• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାଲି ଠାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଛି । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

ମୁଣ୍ତଫଟା ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳୁଆ ସ୍କୁଲ ହେବା ନେଇ ଚର୍ଚ୍ଚା ବଢୁଥିବା ବେଳେ ସରକାର ଆଗାମୀ ୫ ଦିନ ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି । ଜାପାନ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିବାରୁ ଏହି ଘୋଷଣା କରାଯାଇଛି ।

ମାଡ଼ି ଆସୁଛି ମୁଣ୍ଡ ଫଟା ଖରା । ୧୩ରୁ ୧୫ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କଲାଣି ପାଣିପାଗ ବିଭାଗ । ଏମିତିକି ୧୫ ତାରିଖରେ ଝାରସୁଗୁଡ଼ା ରେ ପାରଦ ୪୪ ଡିଗ୍ରୀ ଡେଇଁବା ଅନୁମାନ କରିଛି । ଏଣେ ରାଜଧାନୀ ସମେତ ୯ଟି ସ୍ଥାନରେ ଆଜି ତାତି ୪୦ ଡିଗ୍ରୀ ଉପରକୁ ଯାଇଛି । ହେଲେ ବାରିପଦା ଓ ଝାରସୁଗୁଡ଼ାରେ ତାପମାତ୍ରା ୪୧ ଡିଗ୍ରୀ ଟପିଯାଇଛି । ଏଣେ ଏସବୁ ଭିତରେ ଏବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ନେଇ ଆଗୁଆ ଆକଳନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ, IMD।

ଏଣେ ପାଣିପାଗ ବିଭାଗ ଚେତାବନୀ ଦେଲାଣି ଯେ, ଆସନ୍ତା ୪ଦିନ ଆକାଶରୁ ନିଆଁ ଝୁଲ ଖସିବ । ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିଯିବ । ଅର୍ଥାତ୍ ତାପମାତ୍ରା ୪୪ ଡିଗ୍ରୀ ଡେଇଁପାରେ । ୧୩ରୁ ୧୫ ଯାଏଁ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ୧୩ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ୧୪ରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରକୁ ବି ସମାନ ୱାର୍ଣ୍ଣିଂ ଦିଆଯାଇଛି । ୧୫ରେ ଝାରସୁଗୁଡ଼ାର ତାପମାତ୍ରା ୪୪ଡିଗ୍ରୀ ଛୁଇଁବା ପୂର୍ବାନୁମାନ କରାଯାଇଥିବାବେଳେ ସୁନ୍ଦରଗଡ଼, ବାରିପଦା, ବୌଦ୍ଦ ଓ ବଲାଙ୍ଗିରରେ ୪୩ ଓ ଅନୁଗୁଳ, ସମ୍ବଲପୁର, ଭବାନୀପାଟଣାରେ ୪୨ ଏବଂ ଭୁବନେଶ୍ୱର, କଟକ, ଭଦ୍ରକ ଓ କେନ୍ଦୁଝରରେ ତାତି ୪୧ ଡିଗ୍ରୀ ପାର୍ କରିପାରେ । ଦିନ ୧୧ଟାରୁ ୩ଟା ଯାଏଁ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।