• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟର ଅନେକ ସ୍କୁଲକୁ ସ୍ମାର୍ଟ ରୂପ ଦେଉଛନ୍ତି ସରକାର । ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ ପାଠପଢ଼ା, ହେଲେ ଗ୍ରାମାଞ୍ଚଳରେ ଥିବା ସ୍କୁଲର ଅବସ୍ଥା କଣ, କେବେ ତାସମ୍ପର୍କରେ କେହି କେବେ ବୁଝିଛନ୍ତି ? ଗଜପତି ମୋହନା ବ୍ଲକରେ ରହିଛି ଏପରି ଏକ ସ୍କୁଲ ଯାହାକୁ ବର୍ତ୍ତମାନ ସମୟରେ ଦେଖିଲେ ବିଶ୍ୱାସ ହେବନି କି ଶହ ଶହ ପିଲାଏ ଏପରି ଅବସ୍ଥାରେ ପଢ଼ୁଛନ୍ତି । ବିପଦସଙ୍କୁଳ ଅବସ୍ଥା ସହ ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଛାତ୍ରଛାତ୍ରୀ ।

ଛାତ ଫାଟି ଆଁ କରି ରହିଛି । କାନ୍ଥ ଭାଙ୍ଗି ଯାଇଛି, ଅଳିଆରେ ପୋତି ହୋଇଯାଇଛି ଶୌଚାଳୟ, ଚାରିଆଡ଼େ ଅସ୍ୱାସ୍ଥ୍ୟକର ପରିବେଶ । ଏଭଳି ଅବସ୍ଥାରେ ବସି ପାଠ ପଢ଼ୁଛନ୍ତି ଆମ ଆଗାମୀ ଭବିଷ୍ୟତ । ଗଜପତି ଜିଲ୍ଲା ମୋହନା ଗୁଣ୍ଡିମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ଅବସ୍ଥା । ବିପଦସଙ୍କୁଳ ଭାବେ ପିଲାଏ ପାଠ ପଢ଼ୁଛନ୍ତି । ଗୋଟିଏ କି ଦୁଇଟି କ୍ଲାସ ନୁହେଁ ପ୍ରଥମରୁ ଅଷ୍ଠମ ଶ୍ରେଣୀ ଯାଏଁ ୧୩୦ରୁ ଅଧିକ ପିଲା ଏପରି ବସୁଛନ୍ତି । ପରିସ୍ଥିତି ଏପରି ହୋଇଛି କି, ଚତୁର୍ଥରୁ ସପ୍ତମ ଶ୍ରେଣୀ ଯାଏଁ କ୍ଲାସ ବାରଣ୍ଡାରେ ଚାଲିଛି । ଏପରି ସମସ୍ୟା ଦୀର୍ଘ ଦିନରୁ ରହିଛି, ହେଲେ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସମାଧାନ ହୋଇନି।

ଖାଲି ସ୍କୁଲ ଘର ନୁହେଁ, ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଖଣ୍ଡେ ଘର ରହିଛି, ହେଲେ ତାହା ବି ଯଥେଷ୍ଟ ହେଉନି । ସ୍କୁଲରେ ଥିବା ଶୌଚାଳୟ ତ ଯେପରି ଅଳିଆ ଗଦା ପାଲଟି ଯାଇଛି । ସେପଟେ ସ୍କୁଲ ସମ୍ପର୍କରେ ଆମେ ଅବଗତ କରିବା ପରେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଦେଖି ପଦକ୍ଷେପ ନେବେ କହିଛନ୍ତି ମୋହନା ବ୍ଲକ ଶିକ୍ଷାଧିକାରୀ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସ୍କୁଲକୁ ସ୍ମାର୍ଟ ରୂପ ଦେଉଛନ୍ତି ସରକାର । ହେଲେ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଏହି ପୂରାତନ ସ୍କୁଲ ଉପରେ ଯେପରି ସରକାରଙ୍କ ଆଖି ପଡ଼ିନି ।