Advertisment

ପଦାରେ ପଡ଼ିଲା 5T ସ୍କୁଲ୍‌ର ଅସଲ ଚେହେରା; ୩୫ ପିଲାଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା!

ସ୍କୁଲରେ ପିଲା ନାହାଁନ୍ତି, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ହେଉଛି । ଆଉ ନୂଆ ରୂପ ପାଉ ପାଉ କମ୍ ଉପସ୍ଥାନ ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଛି । ସରକାରୀ ତହବିଲରୁ ଏମିତି ଚାଲିଛି ଅର୍ଥ ଶ୍ରାଦ୍ଧ ।

author-image
Manoranjan Behera
ଅଦ୍ୟତନ ହୋଇଛି
5T School

5T School

ଫାଇଭ ଟି(5T) ସ୍କୁଲ୍। ହେଲେ ପିଲା ସଂଖ୍ୟା ୩୫। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ରୂପାନ୍ତରିତ କାମ ସରିବା ପରେ ସ୍କୁଲରେ ପଢାଯିବ କ’ଣ ତାକୁ ପୂରା ବନ୍ଦ କରିଦିଆଯାଇଛି। ଖୋଦ ରାଜଧାନୀରେ ଏଭଳି ଅବସ୍ଥା। ଉପାନ୍ତରେ ତ ଅବସ୍ଥା ଆହୁରି ସାଂଘାତିକ। ତେବେ କମ୍ ଉପସ୍ଥାନ ଥିବା ସ୍କୁଲକୁ କିପରି ଓ କାହା ସ୍ୱାର୍ଥରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ୍ ଟି ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଗଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ବିଭାଗ ଏନେଇ ଅବଗତ ଅଛି। ଆଗକୁ ମଧ୍ୟ କମ୍ ଉପସ୍ଥାନ ଥିବା ସ୍କୁଲରେ ତାଲା ପଡିବ।

Advertisment

ସ୍କୁଲରେ ପିଲା ନାହାଁନ୍ତି, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ହେଉଛି । ଆଉ ନୂଆ ରୂପ ପାଉ ପାଉ କମ୍ ଉପସ୍ଥାନ ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଛି । ସରକାରୀ ତହବିଲରୁ ଏମିତି ଚାଲିଛି ଅର୍ଥ ଶ୍ରାଦ୍ଧ । ରାଜଧାନୀର ଛାତି ଉପରେ ଥିବା ୟୁନିଟ ଟୁ ସରକାରୀ ହାଇସ୍କୁଲ୍‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢା ହୁଏ। ଫାଇଭ୍ ଟି ରୂପାନ୍ତରୀକରଣରେ ପାଖାପାଖି ୪୫ ଲକ୍ଷ ଟଙ୍କାର କାମ ପ୍ରାୟ ଶେଷ ହୋଇଛି।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଏମିତି କାମ କରୁଛି 5T, ଛାତ୍ରଛାତ୍ରୀ ଦେଉନାହାନ୍ତି ମାଟ୍ରିକ୍ ପରୀକ୍ଷା

Advertisment

କ୍ଲାସ୍ ରୁମ୍ ଠାରୁ ଆରମ୍ଭ କରି ସ୍କୁଲ୍ ହତା ଯାଏ ସବୁ ଚକା ଚକ୍ । ହେଲେ ଆଶ୍ଚର୍ଯ୍ୟର କଥା ଏ ସ୍କୁଲରେ ପିଲାଏ ଆଉ ପାଠ ପଢି ପାରିବେନି । କାରଣ ଦଶମ ଶ୍ରେଣୀର ୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପରେ ଏବେ ଷଷ୍ଠରୁ ନବମ ଯାଏ ପିଲା ଅଛନ୍ତି ମାତ୍ର ୩୫ ଜଣ । ଯେଉଁଥିପାଇଁ ଗଣଶିକ୍ଷା ବିଭାଗ ଏବେ ଏହି ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛି । ଏଠି ଏବେ ପ୍ରଶ୍ନ ଉଠୁଛି, ଏତେଦିନ ଧରି କମ୍ ସଂଖ୍ୟକ ଛାତ୍ରଛାତ୍ରୀରେ କେମିତି ଚାଲୁଥିଲା ଏ ସ୍କୁଲ୍ ? ଫାଇଭ ଟି ସ୍କୁଲରେ ଏହାକୁ କିପରି ଓ କାହା ସ୍ୱାର୍ଥରେ ସାମିଲ କରାଗଲା? ଏ ନେଇ ସ୍କୁଲ୍ କର୍ତ୍ତୃପକ୍ଷ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ ।

ନବରଙ୍ଗପୁର ଜିଲ୍ଲାରେ ବି ସମାନ ଘଟଣା । ଯେଉଁଠି ପିଲା ଅଧିକ, କୌଣସି ମୌଳିକ ସୁବିଧା ନାହିଁ , ତାକୁ ଫାଇଭ୍ ଟି ଛୁଇଁନି । ହେଲେ ଯେଉଁଠି ପିଲା କମ୍ ତା’ର ଚାଲିଛି ରୂପାନ୍ତରୀକରଣ । ନବରଙ୍ଗପୁର ସରକାରୀ ପୌର ହାଇସ୍କୁଲରେ ନବମ ଓ ଦଶମରେ ପିଲା ସଂଖ୍ୟା ହେଉଛି ମାତ୍ର ୪୮। କିନ୍ତୁ ଏଠି ଚାଲିଛି 5T ରୂପାନ୍ତରୀକରଣ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ସରକାରୀ ଉନ୍ନୀତ ହାଇସ୍କୁଲରେ ନବମ ଓ ଦଶମରେ ୧୪୯ ଛାତ୍ରଛାତ୍ରୀ । ହେଲେ ୟାକୁ କିନ୍ତୁ ଫାଇଭ-ଟିର ସୌଭାଗ୍ୟ ନାହିଁ।

ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଫାଇଭ ଟି ରୂପାନ୍ତରୀକରଣ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩୪୬୧ ଓ ତୃତୀୟ ପର୍ଯ୍ୟାୟରେ ୨ ହଜାର ୩୩୬ଟି ସ୍କୁଲକୁ ସାମିଲ୍ କରାଯାଇଛି । ତେବେ ରୂପାନ୍ତରିତ ସ୍କୁଲ୍ ଚିହ୍ନଟ କିଭଳି ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏଭଳି କିଛି ସ୍କୁଲ୍ ସମ୍ପର୍କରେ ଅବଗତ ବିଭାଗ ଅଛି । ଆଗମୀ ଦିନରେ ବି କମ୍ ଉପସ୍ଥାନ ଥିବା ସ୍କୁଲ୍ ବନ୍ଦ କରାଯିବ । କିନ୍ତୁ ବନ୍ଦ ହେଉଥିବା ସ୍କୁଲ୍ କି କାର୍ଯ୍ୟରେ ଲାଗିବ ତାକୁ ନେଇ କିଛି ସ୍ପଷ୍ଟ କରିନାହାଁନ୍ତି ।

5T School
Advertisment
Advertisment