• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତଳେ ବସି ପାଠ ପଢିବା ଘଟଣାକୁ ନେଇ ତେଜିଲା ବିବାଦ । ଘଟଣାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଳରୁ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଥିବାର ଦେଖିବାକୁ ମିଳିଛି । ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।

ଓଡ଼ିଶାର ପରିଚୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ଏଭଳି ଘଟଣା ଆଦୌ ଶୋଭନୀୟ ନୁହେଁ । ବିଶ୍ୱବିଦ୍ୟାଳୟରେ ଶିକ୍ଷାର ଉନ୍ନତି ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାକୁ ବି ଉନ୍ନତି କରିବା ଜରୁରୀ ବୋଲି ଛାତ୍ରଛାତ୍ରୀ ପକ୍ଷରୁ କୁହାଯାଇଛି । ସେପଟେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡଃ ଭକ୍ତ ଚରଣ ପ୍ରଧାନ ।

 

ସମନ୍ୱୟ ଅଭାବ ପାଇଁ ଏପରି ଘଟଣା ଘଟିଥିବାର କୁହାଯାଉଛି । ରୁରାଲ୍ ଡେଭେଲପମେଣ୍ଟ(Rural Developement) ବିଭାଗୀୟ ମୁଖ୍ୟ ଏବାବଦରେ କିଛି ଜଣାଇନଥିଲେ । ଟେବୁଲ ଚେୟାର ଛାତ୍ରଛାତ୍ରୀଙ୍କ ପାଇଁ ଥିଲେ ମଧ୍ୟ ତାହା ଭାଙ୍ଗି ଯାଇଥିବାରୁ ଫଳରେ ତଳେ ବସି ପାଠ ପଢାଯାଇଥିଲା । ନୂଆ ଟେବୁଲ ଚେୟାର ପାଇଁ ଅର୍ଡର ଦିଆଯାଇଛି ଏବଂ ଏହା ଆସିଲେ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଯିବ ବୋଲି ରେଜିଷ୍ଟ୍ରାର କହିଛନ୍ତି । ବିଶ୍ୱବିଦ୍ୟାଳୟର ରୁରାଲ୍ ଡେଭେଲପମେଣ୍ଟ ବିଭାଗରେ ଛାତ୍ରଛାତ୍ରୀ ତଳେ ବସି କ୍ଲାସ୍ କରୁଥିବାର ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଛି । ତେବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।