Allu Arjun's Bail Plea Hearing: ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ଆଜି ହେବ ଶୁଣାଣି

ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍‌ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଜାମିନ ଆବେଦନର ଆଜି ହେବ ଶୁଣାଣି ।

Allu Arjun

ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍‌ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଜାମିନ ଆବେଦନର ଆଜି ହେବ ଶୁଣାଣି । ହାଇଦ୍ରାବାଦ କୋର୍ଟରେ କିଛି ସମୟ ମଧ୍ୟରେ ଭର୍ଚୁଆଲ୍ ମୁଡରେ ଯୋଡ଼ି ହେବେ ଅଲ୍ଲୁ । ତାଙ୍କ ନିୟମିତ ଜାମିନ ଆବେଦନକୁ ନେଇ ଆଜି ଶୁଣାଣି ହେବ ।

ଯଦି, ଆଜି ବେଲ୍ ମିଳି ଯାଉଛି ତାହେଲେ ଏକ ବଡ଼ ଆଶ୍ୱସ୍ତି ତାଙ୍କୁ ଏହା ଦେଇପାରେ । ନଚେତ ସେ ପୁଣି ଥରେ ଏଥିପାଇଁ ହାଇକୋର୍ଟଙ୍କୁ ଯାଇପାରନ୍ତି । ନିଜ ଗିରଫଦାରୀକୁ ନେଇ ତାଙ୍କୁ ୪ ସପ୍ତାହର ଜାମିନ ଦେଇଛନ୍ତି ହାଇକୋର୍ଟ । ହେଲେ ରେଗୁଲାର୍ ଜାମିନ ପାଇଁ ଆଜିର ଶୁଣାଣି ବେଶ୍ ଗୁରୁତ୍ୱ ରଖୁଛି ।

ଗତ ୪ ତାରିଖରେ ପୁଷ୍ପା ଟୁ ସ୍ପେଶାଲ୍ ସ୍କ୍ରିନିଂରେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ ଯାଇଥିଲେ ଅଲ୍ଲୁ । ତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କ ଭିତରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅଙ୍କ ବ୍ରେନ୍ ଷ୍ଟ୍ରୋକ୍ ପରେ ମୃତ୍ୟୁ ସହ ସଂଘର୍ଷ କରୁଛି । ସେପଟେ ଗତ ୨୪ ତାରିଖରେ ପୁଷ୍ପାଙ୍କୁ ପୋଲିସ ପଚରାଉଚରା କରିଥିଲା । ଏଥିପାଇଁ ଥାନାରେ ହାଜର ହୋଇଥିଲେ ଅଲ୍ଲୁ ଅର୍ଜୁନ ।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

ସେ ପୋଲିସ ଷ୍ଟେସନରେ ରହିଥିଲେ ପ୍ରାୟ ୪ ଘଣ୍ଟା । ମାଳମାଳ ପ୍ରଶ୍ନର ମଧ୍ୟ ସାମନା କରିଥିଲେ । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ ।  ଚିକ୍କଡପାଲି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ । ସାଙ୍ଗରେ ଓକିଲଙ୍କ ସହ ଥିଲେ ବାପା ଓ ଶ୍ୱଶୁର ।

ଦଳାଚକଟା ମାମଲାରେ ଅଲ୍ଲୁଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା ପୋଲିସ । ରୋଡ୍ ସୋ କରି କାହିଁକି ଥିଏଟରକୁ ଯାଇଥିଲ ? ସେଠାକୁ ଯିବା ପାଇଁ ପୋଲିସ ଅନୁମତି ନଥିଲା । ଏକଥା ଜାଣିଥିଲ କି ନାହିଁ ? ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷଙ୍କର ନେଇଥିଲ କି ଅନୁମତି ? ଆପଣ କି ଆପଣଙ୍କର ପିଆର୍ ଟିମ୍ ପୋଲିସ ଅନୁମତି ନେଇଥିଲେ କି? ଥିଏଟର ସ୍ଥିତି ସଂପର୍କରେ ପିଆର୍ ଟିମ୍ ପୋଲିସକୁ ଜଣାଇଥିଲେ କି?

