• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁଇ ବର୍ଷ ପରେ ପାରମ୍ପରିକ ଭାବେ ହଲରେ ବସି ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ପ୍ରଥମ ଦିନ ଇଂଲିସ ଥିବା ବେଳେ ଶାନ୍ତିଶୃଙ୍ଖଳାରେ ସରିଛି । ପରୀକ୍ଷା ବୋର୍ଡର ନିଷ୍ପତ୍ତି ଅନୁଯାୟୀ ସମ୍ମେଟିଭ୍-ଟୁରେ ୮୦ମାର୍କର ପରୀକ୍ଷା ହୋଇଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ବଢୁଥିବା କରୋନା ସଂକ୍ରମଣକୁ ଦେଖି ପରୀକ୍ଷା କେନ୍ଦ୍ରରେ ପିଇବା ପାଣି ଓ ସାନିଟାଇଜର ବ୍ୟବସ୍ଥା କରାଯାଇଛି ।

ପିଲାଙ୍କ ଭିତରେ ଉତ୍ସାହ । ଅଭିଭାବକ ମହଲରେ ଆଶ୍ୱାସନା । ପାରମ୍ପରିକ ଧାରାକୁ ଫେରିଛି ମାଟ୍ରିକ୍ ପରୀକ୍ଷା । ଆଜି ପ୍ରଥମ ଦିନ ଥିବାରୁ ଛାତ୍ରଛାତ୍ରୀ ଟିକିଏ ସହଳ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ । ତେବେ କରୋନା ମହାମାରୀ ପୁଣି କାୟା ମେଲାଇବାକୁ ଆରମ୍ଭ କରିଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜ କରି ପିଲାଙ୍କୁ ପରୀକ୍ଷା ହଲକୁ ଛଡ଼ାଯାଇଥିଲା ।

ସେହିପରି ପ୍ରବଳ ଖରାକୁ ଦେଖି ପରୀକ୍ଷା କେନ୍ଦ୍ରଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ରଖାଯାଇଥିଲା । ଯେଭଳି ବିଜୁଳିକାଟ୍ ନହେବ ସେଥିପ୍ରତି ତତ୍ପର ରହିଥିଲେ କର୍ତ୍ତୃପକ୍ଷ ସକାଳ ୮ଟାରେ ପରୀକ୍ଷା ଆରମ୍ଭ ହୋଇ ୧୦ଟା ଯାଏଁ ଚାଲିଥିଲା । ସମ୍ମେଟିଭ ଆସେସମେଣ୍ଟ ଟୁ ରେ ମୋଟ୍ ୮୦ ମାର୍କର ପରୀକ୍ଷା ହୋଇଛି । ୫୦ ମାର୍କ ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ଆସିଥିଲା।

 

କପି ରୋକିବା ଓ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ମଧ୍ୟରେ ଥିବା ପ୍ରଶ୍ନପତ୍ରକୁ ସକାଳ ୫ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ କିଭଳି ପରୀକ୍ଷା ଚାଲିଛି ତାର ଅନୁଧ୍ୟାନ କରିଥିଲେ । ତେବେ ଆଜି କିଛି ସ୍ଥାନରୁ ଅଘଟଣର ଖବର ଆସିଛି ।

କୋରାପୁଟ କୁନ୍ଦୁରା ଥାନକେରେମେଟିରେ ପରୀକ୍ଷା କେନ୍ଦ୍ରକୁ ଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପ୍ରାଥମିକ ଚିକିତ୍ସା ପରେ ୭ ଜଣ ପରୀକ୍ଷା ଦେଇଥିବା ବେଳେ ଜଣେ ଗୁରୁତର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏପଟେ କାମାକ୍ଷାନଗରରେ ପରୀକ୍ଷା ଦେଇ ବାପାଙ୍କ ସହ ବାଇକରେ ଫେରୁଥିବା ବେଳେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଛାତ୍ର ଆହତ ହୋଇଛନ୍ତି ।

ଏଣେ ନିଜ ଶିକ୍ଷାଗତ ଯୋଗ୍ୟତା ବଢାଇବାକୁ ପ୍ରୟାସ କରିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ମୁକ୍ତ ବିଦ୍ୟାଳୟ ଅଧିନରେ ବୋର୍ଡ ପରୀକ୍ଷା ଦେଉଛନ୍ତି ୫୮ ବର୍ଷୀୟ ଅଂଗଦ । ପରୀକ୍ଷାର୍ଥୀଙ୍କ ଗହଣରେ ହଲରେ ବସି ଉତ୍ତର ଲେଖିଛନ୍ତି । ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ମୋଟ୍ ୫ଲକ୍ଷ ୮୫ ହଜାର ୭୩୦ ପିଲା ପରୀକ୍ଷା ଦେଉଛନ୍ତି । ଏଥିଲାଗି ସାରା ରାଜ୍ୟରେ ୩ହଜାର ୫୪୦ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।