• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନ ମଜୁରିଆଙ୍କ ପୁଅକୁ କଠିନ ପରିଶ୍ରମର ଫଳ ମିଳିଛି । ଆଜି ସେ ଘର ପରିବାର ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସାତ ବର୍ଷ ବୟସରେ 'ପାଠରେ ଦୁର୍ବଳ' ଥିବା କହି ତାଙ୍କୁ ସ୍କୁଲରୁ ବାହାର କରିଦିଆଯାଇଥିଲା । ହେଲେ ସେ ହାରି ଯାଇନଥିଲେ । ଆଉ ତା’ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । ଦିନ ରାତି ପରିଶ୍ରମ କରୁଥିଲେ, ଆଉ ଏବେ ସେ ପ୍ରଥମ ପ୍ରୟାସରେ ମିଳିତ ପ୍ରବେଶିକା ପରୀକ୍ଷା (JEE) ର ପ୍ରଥମ ରାଉଣ୍ଡରେ ୯୯.୯୩ ପ୍ରତିଶତ ସ୍କୋର କରିଛନ୍ତି । ତେବେ ଦୀପକ ପ୍ରଜାପତିଙ୍କ ପୂରା କାହାଣୀ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ।

ଦୀପକଙ୍କ ପିତା ରାମ ଇକବାଲ ପ୍ରଜାପତି । ସେ ଜଣେ ୱେଲଡର ଭାବରେ କାମ କରନ୍ତି । ତେବେ ଏହି କାମ ତାଙ୍କର ସ୍ଥାୟୀ କାମ ନୁହେଁ । ରୋଜଗାର ପାଇଁ ତଥା ପରିବାର ଚଳାଇବା ପାଇଁ ପ୍ରତିଦିନ ତାଙ୍କୁ ଭିନ୍ନ ଭିନ୍ନ କାମ କରିବାକୁ ପଡ଼େ । ପିଲାଟି ଦିନରୁ ଅଭାବରେ ବଢ଼ିଛନ୍ତି ଦୀପକ । ଓଳିଏ ଖାଇ ଓଳିଏ ଉପାସ ରହି କଟିଛି ପିଲାଦିନ ।

ଦୀପକ ଯେତେବେଳେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ, ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାହାର କରିଦେଇଥିଲେ । ପାଠପଢ଼ାରେ ମନ ନାହିଁ କହି ସ୍କୁଲରୁ ତାଙ୍କୁ ବହିଷ୍କାର କରାଯାଇଥିଲା । କିନ୍ତୁ ଏଥିରେ ଦୀପକ ହାର ମାନିନଥିଲେ । ସେହି ଘଟଣା ତାଙ୍କ କୋମଳ ହୃଦୟକୁ ଆଘାତ ଦେଇଥିବା ବେଳେ ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ । ତା’ପର ଠାରୁ ଦୀପକ କ୍ରମାଗତ ଭାବରେ ଅଧ୍ୟୟନରେ ଉନ୍ନତି କଲେ ଏବଂ ଦଶମ ଶ୍ରେଣୀରେ ୯୬ ପ୍ରତିଶତ ମାର୍କ ରଖିଥିଲେ ।

ତା’ ପର ଠାରୁ ଆଉ ପଛକୁ ଫେରିନଥିଲେ ଦୀପକ । ଅନେକ ବାଧାବିଘ୍ନ ସତ୍ତ୍ୱେ ପାଠ ପଢ଼ା ଜାରି ରଖିଥିଲେ । ଆଉ ଏହାରି ଭିତରେ ଇଞ୍ଜିନିୟରିଂ ପାଠ ପଢ଼ିବା ପାଇଁ ମନ ବଳାଇଥିଲେ । ଦୀପକ ନିଜର ସ୍ୱପ୍ନ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ । ଟଙ୍କା ନଥିଲେ ସୁଦ୍ଧା ବାପାମା’ କଷ୍ଟକରି କଲେଜ ଫି ଯୋଗାଡ଼ କରୁଥିଲେ ।

ପାଠ ପଢ଼ାଇବା ପାଇଁ କୌଣସି ମତେ ଅର୍ଥ ଯୋଗାଡ଼ କରି ଦୀପକଙ୍କୁ ଇନ୍ଦୋର ପଠାଇଲେ । ଦୀପକ ମଧ୍ୟ ସେଠାରେ ଦିନରାତି ଏକ କରି ପାଠ ପଢ଼ା ଜାରି ରଖିଥିଲେ । ଦିନକୁ ପ୍ରାୟ ୧୩ରୁ ୧୪ ଘଣ୍ଟା ଅଧ୍ୟୟନ କରୁଥିଲେ । ତେବେ ପାଠ ପଢ଼ା ସମୟରେ ସୋସିଆଲ ମିଡିଆରୁ ପୂରା ଦୂରରେ ଥିବା ସେ କହିଛନ୍ତି । ଏତେ ପରିଶ୍ରମର ଫଳ ଆଜି ତାଙ୍କୁ ମିଳିଛି । ବାପାମା’ ତାଙ୍କର ଏହି ସଫଳତାରେ ବେଶ୍‌ ଖୁସି ।