• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ । ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ସିଟ୍ ୨୦ ପ୍ରତିଶତରେ ସୀମିତ ରଖିବା ନେଇ କୁଳାଧିପତିଙ୍କ ସଚିବାଳୟରୁ ନିର୍ଦ୍ଦେଶନାମା ଜାରି ପରେ ଘରୋଇ ଶିକ୍ଷାନୁଷ୍ଠାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ଅଭିଯୋଗ ଉଠିଛି । ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ସହ କୁଳପତିମାନେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣେ ନିଷ୍ପତ୍ତି ପରିବର୍ତ୍ତନ କରାନଗଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣାକୁ ଜୋରଦାର ବିରୋଧ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଯୋଗୁଁ ନିୟମିତ ପାଠ୍ୟକ୍ରମ ବାଧାପ୍ରାପ୍ତ ହେଉଥିବା ଦର୍ଶାଇ ଏହାକୁ ସମୁଦାୟ ବିଦ୍ୟାର୍ଥୀଙ୍କ ୨୦% ରେ ସୀମିତ ରହିବାକୁ କୁଳାଧିପତିଙ୍କ ସଚିବାଳୟରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ୨୦୨୨-୨୩ ଅର୍ଥାତ ଆଗାମୀ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ କୁହାଯାଇଛି ।

ଜୁନ ୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ଏହାର ସମୀକ୍ଷା କରି ଆବଶ୍ୟକ ନିଷ୍ପତି ନେବେ । ତେବେ ଏଭଳି ନିଷ୍ପତ୍ତିକୁ ନେଇ ଦେଖାଦେଇଛି ବିବାଦ । ସରକାରୀ ବିଶ୍ୱ ବିଦ୍ୟାଳୟର ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ଲଗାଇବା ଦ୍ୱାରା ଗରୀବ ମେଧାବୀ ଛାତ୍ରଛାତ୍ରୀ ପ୍ରଫେସନାଲ କୋର୍ସରୁ ବାଦ ପଡିବେ ବୋଲି ଯୁକ୍ତି ଉଠିଛି । ସେହିପରି ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ଲାଭ ପହଞ୍ଚାଇବା ଲାଗି ଏହା ମସୁଧା ବୋଲି ଅଭିଯୋଗ ଉଠିଛି । ଘରୋଇ ଶିକ୍ଷାନୁଷ୍ଠାନ ସହ ସରକାରଙ୍କ ମଧୁଚନ୍ଦ୍ରିକାର ଏହା ପ୍ରତିଫଳନ ବୋଲି କହିଛି ଛାତ୍ର କଂଗ୍ରେସ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଜୋରଦାର ପ୍ରତିବାଦ କରିବ ବୋଲି କହିଛି ସଂଗଠନ ।

 

କୁଳାଧିପତିଙ୍କ ସଚିବାଳୟରୁ ଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ସେଲ୍ଫ ଫାଇନାନସିଂ କୋର୍ସ ଦ୍ୱାରା ରେଗୁଲାର କୋର୍ସ ବାଧାପ୍ରାପ୍ତ ହେଉଛି । ଅଧ୍ୟାପକ-ଅଧ୍ୟାପିକା ଗୁଣାତ୍ମକ ଶିକ୍ଷାରୁ ଦୁରେଇ ଯାଉଛନ୍ତି । ତେବେ କିଛି କୁଳପତି ଏହାକୁ ସ୍ବାଗତ କରିଥିବା ବେଳେ ଆଉ କିଛି ଏଭଳି ନିଷ୍ପତ୍ତିକୁ ନେଇ ଖୋଲା ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦ୍ୟାଳୟରେ ଅନେକ ବିଷୟରେ ସେଲ୍ଫ ଫାଇନାନସିଂ କୋର୍ସ ରହୁଥିବାରୁ ଏହାକୁ ମୋଟ ଷ୍ଟ୍ରେଙ୍ଗଥର ୨୦ ପ୍ରତିଶତ ସୀମିତ ରଖିବା ସମ୍ଭବ ନୁହେଁ ।

ଶିକ୍ଷାର ବ୍ୟବସାୟୀକରଣ ବନ୍ଦ କରିବା ଲାଗି ସେଲ୍ଫ ଫାଇନାନ୍ସିଂ କୋର୍ସରେ ଅଙ୍କୁଶ କଥା କୁହାଯାଉଛି ହେଲେ, ଏସବୁ କୋର୍ସରେ କଟକଣା ଲାଗୁ ହେଲେ ଛାତ୍ରଛାତ୍ରୀ ଘରୋଇ ଶିକ୍ଷା ଅନୁଷ୍ଠାନ ମୁହାଁ ହେବାକୁ ବାଧ୍ୟ ହେବେ ବୋଲି ମତ ପ୍ରକାଶ ପାଇଛି । ତେଣୁ ଏଭଳି ତରବରିଆ ନିଷ୍ପତ୍ତିରେ ପୁନର୍ବିଚାର କରିବାକୁ ଦାବି ଉଠିଛି ।

ରିପୋର୍ଟର- ଜଗଦୀଶ ଦାସ