• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଢ ମାସ ପରିବର୍ତ୍ତେ ଏଥର ସ୍କୁଲ୍ ପିଲାଙ୍କୁ ମିଳିବ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି । ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ଦୁଇ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଓ ପାଠପଢ଼ା । ଏଥିରେ ସୁଧାର ଆଣିବା ଲାଗି ଖରା ଛୁଟିକୁ କମାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥିସହିତ ମେ ପହିଲାରୁ ସକାଳୁଆ ସ୍କୁଲ୍ ସମୟ ବି ବଦଳିବ । ସେପଟେ ନୂଆ ସହ ପୁରୁଣା ପାଠ ବି ପଢିବେ ପିଲା । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ କ୍ଲାସ୍ ପ୍ରମୋସନ ଦିଆଯିବ ।

ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ । ଖାଲି ସେତିକି ନୁହେଁ ନବମ ଓ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ବି ଲାଗୁ କରାଯିବ । ଶିକ୍ଷାର ମାନ ବଢାଇବା ସହ ପରୀକ୍ଷା ପଦ୍ଧତି ବଦଳାଇବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେପଟେ ଚଳିତ ବର୍ଷ ଦେଢ ମାସ ପରିବର୍ତ୍ତେ ମାତ୍ର ୧୧ ଦିନ ହେବ ଖରାଛୁଟି । ଜୁନ୍ ୬ରୁ ୧୬ ଯାଏ ଖରାଛୁଟି ହେବ । ଖରାକୁ ଦୃଷ୍ଟିରେ ରଖି ମେ ୧ରୁ ଜୁନ୍ ୫ଯାଏ ସକାଳ ୬ରୁ ୯ଟା ଯାଏ କ୍ଲାସ୍ ହେବ । ଅନ୍ୟପକ୍ଷରେ ନୂଆ କୋର୍ସ ସହ ପିଲାଙ୍କୁ ଦୁଇ ବର୍ଷର ପୁରୁଣା ପାଠ ବି ପଢାଯିବ । କାରଣ ଗତ ଦୁଇ ବର୍ଷ ହେବ ପିଲାଙ୍କ ପାଠପଢା କରୋନା ଲାଗି କ୍ଷତିଗ୍ରସ୍ତ ହୋଇଛନ୍ତି ।

ସେହିପରି ୨୦ ଏପ୍ରିଲ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ କ୍ଲାସ୍ ପ୍ରମୋସନ ଦିଆଯିବ । ୨୦ରୁ ୩୦ ଏପ୍ରିଲ ଭିତରେ ପ୍ରଥମରୁ ନବମ ପିଲାଙ୍କ ଲାଗି ଆଡମିଶନ ପ୍ରକ୍ରିୟା ଶେଷ ହେବ । ୧୦ ମେ’ ସୁଦ୍ଧା ନବମ ପିଲାଙ୍କ ପରୀକ୍ଷା କରାଯାଇ ଦଶମକୁ ଉନ୍ନୀତ କରାଯିବ ।

ଅନ୍ୟପଟେ କରୋନା ମିଟର ନିୟନ୍ତ୍ରଣକୁ ଆସିବା ପରେ ସିବିଏସ୍ଇ ଆସନ୍ତା ବର୍ଷ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, ମହାମାରୀ ପୂର୍ବ ବର୍ଷ ଗୁଡିକରେ ଯେଭଳି ହେଉଥିଲା ସେପରି କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ ବର୍ଷକୁ ଦୁଇଟି ଟର୍ମ ପରୀକ୍ଷା ବଦଳରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଯାହାକି ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଗଢିବାରେ ସହାୟକ ହେବ ।

ସେପଟେ ରାଜ୍ୟ ବୋର୍ଡ ବି ସମାନ ରାସ୍ତାରେ ଯାଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ମହାମାରୀର ପ୍ରଭାବ ନଥିବାରୁ ଆମେ ସେଦିଗରେ ଚିନ୍ତା କରୁଛୁ । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ସେପଟେ ଗୋଟିଏ ବୋର୍ଡ ପରୀକ୍ଷା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସିବିଏସ୍ଇ ସ୍କୁଲ୍ ଓ ଛାତ୍ରଛାତ୍ରୀ ।

ପିଲାଙ୍କୁ ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ବିଭାଗ ସ୍ୱତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିଛି । ଆବଶ୍ୟକ ସ୍ଥଳେ ଏହି କାର୍ଯ୍ୟକ୍ରମ ବର୍ଷ ତମାମ ଚାଲିବ । ପୁରୁଣା ପାଠ ପଢାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସଂସ୍ଥା ଚୟନ ପାଇଁ ଟେଣ୍ଡର ଡକାଯାଇଛି ।

ରିପୋର୍ଟର- ପ୍ରଭାତ ବିଷୋୟୀ, ଜଗଦୀଶ ଦାସ