• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସିନେମା ଜଗତରୁ ଏକ ଦୁଃଖଦ ଖବର ଆସିଛି । ପ୍ରସିଦ୍ଧ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି । କର୍କଟ ରୋଗ ସହିତ ଦୀର୍ଘ ଦିନ ଲଢ଼ିବା ପରେ ଅଭିନେତା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି । ମଙ୍ଗଲ ଢିଲ୍ଲୋନଙ୍କ ମୃତ୍ୟୁରେ ଅଭିନେତାଙ୍କ ପରିବାର ଲୋକ ଏବଂ ପ୍ରଶଂସକମାନେ ଶୋକ ବ୍ୟକ୍ତ କରିଛନ୍ତି ।

ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଫଳରେ ତୁରନ୍ତ ତାଙ୍କୁ ଲୁଧିଆନାର ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଆଜି ସକାଳେ ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି । ସବୁଠାରୁ ବଡ଼ କଥା ହେଲା ୧୮ ଜୁନ୍‌ରେ ତାଙ୍କର ଜନ୍ମଦିନ ଥିଲା, ହେଲେ ଜନ୍ମଦିନର ଠିକ୍‌ ସପ୍ତାହେ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି ।

ଟିଭି ସୋ ମାଧ୍ୟମରେ ମନୋରଞ୍ଜନ ଶିଳ୍ପରେ ଡେବ୍ୟୁ

ମଙ୍ଗଲ ଢିଲ୍ଲୋନ ପଞ୍ଜାବର ଫରିଦକୋଟ ଜିଲ୍ଲାରେ ଏକ ଶିଖ ପରିବାରରେ ଜନ୍ମ ହୋଇଥିଲେ । ସ୍ନାତକ ଡିଗ୍ରୀ ହାସଲ ପରେ ସେ ଦିଲ୍ଲୀ ଯାଇ ଥିଏଟରରେ କାମ କରିଥିଲେ । ୧୯୮୦ରେ ସେ ଅଭିନୟରେ ପୋଷ୍ଟ ଗ୍ରାଜୁଏଟ୍‌ କୋର୍ସ କରିଥିଲେ । ସେ ଦିଲ୍ଲୀର ଥିଏଟରରେ ମଧ୍ୟ କାମ କରିଛନ୍ତି । ଏହା ପରେ ସେ ୧୯୮୬ ମସିହାରେ ଟିଭି ସୋ 'କଥା ସାଗର' ସହିତ ମନୋରଞ୍ଜନ ଶିଳ୍ପରେ ଡେବ୍ୟୁ କରିଥିଲେ । ସେହି ବର୍ଷ ସେ ଦ୍ୱିତୀୟ ଟିଭି ସୋ 'ବୁନିୟାଦ' ରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ସେ ଜୁନୁନ, କିସ୍‌ମତ୍‌, ଦ ଗ୍ରେଟ ମରାଠା, ଘୁଟନ, ସାହିଲ, ମୌଲାନା ଆଜାଦ, ମୁଜରିମ ହାଜିର, ରିସ୍ତା, ଯୁଗ ଓ ନୁରଜାହାଁ ଭଳି ଅନେକ ଧାରାବାହିକରେ ଅଭିନୟ କରିଥିଲେ ।

ଏହି ସିନେମାରେ କରିଛନ୍ତି କାମ

ଧାରାବାହିକ ବ୍ୟତୀତ ମଙ୍ଗଲ ଢିଲ୍ଲୋନ ଅନେକ ସିନେମାରେ ମଧ୍ୟ କାମ କରିଛନ୍ତି । ଦୟାବାନ , ଖୁନ୍ ଭରି ମାଙ୍ଗ, ଜଖମୀ ଔରତ, କାହାଁ ହେ କାନୁନ, ପ୍ୟାର କା ଦେବତା, ନାକବନ୍ଦୀ, ଅମ୍ବା, ଜାନଶୀନ, ଟ୍ରେନ୍‌ ଟୁ ପାକିସ୍ତାନ ଓ ଦଲାଲ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ଶେଷଥର ପାଇଁ ସେ ୨୦୧୭ରେ ରିଲିଜ ହୋଇଥିବା ‘ତୁଫାନ ସିଂହ’ରେ ଅଭିନୟ କରିଥିଲେ।

ସିନେମା ଜଗତରେ ମଙ୍ଗଲ ଢିଲ୍ଲୋନ୍‌ ବହୁତ ଭଲ କାମ କରିଥିଲେ । ତାଙ୍କ ମୃତ୍ୟୁରେ ସିନେମା ଜଗତ ସ୍ତବ୍ଧ ହୋଇଯାଇଛି । ମଙ୍ଗଲ ଢିଲ୍ଲୋନ୍‌ ଏବେ ଦୁନିଆରେ ଆଉ ନାହାଁନ୍ତି, କିନ୍ତୁ ପ୍ରଶଂସକଙ୍କ ହୃଦୟରେ ତାଙ୍କର ସ୍ମୃତି ସବୁବେଳେ ଜୀବନ୍ତ ରହିବ ।