• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ । ଆର୍ଥିକ ଅନଟନ ମଧ୍ୟରେ ପରିବାର ପ୍ରତିପୋଷଣର ଦାୟିତ୍ୱ ମୁଣ୍ଡାଇ ଦଶମ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ଗଂଜାମ ବେଗୁନିଆପଡା ବ୍ଳକ କେ.ରାଣୀପଡାର ବିକାଶ ସାହୁ । ଠେଲାଗାଡିରେ ଜଳଖିଆ ବିକି ପାଠ ପଢୁଥିବା ବିକାଶ ମାଟ୍ରିକରେ ରଖିଛନ୍ତି ୫୩୨ ନମ୍ବର । ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକଣ ଆଦିବାସୀ ଅଧ୍ୟୁଷିତ ଗାଁ ଜାରେଙ୍ଗପଟାରେ ପ୍ରଥମଥର ପାଇଁ ଜଣେ ଛାତ୍ର ସନ୍ଦୀପ ମାଝୀ ମାଟ୍ରିକ ପାସ୍ କରିଛନ୍ତି ।

ଗଂଜାମ ବେଗୁନିଆପଡା ବ୍ଳକ୍ କେ.ରାଣୀପଡାର ବିକାଶ ସାହୁ ।୨୦୧୭ରେ ବାପା ଚାଲିଗଲେ । ସେବେଠୁ ପରିବାର ପ୍ରତିପୋଷଣର ଦାୟିତ୍ୱ । ସଞ୍ଜ ନଇଁବା ପୂର୍ବରୁ ଗାଁ ଦାଣ୍ଡରେ ଗଡେ ବିକାଶଙ୍କ ଠେଲା । ସାଙ୍ଗରେ ସାନଭାଇ ଆଉ ସୁଆଦିଆ ଜଳଖିଆ । ଏ ସାହିରୁ ସେ ସାହି, ଏଗାଁରୁ ସେଗାଁ ବୁଲି ଜଳଖିଆ ବିକ୍ରି କରନ୍ତି ବିକାଶ । ଯାହା ଆୟ ହୁଏ ପରିବାର ଚଳେ ।

ତାଙ୍କ କାନ୍ଧରେ ଝାଟିମାଟିର ଘରେ ମାଆ, ସାନ ଭାଇ-ଭଉଣୀ ଆଉ ସେ ହେଲେ କେବେବି ପଛଘୁଂଚା ଦେଇନାହାନ୍ତି ବିକାଶ । ଜଳଖିଆ ବିକିବା ସହ ଜାରି ରଖିଥିଲେ ପାଠପଢା, ଆଉ ତାର ଫଳ ସ୍ୱରୂପ ମାଟ୍ରିକରେ ବିକାଶଙ୍କୁ ମିଳିଛି ସଫଳତା । ଏ-ଗ୍ରେଡ୍ ସହ ୬ଶହରୁ ରଖିଛନ୍ତି ୫୩୨ ନମ୍ବର । ଆଗକୁ ପାଠ ପଢି ଡାକ୍ତର ହେବା ତାଙ୍କର ଲକ୍ଷ୍ୟ ।

ସେପଟେ କଳାହାଣ୍ଡି ଲାଂଜିଗଡ ବ୍ଳକ୍ ପୋଖରୀବନ୍ଧ ପଂଚାୟତର ଜାରେଙ୍ଗପଟା ଗାଁର ଅଧିକାଂଶ ପିଲା ସ୍କୁଲ ଯାଆନ୍ତିନି । କାଁ ଭାଁ ଯିଏ ବି ଯାଆନ୍ତି ଅଧାରୁ ପାଠ ଛାଡି ଚାଲିଯାଆନ୍ତି ଦାଦନ ଖଟି । ସେଥିପାଇଁ ଆଜିଯାଏଁ ଗାଁର କେହି ବି ମାଟ୍ରିକ ପାସ୍ କରିନଥିଲେ । ହେଲେ ଏହି ଧାରା ଭାଙ୍ଗିଛନ୍ତି ଗାଁର ସନ୍ଦୀପ ମାଝୀ । ପୋଖରୀବନ୍ଧ ହାଇସ୍କୁଲରୁ ପ୍ରଥମ ଛାତ୍ର ଭାବେ ୩୩୦ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ସନ୍ଦୀପ । ତାଙ୍କର ଏହି ସଫଳତାରେ ଗାଁଲୋକଙ୍କ ଖୁସି କହିଲେ ନସରେ ।