• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ । ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି । ଏ ସମ୍ପର୍କରେ ଆସନ୍ତା ସୋମବାର ଦିନ ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି । ଏହା ଅଧୀନରେ UGC ଦ୍ୱାରା ୪ ବର୍ଷର ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବାକୁ ସୋମବାର ଘୋଷଣା କରାଯିବ । ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ ।

ଛାତ୍ରଛାତ୍ରୀମାନେ ଏଣିକି ତିନି ବର୍ଷ ନୁହେଁ, ଚାରିବର୍ଷ ପଢିବା ପରେ ସ୍ନାତକରେ ଅନର୍ସ ଡିଗ୍ରୀ ପାଇବେ । ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ପାଇବା ପାଇଁ ପୂର୍ବ ପରି ତିନିବର୍ଷ ପଢିବାକୁ ପଡିବ । ସେପଟେ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏସନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ । ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ଦିଆଯିବ ।

ଯେଉଁ ଛାତ୍ରଛାତ୍ରୀମାନେ ଏବେ ତିନି ବର୍ଷିଆ ସ୍ନାତକ ଡିଗ୍ରୀ ପାଇଁ ନାମ ଲେଖାଇଛନ୍ତି । ସେମାନେ ମଧ୍ୟ ଚାରି ବର୍ଷିଆ ସ୍ନାତକ ଡିଗ୍ରୀ ପଢିପାରିବେ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବ । ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ ।  ତିନି ବର୍ଷିଆ ସ୍ନାତକ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ରହିବ ।

ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରୀ ସାରିଥିବା ଛାତ୍ରଛାତ୍ରୀମାନ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି । ସୂଚନା ଅନୁଯାୟୀ, ଏହି ପାଠ୍ୟକ୍ରମରେ କ୍ରେଡିଟ୍ ସିଷ୍ଟମ୍ ଲାଗୁ ହେବ, ଆଉ ଏହି ନିୟମ ଆଧାରରେ ୧୬୦ କ୍ରେଡିଟ୍ ସ୍କୋର କରୁଥିବା ଛାତ୍ରଛାତ୍ରୀଙ୍କୁ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ ।