• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପିଲାଙ୍କ ଉତ୍ତର ଖାତା ଖୋଲିଲା ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୋଲ୍ । ସିଧାସଳଖ ଆନସର୍ ସିଟରେ ଲେଖିଥିଲେ, ଆମର ଶିକ୍ଷକ ନାହାଁନ୍ତି, ଦୟାକରି ଆମଠୁ ଅଧିକ ଆଶା ରଖନାହିଁ । ଯାଜପୁର ଖଇରାବାଦର ଏହି ପରୀକ୍ଷାଖାତା ଏବେ ଭାଇରାଲ୍ ହେଉଥିବାବେଳେ ଏହାକୁ ନେଇ ମୁହାଁମୁହିଁ ଅଭିଭାବକ ଓ ଶିକ୍ଷକ । ଅନ୍ୟପଟେ ଏଭଳି ଘଟଣା ତୁଚ୍ଛା ଭୁରୁଡ଼ି ମାରୁଥିବା ସରକାରଙ୍କୁ ବି ଉପହାସ କରୁଛି । କାରଣ ରାଜ୍ୟବ୍ୟାପି ସରକାରୀ ସ୍କୁଲଗୁଡିକରେ ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ ।

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ର । ଶିକ୍ଷକ ମରୁଡ଼ିର ଉତ୍କଟ ସ୍ଥିତି ଉତୁରି ଆସିଲା ପିଲାଙ୍କ ପରୀକ୍ଷା ଖାତାରେ । ପିଲା ଲେଖିଲେ, ସାର୍ ନାହାଁନ୍ତି, ଅଧିକ ଆଶା ରଖନି । ସଂସ୍କୃତ ବିଷୟରେ ଗୋଟିଏ ପ୍ରଶ୍ନ, କିନ୍ତୁ ଉତ୍ତର ଲେଖାଯାଇଛି ଆଉ ଗୋଟିଏ । ଓଡ଼ିଆରେ ଲେଖାଯାଇଛି, ଆମର ସଂସ୍କୃତ ପଢ଼ାଯାଇନାହିଁ । ଆମକୁ ଯେତିକି ଆସିଲା, ସେତିକି କରିଛୁ । ଦୟାକରି ଅଧିକ ଆଶା କରନ୍ତୁ ନାହିଁ । ଆମର ଶିକ୍ଷକ ନାହାଁନ୍ତି। ଆମଠାରୁ ଅଧିକ ଆଶା କରନ୍ତୁୁ ନାହିଁ । ଏହି ଉତ୍ତର ଖାତା ଏବେ ଭାଇରାଲ୍ ହେବା ପରେ ହୁଲସ୍ତୁଲ୍ ସ୍କୁଲ କ୍ୟାମ୍ପସ୍ ।

ଯାଜପୁର ଜିଲ୍ଲା ଖଇରାବାଦ ପଂଚାୟତ ପ୍ରହ୍ଲାଦଚନ୍ଦ୍ର ବ୍ରହ୍ମଚାରୀ ହାଇସ୍କୁଲରେ ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ବାକବିତଣ୍ଡା । କୁହାଯାଉଛି, ଏହି ଭାଇରାଲ୍ ପରୀକ୍ଷାଖାତାଟି ଏହି ସ୍କୁଲର ଜଣେ ଛାତ୍ରର । ଦୀର୍ଘଦିନ ହେବ ସଂସ୍କୃତ ଶିକ୍ଷକ ପଦବି ଖାଲିପଡ଼ିଛି । ଫଳରେ ପାଠପଢା ହୋଇନଥିବାରୁ ଜଣେ ଛାତ୍ର ବାଧ୍ୟ ହୋଇ ପରୀକ୍ଷକଙ୍କ ଉଦ୍ଦେଶ୍ୟରେ ଏଭଳି ଲେଖିଥିବା କୁହାଯାଉଛି ।

ଯାଜପୁରର ଏହି ପରୀକ୍ଷାଖାତା ଭାଇରାଲ୍ ହେବା ପରେ ମୁଣ୍ଡ ଟେକିଛି ଶିକ୍ଷକ ମରୁଡ଼ି ପ୍ରସଙ୍ଗ । ଆସନ୍ତୁଯିବା ପଡ଼ୋଶୀ ଭଦ୍ରକ ଜିଲ୍ଲାକୁ । ଏ ହେଉଛି ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ହାଇସ୍କୁଲ । 5T ପ୍ରଭାବରେ ଚମକୁଛି କାନ୍ଥବାଡ଼, ପାଣି ପରି ଟଙ୍କା ଖର୍ଚ୍ଚ ଡିଜିଟାଲ୍ ବୋର୍ଡ ସହ ସ୍ମାର୍ଟ କ୍ଲାସରୁମର ବ୍ୟବସ୍ଥା କରାଯାଇଛି । ହେଲେ ବାହାର ଚିକ୍କଣ ଭିତର ଫମ୍ଫା ଭଳି ୧୧୧ ପିଲାଙ୍କ ପାଇଁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ହିନ୍ଦୀ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବାବେଳେ ୧୧୧ ପିଲାଙ୍କ ଭାଗ୍ୟ ବିଧାତା ସାଜିଛନ୍ତି ଖେଳ ଶିକ୍ଷକ । ଯାହାକୁ ନେଇ ବର୍ଷିଛନ୍ତି ପିଲା ଓ ଅଭିଭାବକ ।

ତଥ୍ୟ କହୁଛି, ରାଜ୍ୟରେ ୫୬ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ସ୍କୁଲ୍ ରହିଛି । କିନ୍ତୁ, ଖାଲିପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ । ସେହିଭଳି ସରକାରୀ ହାଇସ୍କୁଲ ସଂଖ୍ୟା ୭ ହଜାର ଥିବାବେଳେ ୧୫ ହଜାର ଶିକ୍ଷକ ପଦବୀ ଖାଲି । ଏଭଳି ଉତ୍କଟ ସ୍ଥିତି ଭିତରେ ପିଲାଏ କେମିତି ପଢ଼ିବେ ଆଉ ବଢ଼ିବେ ? ଶିକ୍ଷକ ମରୁଡ଼ି ପ୍ରସଙ୍ଗକୁ ପିଲାଏ ବୁଝୁଥିଲେ ବି କାହିଁକି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି ?