Advertisment

ପ୍ରଶ୍ନପତ୍ର ଲିକ୍ ରୋକିବାକୁ ନୂଆ ଆଇନ୍; 'ଆଣ୍ଟି ପେପର୍ ଲିକ୍' ଆଇନ୍ ଆଣିଲେ କେନ୍ଦ୍ର ସରକାର

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ କଠୋର ଦଣ୍ଡ ବ୍ୟବସ୍ଥା ସହ ଲାଗୁ ହେଲା 'ଆଣ୍ଟି ପେପର୍ ଲିକ୍' ଆଇନ ରହିଛି ୧୦ ବର୍ଷ ଯାଏଁ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି ପ୍ରାବଧାନ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Anti-paper leak law

ପେପର୍ ଲିକ୍ ଉପରେ ବଡ଼ ପ୍ରହାର । ଆଣ୍ଟି ପେପର ଲିକ୍ ଆଇନ ଲାଗୁ କଲେ କେନ୍ଦ୍ର ସରକାର । କାର୍ମିକ ବିଭାଗ ପକ୍ଷରୁ ୨୧ ଜୁନ୍‌ରୁ ଆଣ୍ଟି ପେପର ଲିକ୍ ଆଇନ ଲାଗୁ ହୋଇଥିବା ବେଳେ, ଅନିୟମିତତାକାରୀଙ୍କ ବିରୋଧରେ ଏଥିରେ ୧୦ ବର୍ଷ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ସେପଟେ ସେପଟେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTAର ସଂସ୍କାର ପାଇଁ ୭ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। 

Advertisment

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ କଠୋର ଦଣ୍ଡ ବ୍ୟବସ୍ଥା ସହ ଲାଗୁ ହେଲା 'ଆଣ୍ଟି ପେପର୍ ଲିକ୍' ଆଇନ ରହିଛି ୧୦ ବର୍ଷ ଯାଏଁ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି ପ୍ରାବଧାନ । ନିଟ୍ ଓ ୟୁଜିସି-ନେଟ୍ ପେପର୍ ଲିକ୍ ଘମାସାନ ଭିତରେ, ପବ୍ଲିକ୍ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ ଅଫ୍ ଅନଫେୟାର୍ ମିନ୍ସ) ବିଲ୍ ବା ଆଣ୍ଟି ପେପର୍ ଲିକ୍ ଆଇନକୁ ନେଇ ପ୍ରକାଶ ପାଇଛି ଗେଜେଟ୍ ବିଜ୍ଞପ୍ତି। ଗତ ଫେବୃଆରୀରେ ପାସ୍ ହୋଇଥିବା ଏହି ଆଇନ ଜୁନ୍ ୨୧ରୁ ବିଧିବଦ୍ଧ ଭାବେ ଲାଗୁ ହୋଇଛି। କ୍ବିଶ୍ଚିନ ପେପର୍ କିମ୍ବା ଆନ୍ସର କି' ଲିକ୍, ପରୀକ୍ଷାର୍ଥୀଙ୍କୁ ଅସାଧୁ ଉପାୟରେ ସହାୟତା, କଂପ୍ୟୁଟର ନେଟୱର୍କ କିମ୍ବା ଅନ୍ୟ ରିସୋର୍ସ ଟାମ୍ପରିଂ, ନକଲି ପରୀକ୍ଷାର୍ଥୀ, ମେରିଟ୍ ଲିଷ୍ଟ କିମ୍ବା ରାଙ୍କ୍ ଟାମ୍ପରିଂ ଆଦି ରୋକିବା ଦିଗରେ ଏହି ଆଇନ କାର୍ଯ୍ୟ କରିବ। ଜଣେ କିମ୍ବା ଏକାଧିକ ବ୍ୟକ୍ତି, ପରୀକ୍ଷା କରାଉଥିବା କର୍ତ୍ତୃପକ୍ଷ, ସେବା ପ୍ରଦାନକାରୀ ଏବଂ ପ୍ରତିଷ୍ଠାନ ଏହି ଆଇନ ପରିସରଭୁକ୍ତ ହେଉଥିବା ବେଳେ, ପରୀକ୍ଷାର୍ଥୀଙ୍କ ଉପରେ ଏହି ନୂଆ ଆଇନ ଲାଗୁ ହେବ ନାହିଁ। ସେମାନେ ପ୍ରଚଳିତ ନିୟମ ଅନୁଯାୟୀ ଦଣ୍ଡିତ ହେବେ।

