• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ର ବିଗ୍‌ ବି ଅମିତାଭ୍‌ ବଚ୍ଚନ । ଅମିତାଭ୍‌ଙ୍କ ପରିବାର ସମ୍ପର୍କରେ ଜାଣିବା ପାଇଁ ସବୁବେଳେ ଉତ୍ସାହିତ ରହିଥାନ୍ତି ଫ୍ୟାନ୍ସ । ପୂର୍ବରୁ ମଧ୍ୟ ଅନେକଥର ବିଗ୍‌ ବି ନିଜ ନାତୁଣୀ ଆରାଧ୍ୟାଙ୍କ ସହ ମଜାମସ୍ତି କରୁଥିବାର ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖିବାକୁ ମିଳିଛି । ନିକଟରେ ପପୁଲାର୍‌ ଶୋ’ ‘କୋନ୍‌ ବନେଗା କରୋଡପତି’ ରେ ଅମିତାଭ୍‌ ଆରାଧ୍ୟାଙ୍କ ସହ ବିତାଇଥିବା କିଛି ମୂଲ୍ୟବାନ ସମୟ କଥା ସମସ୍ତଙ୍କୁ କହିଛନ୍ତି ।

‘କୋନ ବନେଗା କରୋଡପତି’ ଶୋ’ରେ ବୈଷ୍ଣବୀ ନାମକ ଜଣେ ସାମ୍ବାଦିକ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ । ତେବେ ସାମ୍ବାଦିକ ଜଣକ ବିଗ୍‌ ବିଙ୍କର ସାକ୍ଷାତରକାର ନେବା ପାଇଁ ଅନୁରୋଧ କରିଥିଲେ । ସେ ଅମିତାଭ୍‌ଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ନାତୁଣୀ ଆରାଧ୍ୟାଙ୍କୁ କେମିତି ସମୟ ଦେଉଛନ୍ତି ।

ଅମିତାଭ୍‌ ଉତ୍ତରରେ କହିଥିଲେ ଯେ ’ମୁଁ ଆରାଧ୍ୟାଙ୍କୁ ଅଧିକ ସମୟ ଦେବାରେ ସକ୍ଷମ ହୁଏ ନାହିଁ, କାରଣ ମୁଁ ସକାଳ ୭ଟାରୁ ସାଢେ ୭ଟା ମଧ୍ୟରେ ସୁଟିଂ ପାଇଁ ବାହାରିଯାଏ ଏବଂ ଆରାଧ୍ୟା ୮ଟା ବେଳେ ସ୍କୁଲ୍‌ ଯାଆନ୍ତି । ସେ ସ୍କୁଲ୍‌ ସାରି ୩ଟାରୁ ୪ଟା ମଧ୍ୟରେ ଘରକୁ ଫେରିଆସନ୍ତି । ଏହାପରେ ସେ ନିଜର ହୋମ୍‌ୱାର୍କ କରନ୍ତି, ସେଥିରେ ତାଙ୍କ ମାଆ ଐଶ୍ଚର୍ଯ୍ୟା ତାଙ୍କୁ ସାହାଯ୍ୟ କରନ୍ତି । ମୁଁ ଘରକୁ ଫେରିଲା ବେଳେ ରାତି ୧୧ଟା ହୁଏ । ଆରାଧ୍ୟା ସେତେବେଳେ ଶୋଇ ପଡ଼ିଥାନ୍ତି’ ।

ଅମିତାଭ୍‌ ଆହୁରି କହିଥିଲେ ଯେ, ‘ମୁଁ ଟେକ୍ନୋଲୋଜିକୁ ଧନ୍ୟବାଦ ଦେଉଛି, ଯାହାଦ୍ୱାରା ମୁଁ ଭିଡିଓ କଲିଂ ମାଧ୍ୟମରେ ଆରାଧ୍ୟାଙ୍କ ସହ କଥାବାର୍ତ୍ତା ହୋଇପାରୁଛି । ରବିବାର ଦିନ ମୁଁ ଅଧିକ ସମୟ ପାଇଥାଏ ତାଙ୍କ ସହ କିଛି ସମୟ ବିତାଇବା ପାଇଁ । ଯେତେବେଳେ ଆରାଧ୍ୟା ମୋ ଉପରେ ରାଗିଯାଆନ୍ତି କିମ୍ବା ବିରକ୍ତ ହୁଅନ୍ତି, ମୁଁ ତାଙ୍କୁ ଚକୋଲେଟ୍ ଉପହାର ଦିଏ । ଗୋଲାପୀ ରଙ୍ଗର ହେୟାର ବ୍ୟାଣ୍ତ ହେଉଛି ତାଙ୍କର ଖୁବ୍‌ ପ୍ରିୟ । ମୁଁ ଯେତେବେଳେ ବି ତାଙ୍କୁ ଗୋଲାପୀ ହେୟାର ବ୍ୟାଣ୍ଡ ଏବଂ କ୍ଲିପ୍ ଉପହାର ଦିଏ, ସେ ବହୁତ ଖୁସି ହୋଇଯାଆନ୍ତି’ ।