• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରି ବିଷମ ସ୍ଥିତି । ପିଲାମାନେ ସ୍କୁଲକୁ ଆସୁଛନ୍ତି ପାଠ ପଢ଼ିବାକୁ । ହେଲେ ସମୟ ବିତୁଛି ଗଛମୂଳେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୋରଣା ପଂଚାୟତ ପଦାସାହି ପ୍ରାଥମିକ ବିଦ୍ୟାଳୟରେ । ତେବେ ପିଲାମାନେ କରିବେ ବା ଆଉ କଣ ? କାରଣ ସ୍କୁଲ ଖୋଲିବା ସମୟ, ଦିନ ୧୦ଟା ଥିଲେ ମଧ୍ୟ ୧୦ଟା ୧୦ ବେଳକୁ ସ୍କୁଲ ଖୋଲୁ ନାହିଁ । ତେଣୁ ବାଧ୍ୟ ହୋଇ ପିଲାମାନେ ସ୍କୁଲ ବାହାରେ ଗଛ ମୂଳ ଛିଡ଼ା ହେଉଛନ୍ତି । ସ୍କୁଲ ଖୋଲିଲେ ଭିତରକୁ ଯିବେ ବୋଲି ସବୁବେଳେ ଅପେକ୍ଷା କରନ୍ତି । କିନ୍ତୁ ସ୍କୁଲ କେବେ ବି ସଠିକ୍‌ ସମୟରେ ଖୋଲାଯାଏ ନାହିଁ । ତେଣୁ କେତେ ବେଳେ ସ୍କୁଲ ଖୋଲିବ ସେଇ ସମୟକୁ ଅପେକ୍ଷା କରି ଗଛ ମୂଳେ ବସିଥାନ୍ତି ପିଲା ।

ବେଳେବେଳେ ସ୍ଥିତି ଏମିତି ଆସେ ଯେ, ପିଲାମାନେ ପାଠ ନପଢି ଘରକୁ ସେମିତି ଫେରିଯାଆନ୍ତି । ନିୟମ ଅନୁସାରେ ପିଲାଙ୍କ ପାଇଁ ସକାଳ ୯ଟା ସୁଦ୍ଧା ସ୍କୁଲ  ଖୋଲିବା କଥା । ହେଲେ ସେଥିରେ ଦେଖାଯାଇଛି ବ୍ୟତିକ୍ରମ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏଭଳି ସ୍ଥିତି ଦିନେ କି ଦୁଇ ଦିନର ନୁହେଁ, ବରଂ ପ୍ରତିଦିନ ସ୍କୁଲକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଡେରିରେ ଆସୁଛନ୍ତି । ଯେଉଁଥିପାଇଁ ପିଲାଙ୍କ ପାଠ ପଢାରେ ଅନେକ କ୍ଷତି ହେଉଛି । ଏହି ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଓ ଜଣେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ହେଲେ ଜଣେ ବି ଠିକ୍ ସମୟରେ ସ୍କୁଲ ଆସୁନାହାନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଟିଭି ଟିମ୍‌ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲାବେଳେ ୧୦ ଟା ୨୦ ମିନିଟ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଦେଇ ଓ ସହକାରୀ ଶିକ୍ଷକ ଅଶୋକ ସାମଲ ତରବର ହୋଇ ସ୍କୁଲରେ ପହଞ୍ଚିଥିଲେ । ଆଉ ସ୍କୁଲ ଗେଟ୍‌ ଓ ଶ୍ରେଣୀ ଗୃହ ଖୋଲିଥିଲେ । ଓଟିଭି କ୍ୟାମେରା ଦେଖି ଦୁହେଁ ହଡବଡେଇ ଯାଇଥିଲେ । ରାସ୍ତାରେ ଆସିବା ବେଳେ କାଦୁଅରେ ପଡିଯିବାରୁ ଟିକେ ଡେରି ହୋଇଗଲା ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସଫେଇ ଦେଇଥିଲେ । ଅନ୍ୟପଟେ ଦୁରବାଟରୁ ଆସୁଛି ସେଥିପାଇଁ ଟିକେ ଡେରି ହୋଇଗଲା ବୋଲି ସହକାରୀ ଶିକ୍ଷକ ସଫେଇ ଦେଇଥିଲେ ।

ସେପଟେ ଏନେଇ ବ୍ଲକ ଶିକ୍ଷାଆଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅସ୍ତରଙ୍ଗ ସିଡିପିଓ କହିଛନ୍ତି ।