ରାଜ୍ୟରେ ସ୍କୁଲ୍ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି।
ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ପଛରେ ରହିଛି। ବର୍ଷକ ମଧ୍ୟରେ ଶିକ୍ଷାରେ ଓଡ଼ିଶାର ପ୍ରଦର୍ଶନ ହ୍ରାସକୁ ନେଇ ଶିକ୍ଷାବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି।
ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ୨୪ ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ରହିଛି ଚଣ୍ଡିଗଡ଼। ଓଡ଼ିଶାର ଜଗତସିଂହପୁର, କଟକ, ଭଦ୍ରକ, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାର ଗ୍ରେଡ୍ ଅତି ଉତ୍ତମ ରହିଛି। ୨୨ଟି ଜିଲ୍ଲାର ଗ୍ରେଡ୍ ଉତ୍ତମ ରହିଛି। ରାୟଗଡ଼ା ଓ କୋରାପୁଟର ଗ୍ରେଡ୍ ରାଜ୍ୟରେ ସବୁଠାରୁ ତଳେ ରହିଛି।