• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନବମ ଓ ଦଶମରେ ନୂଆକରି ଲାଗୁ ହୋଇଥିବା ଆସପିରେସନାଲ୍ କମ୍ପୋନେଣ୍ଟ କୋର୍ସର କାର୍ଯ୍ୟକାରିତାକୁ ନେଇ ଆରମ୍ଭରୁ ଦ୍ୱନ୍ଦ୍ୱ । ଶିକ୍ଷାବର୍ଷ ଅଧାରୁ କୋର୍ସ ଲାଗୁ କରାଯିବାକୁ ନେଇ ଉଭୟ ଶିକ୍ଷାବିତ୍ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କଲେଣି । ତେଣେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର, ଭବିଷ୍ୟତ ପାଇଁ ପିଲାଙ୍କୁ ଏବେଠୁ ପ୍ରସ୍ତୁତ କରିବା ମୁଖ୍ୟ ଲକ୍ଷ୍ୟ । ଆଉ ପିଲା କେତେ ଗୁରୁତ୍ୱର ସହ ଏ ବିଷୟକୁ ଗ୍ରହଣ କରିବେ, ତାହା ବି ବଡ଼ ପ୍ରଶ୍ନ ।

ନୂଆ ସିଲାବସ୍‌କୁ ନେଇ ଆରମ୍ଭରୁ ବିବାଦ । ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ । ନବମ ଓ ଦଶମ ଶ୍ରେଣୀରେ ନୂଆକରି ଆସପିରେସନାଲ୍ କମ୍ପୋନେଣ୍ଟ କୋର୍ସ ପାଠ୍ୟକ୍ରମରେ ସାମିଲ ଲାଗି ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଶିକ୍ଷାବିତ୍‌ଙ୍କ ଗୁରୁତର ଆପତ୍ତି । ଗତକାଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚାରି ନୂଆ ପାଠ୍ୟକ୍ରମ ଯଥାକ୍ରମେ ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ୍ ଓ ବେସିକ ଆଇଟି ସ୍କିଲ୍ସ ବିଷୟ ସାମିଲ କରିବାକୁ ଘୋଷଣା ପରେ ପ୍ରଶ୍ନ ଏ ସମ୍ପର୍କିତ ବହି କେତେ ଶୀଘ୍ର ପିଲାଙ୍କୁ ମିଳିବ ? ଓ କେମିତି ପଢ଼ାଯିବ ?  ଯଦିଓ ବହି ସବୁ ରାଜ୍ୟ ସରକାର ଯୋଗାଇଦେବେ ତେବେ ଘୋଷଣାର ୨୪ ଘଣ୍ଟା ନପୁରୁଣୁ ବିବାଦ ଘନେଇଛି ।

ଶିକ୍ଷା ବର୍ଷ ଅଧାରୁ ନବମରେ ଏହି କୋର୍ସ ସବୁ ଲାଗୁ ହେବ । ଏହାକୁ ପଢ଼ାଇବାକୁ ସମୟ ସାରଣୀ କଣ ରହିବ ? କିଏ ଏହାକୁ ପଢାଇବେ ? ତାହା ବି ଏଯାଏ ସ୍ପଷ୍ଟ କରିନି ବୋର୍ଡ । ସେହିପରି ନବମ ଓ ଦଶମ ଶ୍ରେଣୀର ପିଲା କେମିତି ବୁକ୍ ରିଭ୍ୟୁ କରିବାକୁ ସକ୍ଷମ ହେବେ, ତାକୁ ନେଇ ବି ଦ୍ୱନ୍ଦ୍ୱ ବଢିଛି । ବିଶେଷକରି ପଛୁଆ ଅଞ୍ଚଳରେ କମ୍ପ୍ୟୁଟର ସୁବିଧା ନଥିବା ପିଲାଏ ଆଇଟି ପାଠ ପଢିବେନି, କିନ୍ତୁ ଅନ୍ୟ ସ୍ଥାନରେ ପିଲାଏ ପଢିବେ ବୋଲି ହୋଇଥିବା ନିଷ୍ପତ୍ତିକୁ ଶିକ୍ଷା ବ୍ୟବସ୍ଥାରେ ପ୍ରଭେଦ ବୋଲି କହିଲେଣି ଶିକ୍ଷାବିତ୍ । ସେମିତି ଅଭିଭାବକଙ୍କ ମନରେ ବି ସମାନ ଆଶଙ୍କା ଦେଖାଗଲାଣି ।

ସରକାରୀ ସ୍କୁଲ୍ ଗୁଡିକୁ ସରକାର ରୂପାନ୍ତରିକରଣ ଜରିଆରେ ନୂଆ ରୁପ ଦେଉଛନ୍ତି । ହେଲେ ଫାଇଭ ଟି ସ୍କୁଲ୍‌ରେ ବି ପରିଲକ୍ଷିତ ହେଉଛି ଅନେକ ଅବ୍ୟବସ୍ଥା । ଏଭଳି ସ୍ଥଳେ ସିଲାବସ୍ ବାଦ୍ ଆସ୍‌ପିରେସନାଲ୍ କମ୍ପୋନେଣ୍ଟ କୋର୍ସକୁ ଲାଗୁ କରିଛି ବୋର୍ଡ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏଥିରେ ସ୍ପଷ୍ଟତା ଆଣି କହିଛନ୍ତି, ଆଗାମୀ ଦିନ ପାଇଁ ପିଲାଙ୍କୁ ଏବେଠୁ ପ୍ରସ୍ତୁତ କରାଯାଉଛି । ସ୍କୁଲ୍‌ର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏଥିଲାଗି ସ୍ୱତନ୍ତ୍ର ଟ୍ରେନିଂ ଦିଆଯିବ ।

ନୂଆ କୋର୍ସ ପଢ଼ି ନବମ-ଦଶମ ପିଲା ପରୀକ୍ଷା ଦେବେ, ମାର୍କ ବି ପାଇବେ । ହେଲେ ଏହାକୁ ସମୁଦାୟ ମାର୍କରେ କିନ୍ତୁ ମିଶାଯିବ ନାହିଁ । ସେ ଦୃଷ୍ଟିରୁ ପିଲା ଏସବୁ ବିଷୟକୁ ଗୁରୁତ୍ୱର ସହ ନେବେ ତ ? ତାହା ଏବେ ବଡ ପ୍ରଶ୍ନ ।

(ରିପୋର୍ଟର- କଟକରୁ ଦେବାଶିଷ ମହାନ୍ତି , ମାଲକାନଗିରିରୁ ଜିତେନ୍ଦ୍ର ବେଉରା ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)