• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କାମ ନ ସରୁଣୁ ଉଦଘାଟନରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ!

  • ସ୍ମାର୍ଟ ସ୍କୁଲରେ ନାହାନ୍ତି ଶିକ୍ଷକ

ଭୁବନେଶ୍ୱର: ସ୍ମାର୍ଟ ସ୍କୁଲ ଆଉ ସ୍ମାର୍ଟ କ୍ଲାସ୍‌ ଆଉ ତା’ସାଙ୍ଗକୁ ପିଲାଙ୍କୁ ସ୍ମାର୍ଟ ପାଠପଢା । ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ସ୍କୁଲ’ ଯୋଜନା । ପୁରୁଣା କ୍ଲାସକୁ ସ୍ମାର୍ଟ କ୍ଲାସରେ ରୁପାନ୍ତରିତ କରାଯାଉଛି । ତେବେ ସ୍ମାର୍ଟ ପାଠପଢା ପାଇଁ କେତେ ସ୍ମାର୍ଟ ହୋଇଛି ଆମ ସ୍କୁଲ ଓ କ୍ଲାସରୁମ୍ ? ଚକାଚକ୍ ଫଟୋ ଭିତରେ କ’ଣ ରହିଛି ବାସ୍ତବତା, ତାହା ଜାଣିବା ଆସନ୍ତୁ ।

ଅସ୍ତରଙ୍ଗ ସ୍କୁଲର ବାହାର କାନ୍ଥ ଚକାଚକ ଥିବା ବେଳେ କ୍ଲାସ୍‌ରୁମ୍‌ରେ ପଡିଛି ଧାଡିକି ଧାଡି ଚେୟାର । ହେଲେ ପିଲାଙ୍କୁ ପଢାଇବା ପାଇଁ ନା ବୋର୍ଡ ଲାଗିଛି ନା କାମ ସରିଛି । ଅଧାରେ ରହିଛି ପିଇବା ପାଣିର ବ୍ୟବସ୍ଥା, ବାହାରେ ଗଦା ହୋଇ ରହିଛି ସିମେଣ୍ଟ, ଗୋ଼ଡି, ବାଲି । ପୁରୀ ଜିଲ୍ଲା ଅସ୍ତରଂଗ ବ୍ଳକ୍ ଏଡବାଂଶ ସ୍ଥିତ ପଢିଆରୀ ନୋଡାଲ୍ ବିଦ୍ୟାପୀଠ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ମାର୍ଟସ୍କୁଲର ଭର୍ଚୁଆଲ୍ ଉଦଘାଟନ୍ ହୋଇଛି ।

ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ୪୮ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିଥିବା ବେଳେ ଏଥିରେ ରହିଛି ଅସ୍ତରଂଗର ୩ଟି ସ୍କୁଲ । ହେଲେ କାମ କେତେ ସରିଛି ତାହା ସମସ୍ତଙ୍କ ଆଖି ସାମ୍ନାରେ ରହିଛି । ସମାନ ଦୃଶ୍ୟ ମୟୂରଭଂଜ ଜିଲ୍ଲା ଉଦଳାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ପ୍ରସ୍ତୁତ ହୋଇ ପାଠପଢା ବି ଆରମ୍ଭ ହୋଇଯାଇଛି, ହେଲେ ପିଲାଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ସ୍କୁଲରେ ଏବେବି ନିର୍ମାଣ କାମ ଚାଲିଛି । ଖାଲି ସେତିକି ନୁହେଁ, ଏଠି ଶିକ୍ଷକ ଓ କ୍ଲାସ ରୁମର ଅଭାବ ମଧ୍ୟ ରହିଛି ।

ସ୍କୁଲ କାନ୍ଥରୁ ଆରମ୍ଭ କରି କଳାପଟା, ଫାଟକରୁ ରାସ୍ତା ଘାଟ, ଅଧିକାଂଶ ସ୍ମାର୍ଟ ହୋଇଗଲାଣି । ଆହୁରି କାମ ଚାଲିଛି ହେଲେ ପିଲାଙ୍କୁ ପଢାଇବାକୁ ନାହାନ୍ତି ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ । କେନ୍ଦୁଝରର ଡିଏନ୍ ହାଇସ୍କୁଲ୍, ଏଠାରେ ୧୦ ଜଣ ଶିକ୍ଷକ ବି ନାହାନ୍ତି। ସରକାରୀ ବାଳିକା ହାଇସ୍କୁଲ ଓ ଏନ୍ ଏସ୍ ପୋଲିସ ହାଇସ୍କୁଲରେ ମଧ୍ୟ ଶିକ୍ଷକଙ୍କର ଅଭାବ ରହିଛି । ଖାଲି ସରଞ୍ଜାମ ସଜାଡି , କାନ୍ଥ ବାଡ ରଙ୍ଗ କରି ସ୍କୁଲକୁ ସ୍ମାର୍ଟ କରିଦିଆଯାଇଛି । ଜିଲ୍ଲାର ତେଲକୋଇ ସ୍ଥିତ ପଡାଙ୍ଗ ସ୍କୁଲରେ ମାତ୍ର ୫ଟି ଶ୍ରେଣୀଗୃହରେ ଚାଲିଛି ପ୍ରଥମରୁ ଦଶମ ପାଠପଢା । କେନ୍ଦୁଝରର ଶହେଟି ସ୍କୁଲକୁ ରୂପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲ କରାଯାଇଥିବା ବେଳେ ଫାଙ୍କା ପଡିଛି ୩୫ ପ୍ରତିଶତ ଶିକ୍ଷକ ପଦବୀ । ସେପଟେ ସ୍କୁଲ ରୁପାନ୍ତରଣ ନାଁରେ ଗଛକଟା ହେଉଥିବା ଅଭିଯୋଗ କରିଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି ।

ରାୟଗଡା ରାମନାଗୁଡାର ସରକାରୀ ଉଚ୍ଚ ବିଦ୍ୟାଳୟରେ କାନ୍ଥରେ ନୂଆ ରଙ୍ଗ, କ୍ଲାସରୁମ୍ ଚକାଚକ, ହେଲେ ଏଠାରେ ଷଷ୍ଠରୁ ଦଶମ ଯାଏଁ ୫୧୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ସ୍ମାର୍ଟ ସ୍କୁଲର ଉଦଘାଟନ କରିଥିଲେ। ହେଲେ ଏବେଯାଏଁ ସବୁ ସ୍ମାର୍ଟ କ୍ଲାସରେ ଆରମ୍ଭ ହୋଇନି ପାଠପଢା ।

 

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୦୨୬ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଉଛି । ବେସରକାରୀ ସ୍କୁଲ ଭଳି ସରକାରୀ ସ୍କୁଲରେ ଭିତ୍ତିଭୂମି ବିକାଶ ଓ ପରିସର ତିଆରି କରିବା ଫଳରେ ପିଲାଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବା ସରକାର କହିଛନ୍ତି । ତେବେ ଚର୍ଚ୍ଚା ହେଉଛି, ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଯୁବ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସ୍କୁଲ କାମ ସରିନଥିଲେ ମଧ୍ୟ ତରବରିଆ ଭାବେ ସେଗୁଡ଼ିକୁ ଉଦଘାଟନ କରିଦିଆଯାଉଛି ।

ରିପୋର୍ଟର- ସଂଜୟ ପତି, ଉଦଳାରୁ ମାନସ ପାଣି, କେନ୍ଦୁଝରରୁ ପ୍ରଣୟ କୁମାର ପାଣି ଓ ଗୁଣପୁରରୁ ଇନ୍ଦ୍ରଜିତ୍ କୁମାର ପଣ୍ଡା