• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାଁକୁ ସ୍ୱୟଂଶାସିତ, ହେଲେ ଭୀମସାରର ସ୍ୱାୟତ୍ତତା ନାହିଁ । ନା ନିଜେ ପରୀକ୍ଷା କରିପାରୁଛି, ନା ଫଳପ୍ରକାଶ କରିପାରୁଛି । ଏପରକି ଆର୍ଥିକ ଓ ପରିଚାଳନାଗତ ସ୍ୱାୟତ୍ତତା ବି ପାଇନି ଭୀମସାର । ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇ ଦଶନ୍ଧି ଦଶନ୍ଧି ହେଲା ପରିଚାଳିତ ହୋଇ ଆସୁଛି ବୁର୍ଲା ଭୀମସାର । ୨୦୧୩ରେ ସ୍ୱୟଂଶାସିତ ମାନ୍ୟତା ପରେବି କଲେଜ କର୍ତ୍ତୃପକ୍ଷଙ୍କୁ ମିଳିନି ସ୍ୱାୟତ୍ତତାର ଅଧିକାର । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ କହିଛନ୍ତି ଅନୁବନ୍ଧନ ପ୍ରତ୍ୟାହାର ପ୍ରକ୍ରିୟା ଚାଲିଛି ।

ବୁର୍ଲା ଭୀମସାରକୁ କେବେ ମିଳିବ ପରିଚାଳନାଗତ ସ୍ୱାୟତ୍ତତା ? କେବେ ନିଜ ପିଲାଙ୍କ ପରୀକ୍ଷା ନିଜେ କରିବ ଭୀମସାର ? କେବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନୁବନ୍ଧନରୁ ମୁକ୍ତ ହେବ ଭୀମସାର ? ୧୯୫୯ରେ ସ୍ଥାପିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ୨୦୧୩ରେ ସ୍ୱୟଂ ଶାସିତ ହୋଇ ପରିଣତ ହୋଇଥିଲା ଭୀମସାରରେ । ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନୁବନ୍ଧନରୁ ମୁକ୍ତ ହୋଇନି । ଏବେବି ପୂର୍ଣ୍ଣାଙ୍ଗ ଆର୍ଥିକ ଓ ପରିଚାଳନାଗତ ସ୍ବାୟତ୍ତତା ପାଇନି । ଏପରିକି ପରୀକ୍ଷା ଓ ଫଳ ପ୍ରକାଶନ ବି କରୁଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ ।

ଯଦ୍ୱାରା ନା ଠିକ୍ ସମୟରେ ପରୀକ୍ଷା ହେଉଛି ନା ଫଳପ୍ରକାଶନ । ଏଭଳି ସମସ୍ୟା ଭିତରେ କୌଣସି କାର୍ଯ୍ୟ ପଡିଲେ ଛାତ୍ର ଓ ପୂର୍ବତନ ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟ ଦୌଡ଼ିବାକୁ ପଡୁଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବି ବଢିଛି ।....

ଭୀମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ କହିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରୁ ଅନୁବନ୍ଧନ ପ୍ରତ୍ୟାହାର ପ୍ରକ୍ରିୟା ଚାଲିଛି । ଏଣୁ ଅନୁବନ୍ଧନ ପ୍ରତ୍ୟାହାର ପରେ ହିଁ ଭୀମସାର ମୁକ୍ତ ଭାବେ ପରୀକ୍ଷା ପରିଚାଳନା କରିବ । ଭୀମସାର ନିଜେ ପରୀକ୍ଷା ପରିଚାଳନା କଲେ ଉଭୟ ପରୀକ୍ଷା ତାରିଖ ଓ ଫଳପ୍ରକାଶନରେ ବି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି । ଅନୁବନ୍ଧନ ପ୍ରତ୍ୟାହାର ପ୍ରକ୍ରିୟା ୧୦ ବର୍ଷ ପରେ ବି ସରିପାରିନି । ଏଣୁ କେବେ ସୁଦ୍ଧା ପ୍ରକ୍ରିୟା ସରିବ ଏବେବି ପ୍ରଶ୍ନବାଚୀ ହୋଇ ରହିଛି ।...