• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କରେ ଆଉ ମାଟ୍ରିକ୍ ବୋର୍ଡ ପରୀକ୍ଷା ଭଳି ଗୋଟିଏ ପରୀକ୍ଷା ନ ରହିପାରେ । ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି ନାସନାଲ୍ କାଉନସିଲ୍ ଫର ଏଜୁକେସନ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ବା ଏନସିଇଆରଟି(NCERT) ।

ଏହି ପ୍ରସ୍ତାବ ଅନୁସାରେ ଏଣିକି ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୮ଟି ସେମିଷ୍ଟାର ପରୀକ୍ଷା ହେବ, କିମ୍ବା ୮ଟି ବୋର୍ଡ ପରୀକ୍ଷା ହେବ । ଅର୍ଥାତ୍ ନବମରୁ ଦ୍ୱାଦଶ ଯାଏଁ ପ୍ରତ୍ୟେକ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ୨ଟି ପରୀକ୍ଷା ଦେବାକୁ ହେବ । ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟାର ପରୀକ୍ଷାରେ ସୁଯୋଗ ରହିବ ।

ଆଉ ଏକ ବଡକଥା ହେଉଛି, କଳା, ବାଣିଜ୍ୟ ଓ ବିଜ୍ଞାନ ଭଳି ପାଠ୍ୟକ୍ରମ ମଧ୍ୟରେ ବଡ଼ ଧରଣର ଫରକ ରହିବ ନାହିଁ । ଅର୍ଥାତ୍ କଳା ବା ଆର୍ଟସ୍  ବାଛିଥିବା ଛାତ୍ରଛାତ୍ରୀ ବିଜ୍ଞାନର ବିଷୟ ମଧ୍ୟ ପଢିପାରିବେ, ବାଣିଜ୍ୟ ମଧ୍ୟ ପଢିପାରିବେ । ସେହିପରି ବିଜ୍ଞାନ ପଢୁଥିବା ଛାତ୍ରଛାତ୍ରୀ ଆର୍ଟସ ଓ ବାଣିଜ୍ୟର ପାଠ ବି ପଢିପାରିବେ ।

ଦୀର୍ଘ ବର୍ଷରୁ ଦେଶରେ ଚାଲି ଆସୁଥିବା ମାଟ୍ରିକ୍ ବୋର୍ଡ ପରୀକ୍ଷାର ପାର୍ଟନକୁ ସୁଧାରିବାକୁ ଯାଇ ଏମିତି କିଛି ନୂଆ ପ୍ରସ୍ତାବ ଦେଇଛି ଏନସିଇଆରଟି । ଏପରି ଏକ ପ୍ରସ୍ତାବ ଜାରି କରି ଏନସିଇଆରଟି ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀଙ୍କ ପରାମର୍ଶ ଲୋଡିଛି।

ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ନାସନାଲ ଷ୍ଟିୟରିଂ କମିଟି ପ୍ରସ୍ତୁତ କରିଛି । ଏହାର ମୁଖ୍ୟ ଅଛନ୍ତି ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ- ଇସ୍ରୋର ପୂର୍ବତନ ମୁଖ୍ୟ କେ. କସ୍ତୁରୀରଙ୍ଗନ ।