• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜୀବନ ଯୁଦ୍ଧର ପ୍ରଥମ ସୋପାନର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ଅନେକ କିଛି ନୂଆ ବ୍ୟବସ୍ଥା ହୋଇଛି ଏଥର । ସବୁ ସେଣ୍ଟରେ ସିସିଟିଭି ସର୍ଭିଲାନ୍ସରେ ଥିବା ବେଳେ AI ଧରିଛି ତ୍ରୁଟି । କିନ୍ତୁ ଏସବୁ ଭିତରେ ପରୀକ୍ଷା ଆରମ୍ଭର ଦେଢ଼ ଘଣ୍ଟା ପୂର୍ବରୁ ସେଣ୍ଟରରେ ପହଞ୍ଚିବା ନିୟମ ଭାରି ବୋର୍ କରିଥିବା ପିଲାଏ କହିଛନ୍ତି ।

କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା । ଖଟା ମିଠା ଅନୁଭୂତି ସହ ରାଜ୍ୟର ୩ ହଜାରରୁ ଅଧିକ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷରୁ ଅଧିକ ପିଲା । ଏଥର ପରୀକ୍ଷା ହୋଇଛି କିଛିଟା ଅଲଗା ଓ ସର୍ଭିଲାନସ ଯୁକ୍ତ ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍-AI ଜରିଆରେ ଧରାଯାଇଛି ତ୍ରୁଟି, ସିସିଟିଭି ଜଗିଛି କପି । କଟକ ବୋର୍ଡ କାର୍ଯ୍ୟାଳୟ ପରିସରରେ ଥିବା କମାଣ୍ଡ୍ କଣ୍ଟ୍ରୋଲ୍ ରୁମରେ ସାରା ରାଜ୍ୟର ପରୀକ୍ଷା କେନ୍ଦ୍ରର ଟିକନିଖି ଭିଜୁଆଲ୍ ରେକର୍ଡ ହେଉଛି । ଷ୍ଟ୍ରଙ୍ଗ ରୁମରେ ଏକାଧିକ ଲୋକ ଥିଲେ ମଧ୍ୟ ଆଲର୍ଟ ଜାରି କରୁଛି AI । ପରୀକ୍ଷା କେନ୍ଦ୍ରର ଗେଟ୍ ବନ୍ଦଠୁ ଆରମ୍ଭ କରି ପ୍ରଶ୍ନ ପତ୍ର ବଣ୍ଟା ଯାଏଁ ସବୁ କିଛିର ଅପଡେଟ୍ ରେକର୍ଡ କରାଯାଇଛି ।

ଏତେ ସବୁ ସତର୍କତା ପରେ ବି ମାଟ୍ରିକ ପରୀକ୍ଷାର ଏଥର ବି ପିଛା ଛାଡ଼ିନି ବିବାଦ ଓ ସମସ୍ୟା । ପ୍ରଥମ ଥର ପାଇଁ କେନ୍ଦ୍ରକୁ ପ୍ରବେଶ ଲାଗି ଦେଢ଼ ଘଣ୍ଟା ପୂର୍ବରୁ ସମୟ ଦିଆଯାଇଛି । ଯାହାକୁ ନାପସନ୍ଦ କରିଛନ୍ତି ପରୀକ୍ଷାର୍ଥୀ । ଏତେ ସମୟ ପୂର୍ବରୁ ବସି ବୋର୍ ହେଉଥିବା ସେମାନେ କହିଛନ୍ତି । ଗୋଟେପଟେ ଅଧିକ ସମୟ, ଅନ୍ୟପଟେ ଅଧିକ ବାଟ । କୋରାପୁଟ କୁନ୍ଦୁରା ବ୍ଲକ ଲଚନାଗୁଡ଼ା ହାଇସ୍କୁଲ ପିଲାଙ୍କର ସେଣ୍ଟର ପଡ଼ିଛି ୨୫ କିଲୋମିଟର ଦୂର ଜୟପୁର ବ୍ଲକ ବାମୁନିପୁଟ ଆଶ୍ରମ ସ୍କୁଲରେ ।

ଉପାନ୍ତ ଅଞ୍ଚଳରେ ଏତେବାଟ କେମିତି ଯାଆସ କରିବେ ତାକୁ ନେଇ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି । ସେହିପରି ମିଶନ୍ ଶକ୍ତି ଉପରେ ଆସିଥିବା ରଚନାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି । ମିଶନ ଶକ୍ତିର ବର୍ଣ୍ଣନା ଓ ଉଦ୍ଦେଶ୍ୟ ସମ୍ପର୍କରେ ଆସିଥିବା ୧୦ ମାର୍କର ପ୍ରଶ୍ନକୁ ନେଇ ହଡବଡେଇ ଯାଇଥିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ଶିକ୍ଷାବିତ୍ ବି ପ୍ରଶ୍ନ ଉଠାଇଛନ୍ତି।

ଏସବୁ ଭିତରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଏକ ପ୍ରେରଣାଦାୟୀ ଦୃଶ୍ୟ ସାମ୍ନାକୁ ଆସିଛି । ବାଲେଶ୍ୱର ITI ସ୍କୁଲ ଛାତ୍ର ପ୍ରତ୍ୟୁଷ କୁମାର ଗୋଚ୍ଛାୟତ ସ୍ୱାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ ପରୀକ୍ଷା ଦେବାକୁ ଆସିଥିଲେ । ଏକାକୀ ଚାଲିବା କଷ୍ଟ ଥିଲା, ତଥାପି ସେ ହାର ମାନିନଥିଲେ ।