• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ମାଧ୍ୟମରେ କରାଯାଇଥିବା UGC-NET ପରୀକ୍ଷାକୁ ବାତିଲ କରାଯାଇଛି । ଏହାକୁ ନେଇ ବେଶ୍‌ ବିବାଦ ଦେଖିବାକୁ ମିଳିଛି । UGC-NET ପରୀକ୍ଷାକୁ ବାତିଲକୁ ନେଇ ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ, ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ସେମାନେ ପରୀକ୍ଷାରେ ଅନିୟମିତତା ସମ୍ପର୍କରେ ସୂଚନା ପାଇଥିଲେ । ଏହା ପରେ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା । ଏଥି ସହିତ ଏହି ମାମଲାର ଯାଞ୍ଚ କରୁଥିବା ତଦନ୍ତକାରୀ ସଂସ୍ଥା CBIକୁ ମିଳିଛି ବଡ଼ ସୂଚନା । ଏହି ମାମଲାରେ ତଦନ୍ତ କରିବା ପରେ ସିବିଆଇ ସୂତ୍ରରୁ କୁହାଯାଇଛି ଯେ, UGC-NET ପେପର୍‌ ଲିକ୍‌ ହୋଇଛି । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ଡାର୍କ ୱେବ୍‌ରେ ଅପଲୋଡ୍‌ କରାଯାଇଥିଲା ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ UGC-NET ପ୍ରଶ୍ନପତ୍ର ଲିକ୍‌ ହେବା ପରେ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି । ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି କି UGC-NET ପ୍ରଶ୍ନପତ୍ର କେଉଁଠୁ ଲିକ୍‌ ହୋଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି କି ପ୍ରଶ୍ନପତ୍ର ଜୁନ୍‌ ୧୭ରେ ଲିକ୍‌ ହୋଇଥିଲା । ଏହାପରେ ଏହାକୁ ଏକ ଏନ୍‌କ୍ରିପ୍ଟେଡ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ପ୍ରଶ୍ନପତ୍ରକୁ ୬ ଲକ୍ଷ ଟଙ୍କାରେ ଏନ୍‌କ୍ରିପ୍ଟେଡ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍‌ କରାଯାଇଥିଲା । ଧରାପଡ଼ିବାରୁ ବର୍ତ୍ତିବା ପାଇଁ ପ୍ରଶ୍ନପତ୍ରକୁ ଡାର୍କୱେବ୍‌ରେ ଅପଲୋଡ୍‌ କରିଥିଲେ । ଏହି ମାମଲା ସହ ଜଡିତ ବିବରଣୀ ସଂଗ୍ରହ କରିବାକୁ ସିବିଆଇ NTA ଏବଂ ଅନ୍ୟାନ୍ୟ ଏଜେନ୍ସି ସହ ଯୋଗାଯୋଗରେ ଅଛି ।

ବାସ୍ତବରେ, ଶିକ୍ଷା ମନ୍ତ୍ରଣାଳୟ ଜୁନ୍‌ ୧୯ରେ NTA ଦ୍ୱାରା ପରିଚାଳିତ UGC-NET ପରୀକ୍ଷା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ତଦନ୍ତ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଶିକ୍ଷା ମନ୍ତ୍ରଣାଳୟ ସୂଚନା ପାଇଥିଲା ଯେ ପରୀକ୍ଷାର ଅଖଣ୍ଡତା କ୍ଷୁର୍ଣ୍ଣ ହୋଇଛି, ଯାହା ପରେ ଏହାକୁ ଶୀଘ୍ର ବାତିଲ କରାଯାଇଥିଲା ।

ସେପଟେ ଜୁନ୍‌ ୨୦ରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, UGC-NET ପରୀକ୍ଷା ପୁଣି କରାଯିବ । ଏଥିପାଇଁ ତାରିଖ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପୃଥକ ଭାବରେ ଘୋଷଣା କରାଯିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥାନ୍ତି ।

UGC-NET ରଦ୍ଦ ହେବା ପରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ NEET ପେପର୍‌ ଲିକ୍ ଏବଂ UGC-NET ସଂପର୍କରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ବର୍ତ୍ତମାନ NTAର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ଏଥିସହ କୌଣସି ଅନିୟମିତତା ନକରି ପରୀକ୍ଷା ପରିଚାଳନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now