/odishatv-khabar/media/post_attachments/uploadimage/library/16_9/16_9_0/Allu_Arjun_1757414085.jpg)
Allu Arjun
ଗ୍ରେଟର୍ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC) ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ବେଆଇନ ନିର୍ମାଣ ପାଇଁ ଏକ ଶୋ-କଜ୍ ନୋଟିସ ପଠାଇଛି। ଏହି ନୋଟିସ ଅଲ୍ଲୁ ଅର୍ଜୁନଙ୍କ ଜୁବିଲୀ ହିଲସ୍, ରୋଡ ନମ୍ବର ୪୫ରେ ଥିବା ବିଜନେସ ପାର୍କ ବିଲ୍ଡିଂରେ ବିନା ଅନୁମତିରେ କରାଯାଇଥିବା ନିର୍ମାଣ ସଂପର୍କରେ କରାଯାଇଛି । GHMC ଅଧିକାରୀମାନେ ଶୋ-କଜ୍ ନୋଟିସରେ ଅଭିନେତାଙ୍କୁ ପଚାରିଛନ୍ତି ଯେ ଏହି ବେଆଇନ ନିର୍ମାଣକୁ କାହିଁକି ଭାଙ୍ଗି ଦିଆଯିବା ଉଚିତ ନୁହେଁ।
ଅର୍ଜୁନ ତାଙ୍କ ପରିବାରର ସଦସ୍ୟଙ୍କ ସହ ଦୁଇ ବର୍ଷ ପୂର୍ବେ ଅଲ୍ଲୁ ବିଜନେସ ପାର୍କ ବିଲ୍ଡିଂର ନିର୍ମାଣ କରିଥିଲେ। ଏହି ବିଲ୍ଡିଂରେ ଗୀତା ଆର୍ଟସ୍, ଅଲ୍ଲୁ ଆର୍ଟସ୍ ସହ ଜଡ଼ିତ ବ୍ୟବସାୟ ଏବଂ ଅନ୍ୟ କମ୍ପାନୀଗୁଡ଼ିକର ଅଫିସ ରହିଛି।
କେବଳ ଚାରି ମହଲା ନିର୍ମାଣ ପାଇଁ ଥିଲା ଅନୁମତି
ଏହି ପ୍ରୋଜେକ୍ଟ ପାଇଁ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ପ୍ରାୟ ୧୨୨୬ ବର୍ଗ ଗଜର ପ୍ଲଟରେ ଦୁଇଟି ବେସମେଣ୍ଟ ଏବଂ G+4 ମହଲା (ଗ୍ରାଉଣ୍ଡ + ଚାରି ମହଲା) ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ନିକଟରେ ଏଥିରେ ଚତୁର୍ଥ ମହଲାରେ ବେଆଇନ ଭାବେ ବିସ୍ତାର କରାଯାଇଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସର୍କଲ-୧୮ର ଡେପୁଟି କମିଶନର ସମ୍ମାୟା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଭିନେତାଙ୍କୁ କାରଣ ଦର୍ଶାଇବା ନୋଟିସ ଜାରି କରିଥିଲେ।
କଙ୍ଗନା ରଣାୱତଙ୍କୁ ମଧ୍ୟ ଜାରି ହୋଇଥିଲା ଏପରି ନୋଟିସ
ଏହା ପ୍ରଥମ ଥର ନୁହେଁ ଯେ କୌଣସି ଅଭିନେତାଙ୍କୁ ଏପରି ବେଆଇନ ନିର୍ମାଣ ପାଇଁ ନୋଟିସ ଜାରି କରାଯାଇଛି। ଏହା ପୂର୍ବରୁ ଗ୍ରେଟର ମୁମ୍ବାଇ ମହାନଗର ନିଗମ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଧ୍ୟ ଅଫିସ ବାହାରେ ବେଆଇନ ନିର୍ମାଣ ପାଇଁ ନୋଟିସ ଜାରି କରିଥିଲା। ଏହା ଉପରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ବେଆଇନ ଅଂଶ ଉପରେ ବୁଲଡୋଜର ଚଲାଇ ତାହାକୁ ଭାଙ୍ଗି ଦିଆଯାଇଥିଲା।
ଅଲ୍ଲୁ ଅର୍ଜୁନ କିମ୍ବା ତାଙ୍କ ପରିବାର ପକ୍ଷରୁ ଏହି ବିବାଦ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ବର୍ତ୍ତମାନ ନିର୍ଦ୍ଦେଶକ ଏଟଲିଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘AA22 X A6’ରେ କାମ କରୁଛନ୍ତି। ସନ ପିକ୍ଚର୍ସ ଦ୍ୱାରା ପ୍ରାଯୋଜିତ ଏହି ବଡ଼ ବଜେଟ ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ପୂର୍ବରୁ ସେ ଶେଷ ଥର ପାଇଁ ନିର୍ଦ୍ଦେଶକ ସୁକୁମାରଙ୍କ ଫିଲ୍ମ ‘ପୁଷ୍ପା 2: ଦ ରୁଲ’ରେ ନଜର ଆସିଥିଲେ। ଏହି ଫିଲ୍ମଟି ଦର୍ଶକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା ଏବଂ ଏହା ବିଶ୍ୱବ୍ୟାପୀ ୧୮୦୦ କୋଟି ଟଙ୍କା ଆୟ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)