• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟେବୁଲ ଉପରେ ଛିଡା ହୋଇଛନ୍ତି ଦୁଇ କୁନି ପିଲା । ଆଉ ଖଣ୍ଡିଏ ବହି ଧରି ଅନ୍ୟସାଥୀ ପିଲାଙ୍କୁ ପଢାଉଛନ୍ତି B For Ball, H For Horse ଆଉ G For Grape । ଖାଲି ଇଂରାଜୀ କାହିଁକି ବରଂ ଓଡ଼ିଆରେ ଅ, ଆ, ଇ , ଈ ବି ପିଲାଙ୍କୁ ଏମାନେ ପଢାଉଛନ୍ତି । ଏଭଳି ଦୃଶ୍ୟ ଦେଖିଲେ ଆପଣମାନେ ଭାବୁଥିବେ କି ପିଲାମାନେ କ୍ଲାସ୍‌ରେ ବସି ଟିଚର ଷ୍ଟୁଡେଣ୍ଟ ଖେଳ ଖେଳୁଛନ୍ତି ।

ବାସ୍ତବରେ ଏହା ଖେଳ ନୁହେଁ ବରଂ ସତସତିକା ନିଜେ ନିଜକୁ ପାଠ ପଢାଉଛନ୍ତି ସେହି ସ୍କୁଲ ପିଲା । ସ୍କୁଲରେ ୨୧୦ ପିଲାଙ୍କୁ ଯଦି ସରକାର ଜଣିଏ ଶିକ୍ଷକ ନିଯୁକ୍ତି କରିବେ ତେବେ ପିଲା ପାଠ ପଢିବେ ବା କେମିତି? ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା ପରେ କେମିତି ପ୍ରାର୍ଥନା ବୋଲୁଛନ୍ତି । ଆଉ ପ୍ରାର୍ଥନା ସରିବା ପରେ ନିଜ ଶ୍ରେଣୀରେ ଯାଇ ବସୁଛନ୍ତି । ହେଲେ ଜଣେ ମାତ୍ର ଶିକ୍ଷୟତ୍ରୀ ଥିବାରୁ କେବଳ ଗୋଟିଏ ଶ୍ରେଣୀରେ ହିଁ ପାଠ ପଢାଯାଉଛି । ଆଉ ଅନ୍ୟ ଶ୍ରେଣୀରେ ପିଲା ବସୁଛନ୍ତି । ଛାତ୍ରୀ ନିଜେ ହିଁ ଶିକ୍ଷକ ସାଜି ପିଲାଙ୍କୁ ପାଠ ପଢାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲର । ସ୍କୁଲରେ ପାଖାପାଖି ୨୦୬ ପିଲା । ହେଲେ ଶିକ୍ଷକ ମାତ୍ର ଜଣେ । ଏମିତି ସ୍ଥିତିରେ ପିଲା ପଢିବେ ବା କେମିତି ? ଏହି ସ୍କୁଲରେ ନିଯୁକ୍ତି ହୋଇଥିବା ଶିକ୍ଷୟିତ୍ରୀ ଗୋଟିଏ ଶ୍ରେଣୀରେ ପାଠ ପଢାଇଲେ ଅନ୍ୟ ପିଲା ବସି ରହୁଛନ୍ତି । କେବଳ ପିଲାଙ୍କୁ ପାଠ ପଢାଇବା ନୁହେଁ ବରଂ ଆଶ୍ରମର ବି ଦାୟିତ୍ୱ ଶିକ୍ଷୟିତ୍ରୀଙ୍କ ଉପରେ । ତେଣୁ ଏକା ସାଙ୍ଗରେ କେମିତି ଏତେ ପିଲାଙ୍କୁ ପାଠ ପଢାଯାଇପାରିବୂ ସେନେଇ କିଛି ବାଟ ବି ଦିଶୁନି ।

ଆଶ୍ରମ ସ୍କୁଲରେ ଶିକ୍ଷକ ମରୁଡିକୁ ନେଇ ସ୍ଥାନୀୟ ସରପଂଚ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ଲାଗି ସରପଞ୍ଚ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ଏତେ ସଂଖ୍ୟାକ ପିଲା ପାଠ ପଢୁଥିଲେ ମଧ୍ୟ ସରକାର କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି, ସେ କଥା ସେ ମଧ୍ୟ ଜାଣି ପାରୁନାହାନ୍ତି ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।

ପିଲାଙ୍କୁ ଉଚ୍ଚମାନର ଶିକ୍ଷା ସହ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ଡିଡିମ୍ବ ପିଟୁଛନ୍ତି । ହେଲେ ତାହାର ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ। ଏହି ସ୍କୁଲରେ ପିଲାଙ୍କ ଭବିଷ୍ୟତ କଣ ହେବ ତାହାର ଉତ୍ତର ବି ଦେବା ମୁସ୍‌କିଲ୍‌ ।

ରିପୋର୍ଟର- ଅଜିତ ନାୟକ