• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନା ଅନୁମତିରେ ସ୍କୁଲରେ ପ୍ରବେଶ କଲେ ସାମ୍ବାଦିକଙ୍କ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ । ସାମ୍ବାଦିକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ସରକାର, ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି ଓ କଂଗ୍ରେସ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ସାମ୍ବାଦିକ ମଧ୍ୟ କଟକଣାକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ସଫେଇରେ ଗଣଶିକ୍ଷା ମନ୍ତ୍ରୀଙ୍କ କହିବା କଥା ଆମେ ଗଣମାଧ୍ୟମର ସହଯୋଗ ଲୋଡୁଛୁ, ୱେବ ଚାନେଲ ଗୁଡିକ ସୀମା ଭିତରେ ରହିବା ଆବଶ୍ୟକ ।

ଢେଙ୍କାନାଳର କଙ୍କଡାହାଡ ବ୍ଲକ ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁସାରେ ବ୍ଲକର ସବୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରାଯାଇ କୁହାଯାଇଛି । ବିନା ଅନୁମତିରେ ଗଣମାଧ୍ୟମ ପ୍ରତିନିଧି ସ୍କୁଲ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ, କି ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିପାରିବେ ନାହିଁ । ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି ଅନଧିକାର ଭାବେ ସ୍କୁଲ୍ ଭିତରକୁ ପ୍ରବେଶ କରନ୍ତି ,ତେବେ ସେହି ଗଣମାଧ୍ୟମ ପ୍ରତିନିଧିଙ୍କ ନାଁରେ ଥାନାରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ରହିଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ବି ଜିଲ୍ଲାର ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସମାନ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି ପୂର୍ବତନ ଗଣଶିକ୍ଷା ସଚିବ ତଥା ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି । କହିଛନ୍ତି ସାମ୍ବାଦିକଙ୍କୁ ସ୍କୁଲ୍ ହତାକୁ ପ୍ରବେଶ କରାଇନେଦେବା ହାସ୍ୟାସ୍ପଦ । ସରକାର ତୁରନ୍ତ ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର କରନ୍ତୁ । ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ସରକାର ନିଜର ଦୋଷ ତ୍ରୁଟି ଲୁଚାଇବାକୁ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି । ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, କିଛି ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତା ଠାରୁ ଅଧିକ ହେଉଛି । ଆମେ ଗଣମାଧ୍ୟମର ସହଯୋଗ ଲୋଡୁଛୁ ।

ସ୍କୁଲ୍ ଭିତରେ ଏଭଳି କଟକଣା କାହିଁକି ଲାଗୁ କଲେ ସରକାର ? ଯେଉଁଠି ଫାଇଭ୍ ଟି ଜରିଆରେ ସ୍କୁଲ୍ ରୁପାନ୍ତରୀକରଣ ହେଉଛି ଯେଉଁଠି ସ୍କୁଲ୍ ଓ ଶିକ୍ଷା ବିକାଶର ଢୋଲପିଟା ଚାଲିଛି, ସେଠି ଏଭଳି କଟକଣା କାହିଁକି ବୋଲି ପ୍ରଶ୍ନ ଉଠିଛି । ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକଙ୍କ ଉପରେ ଏଭଳି କଟକଣାକୁ ନାପସନ୍ଦ କରିଛନ୍ତି । ସେହିପରି ବରିଷ୍ଠ ସାମ୍ବାଦିକ ମଧ୍ୟ କଟକଣାକୁ ନିନ୍ଦା କରିବା ସହ ଏହା ଅସାମ୍ବିଧାନିକ ବୋଲି କହିଛନ୍ତି ।

ଅନ୍ୟପଟେ ଜୁନ୍ ୨୫ ତାରିଖରେ ଖୋଦ୍ ଗଣଶିକ୍ଷାମନ୍ତ୍ରୀ ବାଲେଶ୍ୱର ମଠ ସାହି ମହାବୀର ନୋଡାଲ୍ ସ୍କୁଲକୁ ଯାଇ କିଛି ପିଲାଙ୍କୁ ପଣକିଆ ପଚାରିଥିଲେ । ତେବେ ପିଲାମାନେ ଠିକ୍ ଉତ୍ତର ଦେଇନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନର ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡିଂ ହେବା ସହ ପ୍ରସାରଣ ମଧ୍ୟ ହୋଇଥିଲା । ହେଲେ ଏବେ କାହିଁକି ଏଭଳି ନିଷ୍ପତ୍ତି ନେଇ ପ୍ରଶ୍ନର ଉତ୍ତରକୁ କିନ୍ତୁ ମନ୍ତ୍ରୀ ଏଡ଼ାଇଯାଇଛନ୍ତି ।