ନୂଆ ଆଣ୍ଟି ପେପର୍ ଲିକ୍ ଆଇନରେ ରହିଛି କଠୋର ଦଣ୍ଡ ବ୍ୟବସ୍ଥା। ଏଥିରେ ସାମିଲ ସମସ୍ତ ଅପରାଧ ଧର୍ତ୍ତବ୍ୟ ଓ ଜାମିନ-ବିହୀନ। ସାଧାରଣ ଭାବେ ଜଣେ କିମ୍ବା ଏକାଧିକ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ୩ରୁ ୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ତେବେ ସର୍ଭିସ୍ ପ୍ରୋଭାଇଡରଙ୍କ ପାଇଁ ଏହି ଜରିମାନା ୧ କୋଟିକୁ ବଢ଼ିପାରେ। ତଦନ୍ତରୁ ଏହା ସଂଗଠିତ ଅପରାଧ ସ୍ପଷ୍ଟ ହେଲେ କିମ୍ବା ଏଥିରେ ପରୀକ୍ଷା ସଂସ୍ଥାର ନିର୍ଦ୍ଦେଶକ, ଇନଚାର୍ଜ କିମ୍ବା ବରିଷ୍ଠ ପରିଚାଳନା ସଦସ୍ୟଙ୍କ ସଂପୃକ୍ତି ସ୍ପଷ୍ଟ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୧ କୋଟି ଟଙ୍କା ଯାଏଁ ଜରିମାନା ହୋଇପାରେ। କୌଣସି ପ୍ରତିଷ୍ଠାନର ସଂପୃକ୍ତି ସ୍ପଷ୍ଟ ହେଲେ ତାହାର ସଂପତ୍ତି ଜବତ ହେବାର ପ୍ରାବଧାନ ରହିଛି ଏହି ନୂଆ ଆଇନରେ।

Advertisment

ପ୍ରଥମେ ନିଟ୍ ଓ ପରେ ୟୁଜିସି ନେଟ୍ ପରୀକ୍ଷାକୁ ନେଇ ଜୋରଦାର ବିବାଦ ଦେଖାଦେବା ପରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀସ୍ଥିତ ବାସଭବନ ଓ ଶିକ୍ଷା ମନ୍ତ୍ରାଳୟ ଆଗରେ ବିକ୍ଷୋଭ କରିଥିଲେ ବିଭିନ୍ନ ଛାତ୍ର ସଂଗଠନ। ଶେଷରେ ଗୋଟିଏ ଥର ଅନୁଷ୍ଠିତ ହୋଇଥିବା ନେଟ୍ ପରୀକ୍ଷାକୁ ରଦ୍ଦ କରି ପୁଣି ଥରେ କରାଇବା ପାଇଁ ନିଷ୍ପତ୍ତି ନେଇଛି ଶିକ୍ଷା ମନ୍ତ୍ରାଳୟ। ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ଆଶାବାଦୀ ଥିବା ପରୀକ୍ଷାର୍ଥୀ, ଅନ୍ୟର ଭୁଲ ପାଇଁ ସେମାନଙ୍କ ବର୍ଷବର୍ଷର ପରିଶ୍ରମ ବୃଥା ଯାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି।

ସେପଟେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ, ସୁଚାରୁ ଓ ନିରପେକ୍ଷ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। NTAର ଗଠନ ଓ କାର୍ଯ୍ୟପ୍ରଣାଳୀରେ ସଂସ୍କାର ସହ ଡାଟା ସୁରକ୍ଷା ପ୍ରଟୋକଲକୁ ମଜବୁତ କରିବା ପାଇଁ ୨ ମାସ ମଧ୍ୟରେ ଏହି କମିଟି ସରକାରଙ୍କୁ ରିପୋର୍ଟ ଦେବ। ପେପର୍ ସେଟିଂ ପ୍ରଟୋକଲ୍ ସହ ବିଭିନ୍ନ ପରୀକ୍ଷା ପ୍ରକ୍ରିୟାର ଆମୂଳଚୁଳ ବିଶ୍ଳେଷଣ କରି ସୁପାରିଶ କରିବ ଏହି ୭ ଜଣିଆ କମିଟି। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କେ. ରାଧାକ୍ରିଷ୍ଣନ ଏହାର ଅଧ୍ୟକ୍ଷ ଥିବା ବେଳେ, ଅନ୍ୟ ସଦସ୍ୟମାନେ ହେଲେ ଦିଲ୍ଲୀ ଏମ୍ ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ସେଣ୍ଟ୍ରାଲ ୟୁନିଭର୍ସିଟି ହାଇଦ୍ରାବାଦର ଭିସି ପ୍ରଫେସର ବି.ଜେ. ରାଓ, ଆଇଆଇଟି ମାଡ୍ରାସ ସିଭିଲ୍ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ଏମିରେଟସ୍ ରାମମୂର୍ତ୍ତି. କେ, ପିପୁଲ୍ ଷ୍ଟ୍ରଙ୍ଗ୍ ସହ ପ୍ରତିଷ୍ଠାତା ପଙ୍କଜ ବଂଶଲ, ଆଇଆଇଟି ଦିଲ୍ଲୀର ଡିନ୍ ଷ୍ଟୁଡେଣ୍ଟ ଆଫାୟାର୍ସ ପ୍ରଫେସର ଆଦିତ୍ୟ ମିତ୍ତଲ, ଏବଂ ଶିକ୍ଷା ମନ୍ତ୍ରାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ବାଲ।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସ୍ବଚ୍ଛ, ଟ୍ୟାଂପର୍-ଫ୍ରି ଓ ଶୂନ୍ୟ-ତ୍ରଟି ପରୀକ୍ଷା ଏକ ପ୍ରତିବଦ୍ଧତା। ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ କରିବା ଦିଗରେ ହାଇ-ଲେଭେଲ୍ କମିଟି ଗଠନ ହେଉଛି ପ୍ରଥମ ପଦକ୍ଷେପ।

Education Minister NEET
Advertisment
Advertisment