇ ସେ ବିବାଦୀୟ ହୋଇପଡିଥିଲେ।

ସଂପର୍କକୁ ନେଇ ବିବାଦ:

ସେ ବିବାହ କରି ନଥିଲେ ବି ତାଙ୍କ ନାମକୁ ନିର୍ଦ୍ଦେଶକ ନସୀର ହୁସୈନଙ୍କ ସହ ଯୋଡି ଚର୍ଚ୍ଚା କରାଯାଉଥିଲା। ତେବେ ଏହାକୁ ମାନି ସେ କହିଥିଲେ ଯେ ତାଙ୍କ ସହ ଦୀର୍ଘ ଦିନ ଧରି ତାଙ୍କର ବନ୍ଧୁତା ଥିଲା। ଯେତେବେଳେ ନସୀର ହୁସୈନଙ୍କ ପତ୍ନୀଙ୍କ ବିୟୋଗ ହେଲା ସେ ନିଜକୁ ଏକୁଟିଆ ଅନୁଭବ କଲେ। ସେ ବିବାହକୁ ନେଇ ତାଙ୍କ ସହ କଥା ହେବାକୁ ଚାହୁଥିଲେ କିନ୍ତୁ ଏହା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା।

ପାରିବାରିକ ସୂଚନା:

ଆଶାଙ୍କ ବାପା-ମାଆ ଭିନ୍ନ ଧର୍ମର ଥିଲେ ମଧ୍ୟ ସେମାନେ ସାଇ ବାବାଙ୍କର ଭକ୍ତ ଥିଲେ। ଥରେ ଯେତେବେଳେ ଆଶା ନିଜ ମା’ଙ୍କ ସହିତ ଟ୍ରେନରେ ଯାଉଥିଲେ, ତାଙ୍କ ମା’ ଦେଖିଲେ ଯେ କିଛି ଯାତ୍ରୀ ତାଙ୍କ ଝିଅର ଚେହେରା ଦେଖି ଖୁସି ହେଉଥିଲେ, ସେହି ଦିନଠାରୁ ସେ ଅନୁଭବ କଲେ ଯେ ସେ କିଛି ଭିନ୍ନ କରିବ। ଆଶା ଜୀ ତାଙ୍କ ବାପାମାଆଙ୍କର ଏକମାତ୍ର ସନ୍ତାନ ଥିଲେ। ସେଥିପାଇଁ ସେ ବହୁତ ଗେଲ୍ହା ଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବଡ ବଙ୍ଗଳା ଛାଡି ଏକ ଛୋଟ ଆପାର୍ଟମେଣ୍ଟରେ ରହିବାକୁ ଲାଗିଲେ।

ଆଶାଙ୍କ ଫିଲ୍ମ ବର୍ଷା:

ଆଶା ପାରେଖ ଅନେକ ଚଳଚ୍ଚିତ୍ରରେ କାମ କରିଥିବା ବେଳେ ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ରହିଛି- 'ଜବ୍‌ ପ୍ୟାର କିସି ସେ ହୋତା ହୈ', 'ଘରାନା', 'ଛାୟା' ଜୋକି ୧୯୬୧ ମେ ଆଇ ଥି’, 'ଫିର ୱହି ଦିଲ ଲାୟା ହୁ', 'ମେରୀ ସୁରତ୍ ତେରି ଆଁଖେ’ ଭରୋସା, ବିନ୍ ବାଦଲ୍ ବର୍‌ସାତ୍, ବହାରୋ କି ସପ୍‌ନେ, ଉପକାର୍, ପ୍ୟାର୍ କା ମୌସମ୍, ସାଜନ୍, ମହଲ୍, ଚିରାଗ, 'ଆୟା ସାୱନ୍ ଝୁମ୍ କେ', 'ଫିର ଆଇ କାରୱା', 'ନାଦାନ', 'ଜୱାନ ମୋହବତ', 'ଜ୍ୱାଲା', 'ମେରା ଗାଁଓ ମେରା ଦେଶ' ଏମିତି ଅନେକ।

ସିରିଏଲ୍‌ରେ ସାମିଲ୍:

ଆଶା ଜୀ ଅନେକ ବଡ ବଡ ନିର୍ମାତାଙ୍କ ସହ କାମ କରିଛନ୍ତି। ଏହା ବ୍ୟତୀତ ଆଶା ଜୀ ଅନେକ ସିରିଏଲ୍‌ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହାର ନାମ ହେଉଛି 'ପଲାଶ କେ ଫୁଲ୍‌', 'କମେଡି ସିରିଏଲ ଦାଲ ମୈ କାଲା', 'ବାଜେ ପାୟଲ', 'କୋରା କାଗଜ'। ଏସବୁ ବ୍ୟତୀତ ଆଶା ପାରେଖ ଗୁଜୁରାଟୀ, ପଞ୍ଜାବୀ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।