• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଡମିଶନ୍ ସରିଲା । କିନ୍ତୁ ଖାଲି ପଡୁଛି କ୍ଲାସ୍ । ରାଜ୍ୟ ଡିଗ୍ରୀ କଲେଜ ଗୁଡିକରେ ଏବେ ଏଭଳି ହାଲ୍ । ପ୍ରଥମ ପର୍ଯ୍ୟାୟ ଆଡମିଶନ ପରେ ଲକ୍ଷାଧିକ ସିଟ୍ ଖାଲି ପଡିଛି । ଶିକ୍ଷାବିତଙ୍କ ମତ ନିଯୁକ୍ତି ସୁଯୋଗ ନଥିବାରୁ ପିଲାଏ ବୈଷୟିକ ଶିକ୍ଷା ଆଡକୁ ଯାଉଛନ୍ତି । ଅନ୍ୟପଟେ ସିଟ୍ ଖାଲି ପଡିବା ନେଇ ଆଡମିଶନ ଜନିତ ଜଟିଳତାକୁ ଦାୟୀ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବି ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍ । ବୈଷୟିକ ଶିକ୍ଷା ଆଡ଼କୁ ଢଳୁଛନ୍ତି କି ଛାତ୍ରଛାତ୍ରୀ ? ଚଳିତବର୍ଷ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡରେ ଆଡମିଶନ ଶେଷ ହୋଇଛି । ତାସତ୍ତ୍ୱେ ୧ଲକ୍ଷ ୧୧ ହଜାର ସିଟ୍ ଫାଙ୍କା ପଡିଛି । ଏବେ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତା, ଏତେ ସଂଖ୍ୟକ ସିଟ୍ ପୂରଣ ହେବ କେମିତି ?

ସେପଟେ ଯୁକ୍ତ ଦୁଇରେ ବି ସମାନ ସ୍ଥିତି । ହଜାର ହଜାର ସିଟ୍ ଖାଲି ପଡିବା ପରେ ଯୁକ୍ତ ଦୁଇରେ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ କରାଯାଇଛି । ଆର୍ଥିକ ଅନଗ୍ରସର ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ସେପଟେ ପିଲାଙ୍କ ଯୁକ୍ତି ବୈଷୟିକ ଶିକ୍ଷାରେ ଆତ୍ମନିର୍ଭର ଓ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ଏହା ପ୍ରଥମ ପସନ୍ଦ ପାଲଟୁଛି ।

ରାଜ୍ୟରେ ମୋଟ୍ ୧୦୪୦ ଡିଗ୍ରୀ କଲେଜରେ ୨ଲକ୍ଷ ୭୦ହଜାର ୧୬୩ ଆସନ ରହିଛି । ପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୫୯ହଜାର ୫୫ ସିଟ୍‌ରେ ପିଲା  ଆଡମିଶନ କରିଛନ୍ତି । ଏବେ ବି ଲକ୍ଷେ ୧୧ହଜାର ୧୦୮ ସିଟ୍ ଫାଙ୍କା । କଳାରେ ୪୮ ହଜାର ୪୫୪, ଫିଜିକାଲ୍ ସାଇନ୍ସରେ ୨୬ ହଜାର ୫ଶହ, ବାୟୋଲୋଜିକାଲ ସାଇନ୍ସରେ ୧୨ହଜାର ୩୪୨, ବାଣିଜ୍ୟରେ ୧୭ ହଜାର ୬୯ ସିଟ୍ ଖାଲିପଡିଛି ।

ଲକ୍ଷାଧିକ ସିଟ୍ ଖାଲି ପଡିବା ପରେ ଉଚ୍ଚ ଶିକ୍ଷା ବିଭାଗ ଏବେ ଚିନ୍ତା କରୁଛି ଯୁକ୍ତ ଦୁଇ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ୍ କରିବା ପାଇଁ । ଏଥିପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯାଇ ଆଡମିଶନ୍ ଟାଇମ୍ ଲାଇନ୍ ଦିଆଯିବ । ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ଉଚ୍ଚ ଶିକ୍ଷାର ମାନ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ଭଳି ହେଉନାହିଁ ? ଆଡମିଶନ୍ ପ୍ରକ୍ରିୟାରେ ଜଟିଳତା ପାଇଁ ଆଡମିଶନ ହାର କମୁଛି କି ? ନା ଯୁକ୍ତ ଦୁଇ ପରେ ଡ୍ରପ୍ ଆଉଟ୍‌ ହେଉଛନ୍ତି ଛାତ୍ରଛାତ୍ରୀ ?

ସରକାର ଜେନେରାଲ୍ ଷ୍ଟ୍ରିମ୍‌ରେ ନିଯୁକ୍ତି ସୁଯୋଗ ଯୋଗାଇବାରେ ବିଫଳ ହେଉଥିବାରୁ, ସ୍ଥିତି ଏଭଳି ବୋଲି ଶିକ୍ଷାବିତଙ୍କ ମତ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତ ହେଲା ଜଟିଳ ଆଡମିଶନ୍ ପ୍ରକ୍ରିୟା ଲାଗି ସିଟ୍ ଖାଲି ପଡୁଛି । ଉଚ୍ଚ ଶିକ୍ଷାମନ୍ତ୍ରୀ କିନ୍ତୁ ଏ ସଂପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ କେବେ ଆରମ୍ଭ ହେଉଛି ଏବଂ କେତେ ସିଟ୍ ଯୁକ୍ତ ତିନିରେ ପୂରଣ ହେଉଛି ଏବେ ତା ଉପରେ ନଜର ।

  • Reported by:
  • JITENDRA BEURA , RASHMIRANJAN DAS , JAGDISH DAS , Maudi Barik