• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେମିତି ପଢ଼ିବେ କୋମଳମତି ? କିପରି ଗଢ଼ା ହେବ କୁନି କୁନି ପିଲାଙ୍କ ଭବିଷ୍ୟତ । ଅଙ୍ଗନୱାଡି କେନ୍ଦ୍ର ତ ବନ୍ଧା ପଡ଼ିଛି । ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକରୁ ପୁଣି ସାମ୍ନାକୁ ଆସିଛି ଶିକ୍ଷାର ନଗ୍ନ ଚିତ୍ର । ୪ ଲକ୍ଷ ଟଙ୍କା ପାଇଁ ଠିକାଦାରଙ୍କ ହାତରେ ଅଙ୍ଗନୱାଡି କେନ୍ଦ୍ର ବନ୍ଧା ପଡିଛି । କୋମଳମତି ଶିଶୁଙ୍କ ଭବିଷ୍ୟତ ଏବେ ଚାଳ ଘର ପିଣ୍ଡା ତଳେ ଗଢ଼ାଚାଲିଛି ।

କଙ୍କଡାହାଡ଼ ବ୍ଲକ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ବାଘମୁଣ୍ଡା ଗାଁ । ବାଘମୁଣ୍ଡା ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରଟି ସ୍ଥାନୀୟ ଠିକାଦାରଙ୍କ ହାତରେ ବନ୍ଧା ପଡିଥିବା ସୂଚନା ମିଳିଛି । ୨୦୧୬ ମସିହାରେ ରୀନା ସିଂହ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ପାଇଥିଲେ । ସେହି ଦିନ ଠାରୁ ସେ ନିଜ ଘର ପିଣ୍ଡାରେ ଛୁଆଙ୍କୁ ପାଠ ପଢ଼ାଇ ଆସୁଛନ୍ତି ।

୨୦୨୦ ମସିହାରେ ସ୍ଥାନୀୟ ପଞ୍ଚାୟତ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଅଙ୍ଗନୱାଡି କେନ୍ଦ୍ର । ତେବେ ସମ୍ପୃକ୍ତ କାର୍ଯ୍ୟକୁ ପଂଚାୟତର କନିଷ୍ଠ ଯନ୍ତ୍ରୀ ମହାଶୟ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ହାତକୁ ଟେକି ଦେଇଥିଲେ । ଅଙ୍ଗନୱାଡି କେନ୍ଦ୍ରଟି ୨୦୧୬ ମସିହାରେ ନିର୍ମାଣ ହୋଇ ୨୦୨୦ ମସିହାରେ ଶେଷ ହୋଇଥିଲା । ମାତ୍ର ଠିକାଦାରଙ୍କ ଅବଶିଷ୍ଟାଂଶ ୪ ଲକ୍ଷ ଟଙ୍କା ବାକି ଥିବା ଯୋଗୁଁ ଅଙ୍ଗନୱାଡି କେନ୍ଦ୍ରଟି ହସ୍ତାନ୍ତର କରାଯାଇ ପାରୁନଥିବା ଠିକାଦାର କହିଛନ୍ତି । ଏପରିକି ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ତାଙ୍କୁ ଠକି ଆସୁଥିବା ସେ ପ୍ରକାଶ କରିଛନ୍ତି ।

ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ କିମ୍ବା କଙ୍କଡାହାଡ଼ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ରର ଅଧିକାରିଣୀ ମାନେ ଗୁରୁତ୍ୱ ଦେଉ ନଥିବା ସାମ୍ନାକୁ ଆସିଛି । ଅଙ୍ଗନୱାଠି କେନ୍ଦ୍ର ନିର୍ମାଣ ପର ଠାରୁ ଗୃହ ଗୁଡିକରେ ଅସାମାଜିକ ଯୁବକଙ୍କ ଆଡା ଜମିଛି । ଅଙ୍ଗନୱାଡି କେନ୍ଦ୍ରରେ ମଦ ବୋତଲ ସାଙ୍ଗକୁ ଚାଖଣା ପାଇଁ ଆସିଥିବା ଜରି ଗୁଡିକ ପଡ଼ିଥିବା ଦେଖିବାକୁ ମିଳିଛି । ବିଭାଗ ଓ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଅଙ୍ଗନୱାଡି କେନ୍ଦ୍ରର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ।

ସେପଟେ ଅଙ୍ଗନୱାଡି କେନ୍ଦ୍ର ନଥିବା ଯୋଗୁଁ ଶିଶୁମାନେ ସଠିକ ଭାବରେ ଖେଳା ବୁଲା କରିପାରୁ ନାହାନ୍ତି । ଏବଂ ତାଙ୍କର ବୌଦ୍ଧିକ ବିକାଶ ହୋଇପାରୁନି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏ ଦୃଶ୍ୟ ମାନବ ସମାଜକୁ ବ୍ୟଥିତ କରିପାରେ । ଘରର ଫାଉଣ୍ଡେସନ କେତେ ଦୁର୍ବଳ ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଜାଣିବା ପରେ ତୁରନ୍ତ ଘର ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଧର ବରାଳ , କାମାକ୍ଷାନଗର