• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରେଢାଖୋଲ(ରମାକାନ୍ତ ମହନନ୍ଦ) : ଏଣିକି ସ୍ମାର୍ଟ ଶ୍ରେଣୀ ଗୃହରେ ଶିକ୍ଷାଦାନ ହେବ । ଛାତ୍ରଛାତ୍ରୀ ଅତ୍ୟାଧୁନିକ ବିଜ୍ଞାନଗାରର ସୁବିଧା ଉଠାଇବେ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଗୁଡ଼ିକୁ ଫାଇଭ ଟିରେ ରୂପାନ୍ତରିତ ହୋଇ ଲୋକାର୍ପଣ କରାଯାଗଲା । କିନ୍ତୁ ରେଢାଖୋଲ କଦଳୀଗଡ ହାଇସ୍କୁଲ ସ୍ମାର୍ଟ ସ୍କୁଲ ହେଲା ପରେ ବି ପାଠପଢାରେ କୌଣସି ସୁବିଧା ହୋଇନି । ନାଁକୁ ମାତ୍ର ସ୍ମାର୍ଟ ସ୍କୁଲ ପାଲଟିଛି ।

ରେଢାଖୋଲ ବ୍ଲକ କଦଳୀଗଡ ଉଚ୍ଚବିଦ୍ୟାଳୟ । କାନ୍ଥବାଢ,ଶ୍ରେଣୀଗୃହ ରଙ୍ଗ ହେବା ସହିତ କିଛି ଫୁଲକୁଣ୍ଡରେ ଶୋଭା ପାଉଛି ଉଚ୍ଚ ବିଦ୍ୟାଳୟ । ନଭେମ୍ବର ୨୫ରେ ସମ୍ବଲପୁର ଜିଲ୍ଲାରେ ଲୋକାର୍ପଣ ହେଲା ଫାଇଭ ଟିର ରୂପାନ୍ତରିତ ଉଚ୍ଚବିଦ୍ୟାଳୟ । ହେଲେ ଭିତରର ଦୃଶ୍ୟ ଭିନ୍ନ କଥା କହୁଛି । ଆଜି ପର୍ଯ୍ୟନ୍ତ କ୍ଲାସରୁମରେ ଏଇଡି ଟିଭି ଲାଗିନି । ବ୍ଲାକ୍ ବୋର୍ଡ ପଛ ପଟରେ ରହିଛି ଜିନିଷପତ୍ର । ଶ୍ରେଣୀ ଗୃହ କଥା ପଚାରେ କିଏ । ଛପର କଣା ହୋଇ ସୂର୍ଯ୍ୟ କିରଣ ପଢୁଛି । ସେହପରି କେଉଁଠି ଶିକ୍ଷକ ଅଭାବରୁ ଗୋଟିଏ ଗୋଟିଏ ପିରିୟଡ ଖାଲି ପଡୁଛି ।

କ୍ଲାସ ରୁମରେ ପିଲା ମାନେ ଖେଳକୁଦ କରି ସମୟ କାଟୁଛନ୍ତି । ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ରହିଛି ହେଲେ ନଳରେ ପାଣି ଆସୁନାହଁ । ଏପରିକି ଭଲ ଖେଳପଡିଆ, ସାଇକଲ ଷ୍ଟାଣ୍ଡ ମଧ୍ୟ ନାହିଁ । ଇ-ଲାଇବ୍ରେରୀ ରହିଛି କିନ୍ତୁ ଭିତରେ ସ୍ଥିତି କଥା କହିଲେ ନସରେ । କମ୍ପ୍ୟୁଟର ରହିଛି ହେଲେ କାହାର ମେସିନ ନାହଁ ତ କାହାର ମନିଟର ନାହଁ । ପୁରୁଣା ଖରାପ କମ୍ପ୍ୟୁଟରରେ ଶୋଭା ପାଉଛି ଲାଇବ୍ରେରୀ । ସେହି ସମାନ ସ୍ଥିତି ଅତ୍ୟାଧୁନିକ ବିଜ୍ଞାନାଗାରର ବୋଲି ଛାତ୍ର ଓ ସ୍ଥାନୀୟବାସିନ୍ଦା କହିଛନ୍ତି ।

୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟ ଟି ଅଂଚଳର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ହୋଇଥିବାରୁ ରାଜ୍ୟସରକାର ଭବିଷ୍ୟତର ପିଢ଼ୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକାଶ କରିବା ସହ ସ୍ମାର୍ଟ ଶ୍ରେଣୀ ଗୃହରେ ଶିକ୍ଷାଦାନ ପାଇଁ ଏହି ଯୋଜନାରେ ସାମିଲ କଲେ । କଦଳୀଗଡ ହାଇସ୍କୁଲରେ ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ଖାଲିପଡିଛି ପ୍ରଧାନଶିକ୍ଷକ ପଦବୀ । ୨୦୧୯ ମସିହାରେ ଶିକ୍ଷାମନ୍ତ୍ରୀ ଏହି ବିଦ୍ୟାଳୟକୁ ଆସି ପ୍ରତିଶୃତି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୂରଣ ହୋଇନି ପଦବୀ ।

ଶିକ୍ଷାକମିଟି ଆନ୍ଦୋଳନ କରିବା ସହ ଧାରଣା ଦେଲେ ମଧ୍ୟ କିଛି ହୋଇପାରିନି । ୬ଷ୍ଠ ଶ୍ରେଣୀ ରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ମୋଟ ୨୭୪ ଛାତ୍ରଛାତ୍ରୀଙ୍କୁ ମାତ୍ର ୮ଜଣ ଶିକ୍ଷକ ପଢାଉଛନ୍ତି । ସେଥିମଧ୍ୟରୁ ଦୁଇ ବର୍ଷ ହେଲାଣି ଜଣେ ଶିକ୍ଷକ ବିନା ଦରଖାସ୍ତରେ ଛୁଟିରେ ରହିଥିବା ଜଣାପଡିଛି । ଶିକ୍ଷକଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏବଂ ଫାଇଭ ଟିରେ ରୂପାନ୍ତରିତ ସ୍କୁଲର କାର୍ଯ୍ୟ ଅଧାରେ ରହିଛି ।

ପୁରୁଣା ଜିନିଷପତ୍ରକୁ ରଙ୍ଗ ଦେଇ ସଜାଇ ଦିଆଗଲେ, କିଛି ଲାଭ ନାହିଁ ବୋଲି ଶିକ୍ଷା କମିଟି ସଭ୍ୟ ଅଭିଯୋଗ ଆଣିଛନ୍ତି । ସମସ୍ୟା ସମ୍ପର୍କରେ ଜଣାଇ ଦିଆଯାଇଛି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି । ଶିକ୍ଷା ବିଭାଗର ଏହି ଯୋଜନାକୁ ଠିକ ଭାବରେ କାର୍ଯ୍ୟକାରୀ କରାଗଲେ ଛାତ୍ରଛାତ୍ରୀ ମାନଙ୍କର କାମରେ ଲାଗିପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି ।