• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁରୁଦିବସ ଅବସରରେ ଦେଶର ବଚ୍ଛା ବଛା ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଜାତୀୟ ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ଦେଶର ୪୬ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଓଡିଶାର ଈଶ୍ୱର ଚନ୍ଦ୍ର ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଦ୍ଵାରା ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଥିବା ଓଡିଶାରୁ ଏକ ମାତ୍ର ଶିକ୍ଷକ ହେଲେ ଈଶ୍ୱର ସାର । ନିମାପଡା ସଗଡ଼ା ପଞ୍ଚାୟତର କନପୁରୁ ପ୍ରାଥମିକ ବିଦ୍ୟାଳୟରରେ ସେ ଶିକ୍ଷକତା କରୁଛନ୍ତି । ପୁରସ୍କାର ମିଳିବା ପରେ ନିମାପଡା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟୁଛି । ଆଜି ଅପରାହ୍ନରେ ପୁରସ୍କାର ବିଜେତାଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନିମାପଡା ଗଡ଼ପଦନପୁର ପଞ୍ଚାୟତ ବାଂଗୁରୁଷ ଗାଁର ଈଶ୍ୱର ସାର୍ । ବାପା ସ୍ୱର୍ଗତ ସଦାନନ୍ଦ ନାୟକ ଓ ମା ସାବିତ୍ରୀ ନାୟକଙ୍କ ବଡ ପୁଅ । ୧୯୭୨ ମସିହାରେ ତାଙ୍କ ଜନ୍ମ । ପିଲାଦିନେ ନିଜ ଗାଁସ୍କୁଲରେ ପାଠ ପଢା ଆରମ୍ଭ କରି ନିମାପଡ଼ାରେ କଲେଜ ଶିକ୍ଷା ସାରିବା ପରେ ୧୯୮୯ ମସିହାରେ ବାଣାରାଶିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ହ୍ୟାଣ୍ଡଲୁମ ଟେକ୍ନୋଲୋଜିରେ ଡିପ୍ଲୋମା ପରେ ସ୍ନାତକ କରିଛନ୍ତି । ପ୍ରଥମେ ପାନୀପଥ ପରେ କଟକରେ ଏକ ଘରୋଇ ଟେକ୍ସ୍ଟାଇଲ କମ୍ପାନୀରେ ଚାକିରି କରିବା ପରେ ୨୦୦୧ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଶିକ୍ଷକତା ବୃତ୍ତି ସହ ଲେଖାଲେଖି ଓ ସମାଜସେବା ପାଇଁ ସେ ବେଶ୍ ଚର୍ଚ୍ଚିତ ।

ପାପ ,ଘୁଣା, ପ୍ରହେଳିକା ଭଳି ଅନେକ ଓଡିଆ ,ଇଂରାଜୀ ଓ ହାଣ୍ଡଲୁମ ଉପରେ ଅନେକ ବହି ରଚନା କରିବା ସହ ଅଧାରୁ ସ୍କୁଲ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ତାଙ୍କ ଲିଖିତ ଅଳିଆରୁ ଅ ଆ ଜାତୀୟ ପୁସ୍ତକ ସମ୍ମାନ ପାଇଛି । ବିଭିନ୍ନ ସ୍ଥାନରେ ସମ୍ମାନିତ ହେବାସହ ୨୦୧୭ ମସିହାରେ ଈଶ୍ୱର ସାର୍ ରାଜ୍ୟ ଶିକ୍ଷକ ସମ୍ମାନ ପାଇଥିଲେ । ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହେବା ଖବର ସାରା ରାଜ୍ୟ ପାଇଁ ଖୁସି ଆଣିଦେଇଛି ।