• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ବା ସାମ୍ସରେ ତ୍ରୁଟି । ଏଥିପାଇଁ ନାମଲେଖାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବା ଅଭିଯୋଗ । ପାଠପଢ଼ାରେ ବିଳମ୍ବ ହେଉଥିବାରୁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ କହିବା କଥା, ଶିକ୍ଷାନୁଷ୍ଠାନରେ ମେରିଟ୍ ଆଧାରରେ ଆଡମିଶନ ଲାଗି ଅଗଷ୍ଟ ମାସରୁ ଏକକ ପ୍ରବେଶିକା ପରୀକ୍ଷା ବା ସିପେଟ୍ ସରିଗଲାଣି । ହେଲେ ସାମ୍ସର ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଆଡମିଶନ ସରୁନି । ଏବେ ଚାଲିଛି ସ୍ପଟ ଆଡମିଶନ୍‌ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ପିଜି ପାଠ୍ୟକ୍ରମରେ ପ୍ରତିବର୍ଷ ନଭେମ୍ବର ପୂର୍ବରୁ ପାଠପଢ଼ା ଆରମ୍ଭ ହୋଇ ଡିସେମ୍ବର ବେଳକୁ ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବା କଥା । ହେଲେ ସାମ୍ସ ଅବ୍ୟବସ୍ଥା କାରଣରୁ ଆଡମିଶନ ବିଳମ୍ବ ହେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି । ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ସାମ୍ସକୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ ।

ସାମ୍ସ ଅବ୍ୟବସ୍ଥା ଲାଗି କେବଳ ଛାତ୍ରଛାତ୍ରୀ ନୁହେଁ, କଲେଜ ଓ ୟୁନିଭର୍ସିଟିରେ ଦେଖିବାକୁ ମିଳିଛି ସମସ୍ୟା । ସ୍ପଟ ଆଡମିଶନରେ ସ୍ଲାଇଡିଂ ବ୍ୟବସ୍ଥା ଯୋଗୁ ପୂରଣ ହୋଇପାରୁନି ପିଜି ସିଟ୍ । ସ୍ପଟ୍ ଆଡମିଶନ୍‌ ବେଳେ ଜଣେ ଜଣେ ଛାତ୍ରଛାତ୍ରୀ ଏକାଧିକ କଲେଜ ବା ୟୁନିଭର୍ସିଟିରେ ଆଡମିସନ୍ ପାଇଁ ଆବେଦନ କରୁଛନ୍ତି, ଫଳରେ ସିଟ୍ ଫିଲ୍ଅପ୍ ହୋଇ ଯାଉଥିବା ଦେଖାଉଛି । କିନ୍ତୁ ସ୍ଲାଇଡିଂ ବ୍ୟବସ୍ଥାର ସୁବିଧା ନେଇ ସେମାନେ ନିଜ ସୁବିଧା ଅନୁସାରେ ଅନ୍ୟ ବିଶ୍ୱବିଦ୍ୟାଳୟକୁ ପଳାଇ ଯାଉଛନ୍ତି ।

ଫଳରେ ବହୁ ଛାତ୍ରଛାତ୍ରୀ ୱେଟିଂ ଲିଷ୍ଟରେ ଥିଲେ ମଧ୍ୟ ସ୍ପଟ ଆଡମିଶନ୍ କରିପାରୁନାହାନ୍ତି । ଏପଟେ ୨୫ ତାରିଖରେ ସ୍ପଟ ଆଡମିଶନ ତାରିଖ ଶେଷ ହୋଇଥିବାରୁ ନାମଲେଖାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ଏଣୁ ପିଜି ସିଟ୍ ଖାଲି ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି କଲେଜ ଓ ୟୁନିଭର୍ସିଟି କର୍ତ୍ତୃପକ୍ଷ । ତେଣୁ ସ୍ପଟ୍ ଆଡମିଶନ ବେଳେ ସ୍ଲାଇଡିଂ ବ୍ୟବସ୍ଥା ହଟାଇବା ସହ ସାମ୍ସରେ ଥିବା ବୈଷୟିକ ତ୍ରୁଟି ଦୂର ଲାଗି ଦାବି ହୋଇଛି । ତେବେ ଏନେଇ ଉଚ୍ଚ ଶିକ୍ଷା ପରିଷଦର ପ୍ରତିକ୍ରିୟା ମିଳିପାରିନାହିଁ ।

ଉଚ୍ଚ ଶିକ୍ଷା ପରିଷଦ ସାମ୍ସରେ ଥିବା ତ୍ରୁଟିକୁ ଯେତେଶୀଘ୍ର ସୁଧାରିବେ, ଆଗାମୀ ସମୟରେ ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ଅସୁବିଧା ଦୂର ହୋଇପାରିବ ।