• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବିଶ୍ୱକପ୍‌ ୨୦୨୩ର ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତୀୟ ଟିମ୍‌କୁ ପରାସ୍ତ କରିଛି। ଭାରତ ବିପକ୍ଷ ଦଳ ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା, ଯାହା ଟେଭିସ୍ ହେଡ୍ ଏବଂ ମାର୍ନସ୍ ଲାବୁଶେନଙ୍କ ଦ୍ୱାରା ସହଜରେ ପୂରା ହୋଇଯାଇଥିଲା। ୨୦୨୩ ବିଶ୍ୱକପ୍‌ରେ ପରାଜୟ ପରେ ଭାରତର ସବୁ ମହଲରେ ଏବେ ଶୋକର ବାତାବରଣ ଖେଳିଯାଇଛି।

ଅନେକ କ୍ରିକେଟ୍ ପ୍ରେମୀ ଏବଂ ସେଲିବ୍ରେଟି ଭାରତୀୟ ଟିମ୍‌କୁ ନେଇ ନିଜର ମତାମତ ଦେଉଛନ୍ତି। ଏହି ସମୟରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ପରାଜୟ ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ବିଗ୍ ବି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ନିଜ ଛାତି ଉପରେ ହାତ ରଖିଥିବାର ଦେଖାଯାଆନ୍ତି। ଫଟୋ ସହିତ ଅମିତାଭ ବଚ୍ଚନ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ନା ନା ନା... ଟିମ୍ ଇଣ୍ଡିଆ... ଏପର୍ଯ୍ୟନ୍ତ ଶେଷ ହୋଇନାହିଁ... ତୁମେ ଆମର ଗର୍ବ... ତୁମେ ସେହି ହୃଦୟ ଯେଉଁଠାରେ ହାତ ଅଟକିଯାଏ।”

ଅଧିକ ପଢ଼ନ୍ତୁ: ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଅଧିନାୟକ ପାଇବ ନାହିଁ: KRK

ବିଗ୍ ବିଙ୍କର ଏହି ପୋଷ୍ଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭେଟେରାନ ଅଭିନେତାଙ୍କ ପ୍ରଶଂସକଙ୍କ ସମେତ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ସେମାନଙ୍କ ମତାମତ ଦେଉଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଟିଭି ବନ୍ଦ କରିଦେଇଥାନ୍ତେ ତ ବୋଧହୁଏ ଜିତିଯାଇଥାନ୍ତେ।”

ଅନ୍ୟ ଜଣେ ଲେଖିଛନ୍ତି, “ସାର୍ ଲାଗୁଛି ଆପଣ ଗତକାଲି ମ୍ୟାଚ୍ ଦେଖିଦେଇଛନ୍ତି।” ଏମାନଙ୍କ ବ୍ୟତୀତ ଆହୁରି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜ ନିଜ ମତ ଦେଇଛନ୍ତି।

ବିଶ୍ୱକପରେ ଭାରତର ପରାଜୟ ପରେ କିଙ୍ଗ ଖାନ ଶାହରୁଖ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଭାରତୀୟ ଟିମ୍‌କୁ ଉତ୍ସାହିତ କରିଛନ୍ତି। ସେ ଲେଖିଛନ୍ତି, “ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟକୁ ଯେଉଁଭଳି ଭାବେ ଖେଳିଛି ତାହା ସମ୍ମାନର ବିଷୟ ଏବଂ ସେମାନେ ଜବରଦସ୍ତ ଜୋଶ୍ ​​ଏବଂ ନିଷ୍ଠା ଦେଖେଇଛନ୍ତି। ଏହା ଏକ ଖେଳ ଏବଂ ସବୁବେଳେ ଗୋଟିଏ କିମ୍ବା ଦୁଇଟି ଖରାପ ଦିନ ଥାଏ। ଦୁର୍ଭାଗ୍ୟବଶତଃ ଆଜି ଏହା ଘଟିଛି… କିନ୍ତୁ କ୍ରିକେଟ୍‌ରେ ଆମର ଖେଳ ଐତିହ୍ୟ ପାଇଁ ଆମକୁ ଏତେ ଗର୍ବିତ କରିଥିବାରୁ ଟିମ୍ ଇଣ୍ଡିଆକୁ ଧନ୍ୟବାଦ… ଆପଣ ସମଗ୍ର ଭାରତକୁ ବହୁତ ଖୁସି ଆଣିଛନ୍ତି। ଭଲପାଇବା ଏବଂ ସମ୍ମାନ। ଆପଣ ଆମକୁ ଏକ ଗର୍ବିତ ରାଷ୍ଟ୍ର କରିଛନ୍ତି।”

ଶାହରୁଖ ଖାନଙ୍କ ବ୍ୟତୀତ ରଣବୀର ସିଂହ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାରତୀୟ ଟିମ୍ ପାଇଁ ଲେଖିଛନ୍ତି, “କିଛି ଉତ୍ଥାନ-ପତନ, କିଛି ଭଲ ଦିନ, କିଛି ଖରାପ ଦିନ। କିଛି ବିଜୟ, କିଛି ପରାଜୟ। ତାହା ହେଉଛି ଖେଳ। ଏହା ହିଁ ଜୀବନ। ଆମେ ସମସ୍ତେ ନିରାଶ ହୋଇଛୁ, କିନ୍ତୁ ଆସନ୍ତୁ ଆମର ପିଲାମାନଙ୍କୁ ସେମାନଙ୍କର ଶ୍ରେୟ ପାଇଁ ପ୍ରଶଂସା କରିବା।”

Ranveer Singh reaction on india defeated
 
ରଣବୀର ସିଂହ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାରତୀୟ ଟିମ୍‌କୁ ଉତ୍ସାହିତ କଲେ

ତେବେ ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ଏକ ଦମଦାର ଶତକ ଖେଳି ଦଳକୁ ବିଜୟ ଆଡକୁ ନେଇଗଲେ। ହେଡ୍‌ଙ୍କ ବ୍ୟତୀତ ଲାବୁଶାନ ମଧ୍ୟ ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରିଥିଲେ। ମିଳିତ ଭାବେ ସେମାନେ ଚତୁର୍ଥ ୱିକେଟ୍ ପର୍ଯ୍ୟନ୍ତ ୧୯୨ ରନର ଭାଗିଦାରୀ କରିଥିଲେ।

୧୩୭ ରନ୍ ସ୍କୋର କରିବା ପରେ ଟ୍ରାଭିସ୍ ହେଡ୍ ଆଉଟ୍ ହୋଇଥିବାବେଳେ ଲାବୁଶାନ୍ ୫୮ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ଭାରତ ପାଇଁ ବୁମ୍‌ରା ୨ଟି ୱିକେଟ୍ ନେବାରେ ଏବଂ ସିରାଜ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଏହାପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବୋଲରମାନେ ଏକ କଷ୍ଟଦାୟକ ପିଚ୍‌ରେ ଭାରତକୁ ମାତ୍ର ୨୪୦ ରନ୍‌ରେ ସୀମିତ ରଖିଥିଲେ।

OTV is now on Whatsapp

Join and get latest news update delivered to you via whatsapp

Join Now