Advertisment

Breaking: ପିଲାଙ୍କର ବଢ଼ିଲା ଖରା ଛୁଟି

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Summer Vacation

Summer Vacation

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢ଼ିଲା ଗ୍ରୀଷ୍ମ ଛୁଟି । ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବ ସ୍କୁଲ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Advertisment

ଗ୍ରୀଷ୍ମର କୋପ ଏମିତି, ଦିନ ସାଢ଼େ ୧୧ଟା ବେଳକୁ ଏଠି ପାରା ୪୧ (୪୧.୬) ଡିଗ୍ରୀ ଟପି ଯାଇଥିଲା ବେଳେ ଅପରାହ୍ନ ସାଢ଼େ ଦୁଇଟା ବେଳକୁ ୪୪.୬ ଡିଗ୍ରୀ ଛୁଇଁଯାଇଥିଲା । ଯାହାକି ଆଜିର ଦିନ ଅର୍ଥାତ ଜୁନ୍ ୧୬ରେ ବିଗତ ୧୪ ବର୍ଷରେ ରାଜଧାନୀର ରେକର୍ଡ ତାତି ବୋଲି କୁହାଯାଉଛି । କାରଣ ତଥ୍ୟ କହୁଛି, ୪୪ ଡିଗ୍ରୀ ତ ଛାଡ଼ ୨୦୦୯ ମସିହାରୁ ଜୁନ୍ ୧୬ ତାରିଖରେ କେବେବି ତାପମାତ୍ରା ୪୨ ଡିଗ୍ରୀ ବି ଛୁଇଁ ନଥିଲା ।

କେବଳ ୨୦୦୯ରେ ଆଜିକା ଦିନରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଥିଲା ୪୧.୪ ଡିଗ୍ରୀ। ଆଉ ଆଜିର ଏ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଦିନବେଳା ଯେମିତି ସାନ୍ଧି ହୋଇଯାଇଥିଲେ ଭୁବନେଶ୍ୱର ବାସିନ୍ଦା। କେବଳ ଭୁବନେଶ୍ୱର ନୁହେଁ, କଟକ, ପୁରୀ, ଗୋପାଳପୁର, ବାଲେଶ୍ୱର ଭଳି ସାରା ଉପକୂଳରେ ଗ୍ରୀଷ୍ମପ୍ରବାହର ଅସ୍ୱାଭାବିକ ସ୍ଥିତି। ସ୍ୱାଭାବିକ ତୁଳନାରେ ସବୁଠି ୬ରୁ ୭ ଡିଗ୍ରୀ ଅଧିକ ତାପମାତ୍ରା ସାଙ୍ଗକୁ ବାୟୁମଣ୍ଡଳରେ ପ୍ରାୟ ୭୫ ପ୍ରତିଶତରୁ ଅଧିକ ଆର୍ଦ୍ରତା ଉପକୂଳ ଜିଲ୍ଲାମାନଙ୍କରେ ଗୁଳୁଗୁଳି ସ୍ଥିତିକୁ ସଂଗୀନ କରୁଛି ।

Advertisment

ଆଉ ଏପଟେ ପ୍ରଚଣ୍ଡ ଖରାରେ ଜଳୁଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା । ଦିନ ତ ଦିନ। ରାତିରେ ବି ଆଶାନୁରୂପକ ଭାବେ ତାପମାତ୍ରା ଖସୁ ନଥିବାରୁ ସକାଳ ୭ଟା ବେଳକୁ ବି ବାହାରେ ଦେହ ଦେଇ ହେଉନି। ଦିନ ୧୧ଟା ବେଳେ ସମ୍ବଲପୁର ସହରର ଅବସ୍ଥା ନକହିବା ଭଲ । ଖରା ଡରରେ ଏକ ପ୍ରକାର ଖାଁ ଖାଁ ରାସ୍ତାଘାଟ।

କାଲି ୪୪ ଡିଗ୍ରୀ ତଳେ ଥିବା ତାପମାତ୍ରା, ଆଜିର ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ୪୪.୪ ଡିଗ୍ରୀରେ ପହଞ୍ଚି ଯାଇଥିଲା। କେବଳ ସମ୍ବଲପୁର ନୁହେଁ, କାଲି ରାଜ୍ୟର ସର୍ବାଧିକ ତାପମାତ୍ରା (୪୪.୮) ଥିବା ଝାରସୁଗୁଡ଼ାଠୁ ନେଇ ବଲାଙ୍ଗିର, ବରଗଡ଼, ସୋନପୁର, ରାଉରକେଲା ଭଳି ସହର ଗଲା ସପ୍ତାହେ ଧରି ତାତିରେ ଫୁଟୁଛି। ଉପକୂଳରେ କେତେବେଳେ କେମିତି କାଳବୈଶାଖୀ ବର୍ଷା କିଛି ଘଣ୍ଟା ପାଇଁ ହେଉ ପଛେ ତାପମାତ୍ରାକୁ କମ୍ କରୁଥିଲା ବେଳେ ସମ୍ବଲପୁର ଭଳି ସହରରେ ଲଗାତର ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି।

ଜୁନ ମାସ ଅଧା ବିତି ସାରିଥିଲେ ବି ଓଡ଼ିଶାକୁ ମୌସୁମୀ ଆଗମନ ନେଇ ଏଯାଏଁ କିଛି ବି ସ୍ପଷ୍ଟ ସୂଚନା ନାହିଁ। ଆଉ ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ ବି କହୁଛି ଆହୁରି ୩ ଦିନ ଯାଏଁ ଉପକୂଳ ଓ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସ୍ଥିତିରେ ବିଶେଷ ପରିବର୍ତ୍ତନର ଆଶା ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଉପକୂଳ ଜିଲ୍ଲାଗୁଡ଼ିକରେ ଆଗାମୀ ୩ ଦିନ ଯାଏଁ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି।

Summer Vacation
Advertisment
Advertisment