• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ । ଆର୍ଥିକ ହେଉ କି ଯେକୌଣସି ସମସ୍ୟା ସବୁ କିଛିକୁ ଟାଳିଦେଇପାରେ ନିଜର ପରିଶ୍ରମ । ପୂର୍ବରୁ ଏପରି ଅନେକ ଘଟଣା ସମ୍ନାକୁ ଆସିଛି । ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଛି । ହେଲେ ଏବେ ସେହି ଇଚ୍ଛାଶକ୍ତିକୁ ନେଇ ଯେଉଁ ଖବର ସାମ୍‌ନାକୁ ଆସିଛି,  ଯାହା ଜାଣିଲେ ଆପଣ ନିଶ୍ଚୟ ତାଜୁବ୍ ହେବେ ଆଉ ଜଣେ ଗରିବ ଯୁବକଙ୍କ ପରିଶ୍ରମକୁ ତାରିଫ୍‌ କରିବେ ।

ଏପରି ଏକ ପ୍ରେରଣାଦାୟକ ଖବର ରାଜସ୍ଥାନରୁ ଆସିଛି । ରାଜସ୍ଥାନର ଚିତ୍ତୋରଗଡ ଘୋସୁଣ୍ଡା ଅଞ୍ଚଳର ରାମଲାଲ ନାମକ ଜଣେ ଯୁବକ NEET ପରୀକ୍ଷାରେ ସଫଳତା ହାସଲ କରିବା ପରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୂଚନା ମୁତାବକ ମେଡିକାଲ୍ ପ୍ରବେଶିକା ପରୀକ୍ଷା (NEET) ୨୦୨୨ର ଫଳାଫଳ ଗତ ସପ୍ତାହରେ ପ୍ରକାଶ ପାଇଥିଲା । ଯେଉଁଥିରେ ରାଜସ୍ଥାନର ରାମଲାଲ କୃତକାର୍ଯ୍ୟ ହୋଇଛନ୍ତି ।

୫ମ ପ୍ରୟାସରେ ରାମଲାଲ୍ ଏହି ସଫଳତା ହାସଲ କରିଛନ୍ତି । ଫଳରେ ସେ ଆଗାମୀ ଦିନରେ ଡାକ୍ତର ହେବାକୁ ଯାଉଛନ୍ତି । ହେଲେ ରାମଲାଲଙ୍କ ଏହି ଯାତ୍ରା ସେତେ ସହଜ ନଥିଲା । ଅନେକ ବାଧାବିଘ୍ନ ସହିବାପରେ ସେ ଆଜି ସଫଳତା ହାସଲ କରିଛନ୍ତି ।

ମାତ୍ର ୧୧ବର୍ଷ ବୟସରେ ରାମଲାଲ ବିବାହ କରିଥିଲେ । ସେତେବେଳେ ସେ ଷଷ୍ଠ ଶ୍ରେଣୀରେ ପାଠପଢ଼ୁଥିଲେ । ପରିବାରର ବାଧ୍ୟ ବାଧକତା ହେତୁ ସେ ବାଲ୍ୟ ବିବାହ କରିଥିଲେ । ହେଲେ ସେ ଚାହୁଁଥିଲେ ଅଧିକ ପଢ଼ିବାକୁ । ଆଉ ତାଙ୍କ ପଢ଼ିବା କଥା ତାଙ୍କ ପରିବାରକୁ ମଧ୍ୟ ଜଣାଇଥିଲେ । ହେଲେ ଗରିବ ହେତୁ ତାଙ୍କ ବାପା ସେ ଅଧିକ ପଢ଼ନ୍ତୁ ବୋଲି ଚାହୁଁନଥିଲେ ।

ସେହିପରି ରାମଲାଲଙ୍କ ପତ୍ନୀ ମଧ୍ୟ କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଠପଢ଼ି ରହିଥିଲେ । ହେଲେ ସ୍ୱାମୀଙ୍କ ଡାକ୍ତର ହେବା ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରିଥିଲେ । ପ୍ରଥମେ ରାମଲାଲ୍‌ ୭୪ ପ୍ରତିଶତ ମାର୍କ ରଖି ୧୦ମ ସମାପ୍ତ କରିଥିଲେ । ପରେ ସାଇନ୍ସ ଷ୍ଟ୍ରିମ୍ ବାଛି ପାଠ ପଢ଼ିବା ସହ UGC NEET ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ରାମଲାଲ୍‌ଙ୍କ ପାଠପଢ଼ିବା ପାଇଁ ତାଙ୍କ ପତ୍ନୀ ଅନେକ ସାହାଯ୍ୟ କରିଥିଲେ ।

ପ୍ରଥମେ ରାମଲାଲ୍‌ ୨୦୧୯ରେ NEET ପରୀକ୍ଷାରେ ପ୍ରଥମ ପ୍ରୟାସ କରିଥିଲେ । ହେଲେ ସେତେବେଳେ ସେ ସଫଳ ହୋଇପାରିନଥିଲେ । ମୋଟ୍‌ ୭୨୦ ମାର୍କରୁ ୩୫୦ ମାର୍କ ପାଇଥିଲେ ରାମଲାଲ୍‌ । ପରେ ସେ ତାଙ୍କର ପରିଶ୍ରମକୁ ଧୀରେ ଧୀରେ ବଢ଼ାଇବା ଆରମ୍ଭ କରିଥିଲେ । ଯାହାଫଳରେ ରାମଲାଲ NEET 2022 ପରୀକ୍ଷାରେ ୪୯୦ ମାର୍କ ରଖିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ୧୧ ବର୍ଷ ବୟସରେ ବିବାହ କରିଥିବା ରାମଲାଲ୍‌ ଏବେ ବାପା ହୋଇସାରିଛନ୍ତି । ବିବାହର ୯ ବର୍ଷ ପରେ ଅର୍ଥାତ୍‌ ସେ ୨୦ ବର୍ଷ ବୟସରେ ବାପା ହେବା ସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସହ ଖୁସିରେ ରହିଛନ୍ତି ।