• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୭ ତାରିଖରୁ ସ୍କୁଲ ଖୋଲିବ

  • ସମସ୍ତ ହାଇସ୍କୁଲ, କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବା ସହ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ

  • ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ ।

ରାଜ୍ୟରେ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ବଡ ଘୋଷଣା ।ଫେବ୍ରୁଆରୀ ୭ରୁ ଖୋଲିବ ସ୍କୁଲ । ୭ମରୁ ଉପରକୁ ସମସ୍ତ କ୍ଲାସରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବା ନେଇ ସୂଚନା । ତାସହ ଆସନ୍ତା ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିବା ସହ ପିଲାଙ୍କ ପାଇଁ ପାଠପଢ଼ାର ତିନିଟି ବିକଳ୍ପ ରହିବ ବୋଲି ସୂଚନା ଦେଇଛନ୍ତି । ସେହିଭଳି କେଜିରୁ ନବମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କର କ୍ଲାସ୍ ପ୍ରମୋଶନ ପରୀକ୍ଷା କରାଯିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ବୋର୍ଡଗୁଡ଼ିକ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

କରୋନାର ତୃତୀୟ ଲହର ଥମିବା ପରେ ଆଶ୍ୱସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ, ଆରମ୍ଭ ହେବ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀରେ ଅଫଲାଇନ୍ କ୍ଲାସ୍ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ କରାଯିବ ବୋଲି ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଅର୍ଥାତ ରାଜ୍ୟର ସମସ୍ତ ହାଇସ୍କୁଲ, କଲେଜ, ୟୁନିଭର୍ସିଟି, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବା ସହ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ ବୋଲି ଗ୍ରୀନ୍ ସିଗନାଲ ଦେଇଛନ୍ତି ରାଜ୍ୟ ସରକାର ।

 

ଏପଟେ ଫେବ୍ରୁଆରୀ ୧୪ରୁ ଖୋଲିବାକୁ ଯାଉଛି ପ୍ରଥମରୁ ସପ୍ତମ ଶ୍ରେଣୀ । କୋରନା ମାହାମାରୀ ପରଠୁ ଆଦୌ ସ୍କୁଲ ଯାଇନଥିବା ପ୍ରାଥମିକ ଶିକ୍ଷା ପିଲା ବି ପ୍ରାୟ ୨ ବର୍ଷର ଲମ୍ବା ଅବଧି ପରେ ଅନଲାଇନ୍ ପାଠପଢ଼ା ଛାଡ଼ି ଶ୍ରେଣୀଗୃହ ପାଠପଢ଼ା ପାଇଁ ବିଦ୍ୟାଳୟକୁ ଯିବେ । ତେବେ ଚଳିତ ଶିକ୍ଷାବର୍ଷରେ ପିଲାଙ୍କ ପାଇଁ ଅଫଲାଇନ୍, ଅନଲାଇନ୍ ଓ ହାଇବ୍ରିଡ୍ ଭଳି ତିନିଟି ଯାକ ବିକଳ୍ପରେ ପାଠପଢ଼ା ଉପଲବ୍ଧ ହେବାକୁ ଯାଉଥିବା ବେଳେ ପିଲାମାନେ ନିଜ ନିଜ ଇଚ୍ଛା ଅନୁସାରେ ବିକଳ୍ପ ଚୟନ କରିପାରିବେ ।

ସେହିଭଳି କେଜିରୁ ନବମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କର କ୍ଲାସ୍ ପ୍ରମୋଶନ ପରୀକ୍ଷା କରାଯିବ ଏବଂ ଏହିସବୁ ଶ୍ରେଣୀର ମୂଲ୍ୟାୟନ କ୍ଲାସରୁମ୍ ଆସେସମେଣ୍ଟ ମାର୍କ ଅନୁସାରେ ନିଆଯିବ । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ସଂପୃକ୍ତ ବୋର୍ଡଗୁଡ଼ିକ ନିଷ୍ପତ୍ତି ନେବେ ।

ଦେଶରେ କୋରନାର ତୃତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ୟା ଭିତରେ ଦେଶର୧୧ଟି ରାଜ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ତେଣୁ ଆମ ରାଜ୍ୟରେ ସ୍କୁଲ କେବ ଖୋଲିବ ଓ ପିଲାଙ୍କ ପାଠପଢ଼ା କେବେ ସ୍ୱାଭାବିକ ହେବ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ତେବେ ଆଜି ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ପରେ ବିଭିନ୍ନ ମହଲରେ ପ୍ରକାଶ ପାଇଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା ।

ଦେଶରେ ଓମିକ୍ରନର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନଥିବାରୁ କରୋନା କାଳରେ ସ୍କୁଲ ଖୋଲିଲେ ସ୍କୁଲ କର୍ତ୍ତୃପକ୍ଷ କିଭଳି ନିୟମ ମାନିବେ, ସେ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଅନୁସାରେ ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ, ତାହା ରାଜ୍ୟ ସରକାର ସ୍ଥିର କରିବେ । ତେବେ କଣ ରହିଛି ନୂଆ ଗାଇଡଲାଇନ୍ ଜାଣନ୍ତୁ..

  • ସାମାଜିକ ଦୂରତ୍ୱ ସ୍ଥାନରେ ଶାରୀରିକ ଦୂରତ୍ୱ ଶବ୍ଦ ବ୍ୟବହାର କରାଯିବ ।
  • ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ ।
  • ସ୍କୁଲରେ କ୍ରୀଡ଼ା ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସ୍ଥିର କରିବ ।
  • ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।
  • କଣ୍ଟେନମେଣ୍ଟ ଜୋନରେ ରହୁଥିବା ସ୍କୁଲ ବସ୍ ଡ୍ରାଇଭରଙ୍କୁ ଆସିବାକୁ ବାରଣ କରାଯାଇଛି ।