• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରୀକ୍ଷା ଋତୁ ଆସିଲେ କପି ରୋକିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇଯାଏ । କେଉଁଠି ସ୍ପେସାଲ୍‌ ସ୍କ୍ୱାର୍ଡ ତ ଆଉ କେଉଁଠି ୧୪୪ ଧାରା ଲାଗିଯାଏ । ଏସବୁ ସତ୍ତ୍ୱେ ସମ୍ପୂର୍ଣ୍ଣ ରୂପେ କପି ରୋକିବା ସମ୍ଭବ ହୋଇପାରେ ନାହିଁ । କିଏ କାନ ଭିତରେ ଚିପ୍‌ ଲଗାଇ ପୁଣି କିଏ ନକଲି ଚୁଟି ତଳେ କପି ରଖୁଥିବାର ଅନେକ ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଫିଲିପାଇନ୍ସର ଏକ କଲେଜ ପ୍ରଶାସନ ପକ୍ଷରୁ ଅଜବ ଯୁଗାଡ଼ କରାଯାଇଛି ।

ପରୀକ୍ଷା ସମୟରେ ପିଲାମାନଙ୍କ ମୁଣ୍ଡରେ ରହିଛି ଭଳି କି ଭଳି ଟୋପି । ସାଧାରଣ ଟୋପି ପରି ନୁହେଁ ସେ ଟୋପି । ବର୍ତ୍ତମାନ ପରୀକ୍ଷା ସମୟରେ ଅନେକ ଚିତ୍ର ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଛାତ୍ରଛାତ୍ରୀମାନେ ଅଜବ କ୍ୟାପ୍ ପିନ୍ଧିଥିବା ଦେଖିବାକୁ ମିଳୁଛି । ଟୋପି ପିନ୍ଧିବା ପରେ ଛାତ୍ରଛାତ୍ରୀମାନେ ଚାହିଁଲେ ବି ଏପଟସେପଟ ହୋଇପାରିବେ ନାହିଁ କିମ୍ବା କପି କରିପାରିବେ ନାହିଁ । କାରଣ ମୁଣ୍ଡ ଉପରେ ରହୁଛି ବିଶାଳକାୟ ଟୋପି, ଯେଉଁଥିରେ ହଲ୍‌ଚଲ୍‌ ହେବା ବି ମୁସ୍କିଲ । ଆଉ ଏହି ଟୋପିର ନାଁ ରଖାଯାଇଛି ଆଣ୍ଟି ଚିଟିଂ ହ୍ୟାଟ୍‌ ।

ଆଣ୍ଟି ଚିଟିଂ ହ୍ୟାଟ୍‌ ପିନ୍ଧିବା ପରେ ହିଁ ପିଲାମାନେ ପରୀକ୍ଷାରେ ବସିପାରିବେ ବୋଲି କଲେଜ୍‌ କର୍ତ୍ତୃପକ୍ଷ କହିଛନ୍ତି । ବିକୋଲ ୟୁନିଭର୍ସିଟି କଲେଜ ଅଫ୍ ଇଂଜିନିୟରିଂର ଛାତ୍ରଛାତ୍ରୀମାନଙ୍କୁ ଏହି ଟୋପି ପିନ୍ଧି ପରୀକ୍ଷା ଦେବାକୁ କୁହାଯାଇଛି । ଯଦ୍ୱାରା ସେମାନେ କପି କରିପାରିବେ ନାହିଁ । ସଚ୍ଚୋଟତା ସହ ପିଲା ଯେପରି ପରୀକ୍ଷା ଦେବେ ସେନେଇ ଏପରି ଉପାୟ ଆପଣାଇଥିବା ଜଣେ ଶିକ୍ଷକ କହିଛନ୍ତି ।

ତେବେ ସୋସିଆଲ ମିଡିଆରେ ଏହି ଫଟୋ ଦେଖି ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ପିଲା ଏପରି ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ତେବେ ଏଇଠି ପ୍ରଶ୍ନ ଉଠୁଛି, କପି ରୋକିବା ନାଁରେ ପିଲାଙ୍କୁ ଏପରି ମାନସିକ ଭାବରେ ନିର୍ଯାତନା ଦେବା ଠିକ୍‌ କି ? ମୁଣ୍ଡ ଉପରେ ଓଜନଦାର ଟୋପି ପିନ୍ଧି କିପରି ଶାନ୍ତିରେ ପିଲାମାନେ ଲେଖିବେ ? ସତରେ କ’ଣ ଏ ପ୍ରକ୍ରିୟା କାମ ଦେବ ?