• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗୋଟିକ ପରେ ଗୋଟିଏ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଲେ ରାଜ୍ୟ ସରକାର । ହେଲେ ନିଯୁକ୍ତ କଲେନି ଅଧ୍ୟାପକ । ବର୍ଷ ବର୍ଷ ଧରି ପାଠପଢା ବାଧାପ୍ରାପ୍ତ ହେବା ପରେ ଏବେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଠିକା ନିଯୁକ୍ତି ଦେଇ କାମ ଚଳାଇବାକୁ ନିଆଯାଇଛି ନିଷ୍ପତ୍ତି । ଏହାକୁ ବିରୋଧ କରିଛି ରାଜ୍ୟ ଅଧ୍ୟାପକ ସଂଘ। ସରକାରଙ୍କ ପାଖରେ ଯଦି ସ୍ଥାୟୀ ନିଯୁକ୍ତି ପାଇଁ ପଇସା ନାହିଁ, ତେବେ ବିଶ୍ୱବିଦ୍ୟାଳୟ ଗୁଡିକୁ ବନ୍ଦ କରିଦିଅନ୍ତୁ ବୋଲି ସଂଘ କହିଛି ।

ପ୍ରଥମେ କଲେଜ,ଏବେ ୟୁନିଭର୍ସିଟି । ବିଶ୍ୱ ବିଦ୍ୟାଳୟରେ ବି ପାଠ ପଢାଇବେ ଅବସରପ୍ରାପ୍ତ ଅଧ୍ୟାପକ । ରାଜ୍ୟ ଉଚ୍ଚଶିକ୍ଷାର ବିଚିତ୍ର ସ୍ଥିତି । ଏକାଧିକ କଲେଜ୍‌ଗୁ କାଗଜ କଲମରେ ୟୁନିଭର୍ସିଟି ଘୋଷଣା କରିଦେଲେ ରାଜ୍ୟ ସରକାର । ହେଲେ ଭିତ୍ତିଭୂମି ନିର୍ମାଣ କଲେନି କି ଅଧ୍ୟାପକ ନିଯୁକ୍ତି ଦେଲେନି । ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତରେ ଲଗାଇଛି ପ୍ରଶ୍ନ ଚିହ୍ନ । ତେବେ ବହୁ ଦିନ ଧରି ପାଠପଢା ବ୍ୟାହତ ହେବା ପରେ ହଠାତ୍ ଉଚ୍ଚଶିକ୍ଷା ବିଭାଗର ନିଦ ଭାଙ୍ଗିଛି ।

ଅବସରପ୍ରାପ୍ତ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଠିକା ନିଯୁକ୍ତି ଦେବାକୁ ବିଶ୍ୱବିଦ୍ୟାଳୟଗୁଡିକୁ ଚିଠି ଲେଖିଛି । ଉତ୍କଳ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମଧୁସୁଦନ ଆଇନ୍ ବିଶ୍ୱବିଦ୍ୟାଳୟ ଏବଂ ଓଡିଆ ବିଶ୍ୱବିଦ୍ୟାଳୟକୁ ଛାଡ଼ି ବାକି ୧୩ ଟି ଯୁନିଭର୍ସିଟିରେ ଠିକା ନିଯୁକ୍ତି ଦେଇ ପାଠ ପଢାଇବାକୁ କୁହାଯାଇଛି । ଗତ କିଛି ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଘୋଷଣା କରିଥିବା ବିଶ୍ୱବିଦ୍ୟାଳୟଗୁଡିକରେ ୧୧ ଶହ ୯୨ ପଦବୀ ଖାଲି ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି ଜୟପୁର ବିକ୍ରମଦେବ ଓ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ଘୋଷଣା ପରଠାରୁ ଜଣେ ହେଲେ ବି ନୂଆ ଅଧ୍ୟାପକ ନିଯୁକ୍ତ ହୋଇନାହାନ୍ତି ।

ଗେଷ୍ଟ ଫାକଲ୍ଟି ଓ ଅବସରପ୍ରାପ୍ତ ଅଧ୍ୟାପକଙ୍କ ପୁନଃ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ଅଧ୍ୟାପକ ସଂଘ । ଏହାଦ୍ୱାରା ପାଠପଢା ନିୟମିତ ଓ ଠିକରେ ହୋଇପାରିବ କି ବୋଲି ସଂଘ ପ୍ରଶ୍ନ କରିଛି । ଯଦି ସରକାର ସ୍ଥାୟୀ ନିଯୁକ୍ତି ଦେବାରେ ବିଫଳ, ତେବେ ବିଶ୍ୱବିଦ୍ୟାଳୟଗୁଡିକୁ ବନ୍ଦ କରିଦେବା ଉଚିତ ବୋଲି ଅଧ୍ୟାପକ ସଂଘ କହିଛି । ତେବେ ଉଚ୍ଚଶିକ୍ଷା ବିଭାଗ ସୁପ୍ରିମକୋର୍ଟଙ୍କ ରହିତାଦେଶ ଆଳ ଦେଖାଇବା ସହ ପିଲାଙ୍କ ପାଠପଢା ଯେଭଳି ବ୍ୟାହତ ନହେବ ସେଥିଲାଗି କଣ୍ଟ୍ରାକଚୁଆଲ ନିଯୁକ୍ତି ଲାଗି ନିଷ୍ପତ୍ତି ହୋଇଥିବା ଯୁକ୍ତି ଦର୍ଶାଇଛି ।

ୟୁଜିସି ଗାଇଡଲାଇନ୍ସ ବାହାରେ ରାଜ୍ୟ ସରକାର ଅଧ୍ୟାପକ ନିଯୁକ୍ତି ଦେଉଥିବାରୁ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି । ତେବେ ଏହାର କିଭଳି ସମାଧାନ ହେବ ସେଦିଗରେ ପ୍ରାୟସ ନକରି ରାଜ୍ୟ ସରକାର କାମଚଳା ନୀତି ଗ୍ରହଣ କରିବା, ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଥିବା ମତ ପ୍ରକାଶ ପାଉଛି ।

  • Reported by:
  • BIBARTAN PANDA