• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡିଶାର ସର୍ବ ପୂରାତନ ସ୍ୱତନ୍ତ୍ର ଲାଇବ୍ରେରି ସାଇନ୍ସ କଲେଜ ପଣ୍ଡିତ ନୀଳକଣ୍ଠ କଲେଜ ଅଫ ଲାଇବ୍ରେରି ଏଣ୍ଡ ଇନଫରମେସନ ସାଇନ୍ସ । ରାଜଧାନୀର ଛାତି ଉପରେ ଛିଡ଼ା ହୋଇଛି ଏହି ୪୩ ବର୍ଷର କଲେଜ । ହେଲେ ସରକାରଙ୍କ ଅବହେଳା ପାଇଁ ଏବେ ଏକ ପ୍ରକାର ଜରାଜୀର୍ଣ୍ଣ ଅବସ୍ଥାରେ । ଏମିତି ନାହିଁ ଯେ, ଏଠି ପଢିବାକୁ ପିଲା ନାହାନ୍ତି । ବରଂ ଦିନକୁ ଦିନ ଏଠି ସିଟ୍‌ ଅଧିକ ହେଉଛି । ନାଁକୁ ଲାଇବ୍ରେରି ସାଇନ୍ସ କଲେଜ, ହେଲେ ଲାଇବ୍ରେରି ଗୋଟେ ନାହିଁ । ଏମିତି ସ୍ଥିତିରେ କଲେଜକୁ ସରକାର ନିଜ ଅଧୀନକୁ ନେବାକୁ ଦାବି ହେଲାଣି ।

କ୍ଲାସରୁମ ଭିତରେ ପାଠ ପଢନ୍ତି ପ୍ରାୟ ୫୦ରୁ ୬୦ ଛାତ୍ରଛାତ୍ରୀ । ପାଠ ପଢା ତ ହୁଏ । ହେଲେ ଆପଣ ଯଦି ଟିକେ ଛାତ ଆଡକୁ ଦେଖିବେ । ତେବେ ଜାଣିବେ କେଉଁଠି ପ୍ଲାଷ୍ଟର ଖସିଛି, କେଉଁଠି ଫ୍ୟାନ ଅଚଳ । ଉଇ ଲାଗି କବାଟ ବି କଣା ହୋଇଗଲାଣି । ରାଜଧାନୀ ଛାତି ଉପରେ ଥିବା ପଣ୍ଡିତ ନୀଳକଣ୍ଟ କଲେଜ ଅଫ ଲାଇବ୍ରେରି ସାଇନ୍ସର ଏଭଳି ଦୁରାବସ୍ଥା ସମସ୍ତଙ୍କୁ ଆଚମ୍ବିତ କରିଛି । ଏମ.ଲିବ୍ ରେ ୨୪ ଆଉ ବି.ଲିବ୍ ରେ ୯୦ ଛାତ୍ରଛାତ୍ରୀ । ୧୦ ଜଣ ଅଧ୍ୟାପକ ଏବଂ କର୍ମଚାରୀ ରହିଛନ୍ତି । ହେଲେ କ୍ଲାସ ରୁମ ମାତ୍ର ଦୁଇ । ବେଚଲର ଡିଗ୍ରୀ ପିଲା ପଢିଲେ ମାଷ୍ଟର ଡିଗ୍ରୀ ପିଲା ପଢି ପାରୁନାହାନ୍ତି ।

ଏହା ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ଲାଇବ୍ରେରି ସାଇନ୍ସ କଲେଜ, କିନ୍ତୁ କଲେଜରେ ଲାଇବ୍ରେରି ଟିଏ ନାହିଁ । ଲାଇବ୍ରେରି କହିଲେ ମାତ୍ର ୨ଟି ଗଡରେଜ । ଆଉ ସବୁଠୁ ବଡ ଅସୁବିଧା ହେଲା କଲେଜର ହଷ୍ଟେଲ ଟିଏ ନାହିଁ । ଫଲରେ ଦୂରରୁ ଆସୁଥିବା ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

୧୯୭୮ ମସିହାରେ ଆରମ୍ଭ ହୋଇଥିଲା ପଣ୍ଡିତ ନୀଳକଣ୍ଠ କଲେଜ ଅଫ୍ ଲାଇବ୍ରେରି ସାଇନସ । ୯୦ ମସିହାରେ ବିଜୁ ପଟ୍ଟନାୟକ ଥିବା ବେଳେ ଜମି ଦେଇଥିଲେ । ହେଲେ ଏ ପର୍ଯ୍ୟନ୍ତ ଅବ୍ୟବସ୍ଥା ଆଉ ଅବହେଳା ଯୋଗୁଁ କଲେଜର ଏମିତି ସ୍ଥିତି । ତେବେ ବାରମ୍ବାର କଲେଜକୁ ନିଜ ଅଧୀନକୁ ନେବା ପାଇଁ ସରକାରଙ୍କୁ ଦାବି ହୋଇ ଆସୁଛି । ସରକାର ବହୁ ବାର ଆଲୋଚନା ମଧ୍ୟ କରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନି । କଲେଜର ସମସ୍ୟା ନେଇ ପରିଚାଳନା କମିଟି କିମ୍ବା ଉଚ୍ଚଶିକ୍ଷା ବିଭାଗ ମୁହଁ ଖୋଲିବାକୁ ନାରାଜ ।