• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ଇଣ୍ଟଭର୍ୟୁ । ସବୁ କିଛି ଏବେ ଓଡ଼ିଆରେ ହେବ । ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍‌ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ । ତାର କାରଣ ହେଉଛି ଷ୍ଟଡି ମାଟେଲିଆଲ୍ । କାରଣ ବଜାରରେ ଏଯାଏଁ ଓଡିଆ ଭାଷାରେ ଷ୍ଟଡି ମାଟେରିଆଲ୍ ଉଲଲବ୍ଧ ନାହିଁ । ସେହିପରି ସରକାରଙ୍କ ପକ୍ଷରୁ କୌଣସି କୋଚିଂ ବୁକ୍ ବି ପ୍ରସ୍ତୁତ ହୋଇନାହିଁ । ଏଭଳି ସ୍ଥିତିରେ ବିଶେଷ କରି ଉପାନ୍ତ ଅଞ୍ଚଳର ପରୀକ୍ଷାର୍ଥୀ ଓଏଏସ୍ ପାଇଁ ପ୍ରସ୍ତୁତ ହେବେ ତ କେମିତି ହେବେ ? ଅନ୍ୟପଟେ ଶିକ୍ଷାବିତ୍‌ଙ୍କ ମତ ଯେ ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ଓଡିଆରେ ଷ୍ଟଡି ମାଟେରିଆଲ୍ ଯୋଗାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।

ଅଧିକ ପଢ଼ନ୍ତୁ: ଓଡ଼ିଆରେ ଦେଇ ହେବ ଓଏଏସ ପରୀକ୍ଷା

ସେପଟେ ଷ୍ଟଡ଼ି ମାଟେରିଆଲ୍ ସମସ୍ୟା ଦୂର କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା । ପୂର୍ବରୁ ଇଞ୍ଜିନିୟରିଂ ଏବଂ ଆଇଏଏସ୍ ପରୀକ୍ଷା ପାଇଁ ସଂସ୍ଥା ପୁସ୍ତକ ପ୍ରସ୍ତୁତି କରିସାରିଛି । ତେଣୁ ଏବେ ସରକାରଙ୍କ ଅନୁମତି ମିଳିଲେ ଆଶାୟୀଙ୍କୁ କୋଚିଂ ସହ ଅନ୍ ଲାଇନ୍ କ୍ଲାସ୍ ଏବଂ ଓଡ଼ିଆ ଷ୍ଟଡି ମାଟେରିଆଲ୍ ଯୋଗାଯାଇପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହେଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇପାରୁନଥିଲା । ଏନେଇ ଭାଷାପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ପରେ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ତେବେ ୨୦୧୭ରୁ ଓଡ଼ିଆ ଭାଷାରେ ଉତ୍ତର ଲେଖିବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ପ୍ରଶ୍ନ ଆସୁଥିଲା ଇଂରାଜୀରେ ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ । ତେଣୁ ଏବେ ଓଡ଼ିଆ ଷ୍ଟଡି ମାଟେରିଆଲ୍ ସମସ୍ୟାକୁ ସରକାର କିପରି ଦୂର କରୁଛନ୍ତି ତାଉପରେ ରହିଛି ନଜର ।

(ରିପୋର୍ଟର- କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)