କେତେବେଳେ ଜାଣିଲେ ଦଳାଚକଟାରେ ରେବତୀଙ୍କର ମୃତ୍ୟୁ ହୋଇଛି? ଦଳାଚକଟା ଖବର କିଏ ଆପଣଙ୍କୁ ପ୍ରଥମେ ଦେଇଥିଲେ ? ଏସିପି କହିବା ପରେ ବି କାହିଁକି ଥିଏଟର ଛାଡି ନଥିଲ ? ଦଳାଚକଟା ଖବର ଜାଣି ବି ଥିଏଟରରେ ବସି ଫିଲ୍ମ ଦେଖିଥିଲ କାହିଁକି? ଏମିତି ତମାମ ପ୍ରଶ୍ନର ସାମନା କରିବା ପରେ ଅପରାହ୍ଣ ୨ଟା ୪୫ରେ ଥାନାରୁ ବାହାରିଥିଲେ ଅଲ୍ଲୁ ।

କୁହାଯାଉଛି, ପଚରାଯାଇଥିବା ସବୁ ପ୍ରଶ୍ନର ସେ ଉତ୍ତର ଦେଇଥିଲେ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଘଟଣାର ପରଦିନ ମହିଳାଙ୍କ ମୃତ୍ୟୁ ଖବର ଜାଣିଲେ ବୋଲି ପୋଲିସକୁ କହିଛନ୍ତି ଅଲ୍ଲୁ । ସେହିପରି ଅଡିଟୋରିୟମରେ ଏସିପି କି ଡିସିପି କେହି ତାଙ୍କୁ ଭେଟି ନଥିଲେ । ପୁଷ୍ପା-ଟୁ ପ୍ରିମିୟର ବେଳେ ଗତ ୪ ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିଲା ଦଳାଚକଟା ।

ଅଲ୍ଲୁ ଅର୍ଜୁନ ଆସିଥିବାରୁ ତାଙ୍କୁ ଦେଖିବା ପାଇଁ ଅସମ୍ଭାଳ ଭିଡ଼ ହୋଇଥିଲା । ଦଳାଚକଟାରେ ରେବତୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଆଗକୁ ପୁଣି ଥରେ ଅଲ୍ଲୁଙ୍କ ଜେରା ହୋଇପାରେ । ଆବଶ୍ୟକ ହେଲେ କ୍ରାଇମ୍ ସ୍ପଟ୍ କୁହାଯାଉଥିବା ସନ୍ଧ୍ୟା ଥିଏଟରକୁ ଅଲ୍ଲୁଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିପାରେ ପୋଲିସ ।

ଅଲ୍ଲୁଙ୍କୁ ପୋଲିସର ଜେରା ଭିତରେ ସାମନାକୁ ଆସିଛି ସନ୍ଧ୍ୟା ଥିଏଟରର ସେଦିନ ସିସିଟିଭି ଫୁଟେଜ୍ । ଯେଉଁଥିରେ ଦେଖିବାକୁ ମିଳିଛି, ସୁରକ୍ଷାକର୍ମୀ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟ କରି ବିଫଳ ହୋଇଥିଲେ । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଗତ ୧୩ ତାରିଖରେ ଗିରଫ ହୋଇଥିଲେ ଅଲ୍ଲୁ । ସେଦିନ ମାସେ ଅନ୍ତରୀଣ ଜାମିନ ଦେଇଥିଲେ ତେଲେଙ୍ଗାନା ହାଇକୋର୍ଟ ।

ଅଧିକ ପଢ଼ନ୍ତୁ: ତେଲେଙ୍ଗାନା ରାଜନୀତିରେ ଅଲ୍ଲୁ ଅର୍ଜୁନ ଝଡ, କଂଗ୍ରେସ ବିଜେପି ମୁହାଁମୁହିଁ