• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍କୁଲ୍ ଖୋଲିବ ହେଲେ ଚିନ୍ତାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ବେଶୀ ଦିନ ନାହିଁ କିନ୍ତୁ ଏଯାଏଁ ଘୋଷଣା ହୋଇନି ପରୀକ୍ଷାର ତାରିଖ । ପ୍ରସ୍ତୁତି କେମିତି କରିବେ ଓ କେବେ ହେବ ପରୀକ୍ଷା ଏପ୍ରଶ୍ନ ଏବେ ପିଲାଙ୍କ ମନରେ ଉଙ୍କି ମାରୁଛି । ସେପଟେ ଶିକ୍ଷାବିତଙ୍କ ମତ ହେଲା ପରୀକ୍ଷା ତାରିଖ ଶୀଘ୍ର ଘୋଷଣା କରି ପିଲାଙ୍କ ଶଙ୍କା ଦୂର କରୁ ବୋର୍ଡ ।

କେବେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । କ୍ୟାରିୟରକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ । ସରକାର ଆସନ୍ତା ୭ ତାରିଖରୁ ସ୍କୁଲ୍, କଲେଜ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ଯେତିକି ଆଶ୍ୱାସନା ଦେଇଛି ତାଠାରୁ ବେଶୀ ଚିନ୍ତା ବଢାଇଲାଣି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର । ଦୀର୍ଘଦିନ ଧରି ସ୍କୁଲ୍ ବନ୍ଦ ରହିଥିବାରୁ ଅନ୍‌ଲାଇନ୍‌ରେ ପାଠପଢା ଚାଲିଥିଲା । ମାତ୍ର ନେଟ୍ଓ୍ୱର୍କ ନଥିବା ଉପାନ୍ତ ଅଞ୍ଚଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଏ ପାଠରୁ ଦୂରେଇ ରହିଛନ୍ତି, କୋର୍ସ ବି ଶେଷ ହୋଇନି ।

 

ଏଭଳି ସ୍ଥିତିରେ ପରୀକ୍ଷା କେମିତି ଓ କେବେ ହେବ ତାକୁ ନେଇ ଚିନ୍ତା ବଢୁଛି ପିଲାଙ୍କ ଭିତରେ । ସ୍କୁଲ୍ ଖୋଲିଲେ ପୁରା କୋର୍ସ ସାରିବାକୁ ସମୟ ନିଆଯିବ ନା ଯେତିକି ପାଠପଢା ହୋଇଛି ସେତିକିରେ ପରୀକ୍ଷା ହେବ ସେନେଇ ଦ୍ୱନ୍ଦ୍ୱ ଉପୁଜିଲାଣି ।

ଦଶମର ସମେଟିଭ ଆସେସମେଣ୍ଟ ଟୁ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନ୍ ମୋଡରେ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣତଃ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇଥାଏ । ପରୀକ୍ଷା ଘୁଞ୍ଚିବ ନା ନାହିଁ ସ୍ପଷ୍ଟ ହୋଇନଥିବାରୁ, ପିଲାଙ୍କ ଭିତରେ ଆଶଙ୍କା ଦେଖାଦେବା ସ୍ୱାଭାବିକ ।

ସେପଟେ ପରୀକ୍ଷା ଘୁଞ୍ଚିଲେ ନିଟ୍, ଜେଇଇ ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ପିଲା ପଛରେ ପଡିଯିବେନି ତ? ସେ ପ୍ରଶ୍ନ ବି ଉଙ୍କି ମାରୁଛି ଶିକ୍ଷାବିତଙ୍କ ମତରେ । ଖୁବ ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯାଇ ପିଲାଙ୍କ ସନ୍ଦେହ ଦୂର କରାଯାଉ, ଯାହାଫଳରେ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କହିବା କଥା ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଏନେଇ ବିଧିବଦ୍ଧ ଗାଇଡଲାଇନ୍ ପ୍ରସ୍ତୁତ କରିବେ, ସେଥିପାଇଁ ପିଲାଏ ପ୍ରସ୍ତୁତ ରୁହନ୍ତୁ ।

ପ୍ରାଥମିକ ଶ୍ରେଣୀ ପିଲାଙ୍କ କ୍ଲାସ୍ ପ୍ରମୋସନ ପରୀକ୍ଷା କରାଯିବ, କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କ୍ୟାରିୟର ଦୁଇଟି ବଡ ସୋପାନ ହୋଇଥିବାରୁ ପିଲାଙ୍କ ଭିତରେ ପରୀକ୍ଷାକୁ ନେଇ ଅଧିକ ଟେନସନ । ଏଦିଗରେ ମାଧ୍ୟମିକ ଶିକ୍ଷା ପରିଷଦ ଓ ସିଏଚ୍ଏସ୍ଇ କେବେ ସୁଦ୍ଧା ପଦକ୍ଷେପ ନେଉଛି ତାଉପରେ ନଜର ରହିଛି ।