• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡାକ୍ତର ହେବେ ଚା’ ଦୋକାନୀଙ୍କ ପୁଅ । ଫୁଲବାଣୀ ମେଡିକାଲ ଛକରେ ଚା’ ଦୋକାନ କରିଥିବା ହରିଶଙ୍କର ବେହେରାଙ୍କ ପୁଅ ସୁରଜ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ନିଟ୍ ପରୀକ୍ଷାରେ ସୂରଜ ୭୨୦ ମାର୍କରୁ ୬୩୫ ମାର୍କ ରଖି ଅଲ୍ ଇଣ୍ଡିଆ ରାଙ୍କ ୮୦୬୫ରେ ରହିଛନ୍ତି, ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ସୁରଜ ପିଲା ବେଳୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ ଫୁଲବାଣୀ ସ୍ଥିତ ସରକାରୀ ଏ.ଜେ.ଓ ହାଇସ୍କୁଲରେ ପାଠପଢି ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ତାପରେ ଫୁଲବାଣୀ ସ୍ଥିତ ସରକାରୀ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ । ସେଠାରେ ୮୦ ପ୍ରତିଶତ ମାର୍କ ରଖି ପାସ୍ କରିବା ପରେ ବର୍ତ୍ତମାନ ସେ B.SC କରୁଛନ୍ତି । ବିନା କୋଚିଂରେ ସେ ଗତବର୍ଷ ମଧ୍ୟ NEET ପରୀକ୍ଷା ଦେଇଥିଲେ, କିନ୍ତୁ ଭଲ ମାର୍କ ରଖିପାରିନଥିଲେ । ତେବେ ଚଳିତ ଥର କଠିନ ପରିଶ୍ରମ କରି NEET ପରୀକ୍ଷା ଦେଇଥିଲେ । ଆଉ ତାଙ୍କ ପରିଶ୍ରମର ଫଳ ଏବେ ମିଳିଛି । ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବା ପାଇଁ ତାଙ୍କର ସ୍ଵପ୍ନ ରହିଛି ।

ସବୁଠାରୁ ବଡ଼ କଥା ହେଲା ସୁରଜଙ୍କ ବାପା ଖୁବ୍ ଗରିବ । ତାଙ୍କର ନିଜସ୍ଵ ଘର କିମ୍ବା ଜାଗାବାଡି କିଛି ମଧ୍ୟ ନାହିଁ । ଭଡ଼ାଘରେ ରହି ପୂରା ପରିବାର ଚଳୁଛି । ସୁରଜଙ୍କ ବାପା ଚା’ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ସ୍ୱଳ୍ପ ରୋଜଗାରରେ ୩ ପୁଅ ପାଠ ପଢ଼ୁଛନ୍ତି । ସୁରଜ ହେଉଛନ୍ତି ତାଙ୍କର ମଝିଆ ପୁଅ ।

ତେବେ ମେଡ଼ିକାଲ ଛକରେ ଦୋକାନ କରି କେତେ ଡାକ୍ତର ଏବଂ କେତେ ରୋଗୀଙ୍କୁ ଚା’ ପିଆଉଥିବା ହରିଶଙ୍କରଙ୍କ ମଧ୍ୟ ବଡ଼ ଆଶା ଥିଲା । ପୁଅକୁ ଡାକ୍ତର କରିବା ପାଇଁ ସ୍ୱପ୍ନ ଦେଖୁଥିଲା । ଆଉ ତାଙ୍କର ସେହି ଇଚ୍ଛା ବର୍ତ୍ତମାନ ପୂରଣ ହେବାକୁ ଯାଉଛି । ତେଣୁ ସେ ବହୁତ ଖୁସିଥିବା କହିଛନ୍ତି ।

ତ୍ରିନାଥ ସାହୁ,ଫୁଲବାଣୀ(କନ୍ଧମାଳ)