/odishatv-khabar/media/post_attachments/uploadimage/library/16_9/16_9_0/IMAGE_1625672404.jpg)
Youtube Education
ଭୁବନେଶ୍ୱର: ମହାମାରୀ ଯୋଗୁଁ ୟୁ-ଟ୍ୟୁବ୍ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ରାଜ୍ୟର ବହୁ ଉପାନ୍ତ ଅଞ୍ଚଳରେ ଏହି ଅନ୍ଲାଇନ୍ ଶିକ୍ଷାରେ ବାଧକ ସାଜିଛି ଭିତ୍ତିଭୂମିର ଅଭାବ। ଏଭଳି ସ୍ଥିତିରେ ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ କମ୍ୟୁନିଟି ଶିକ୍ଷାଦାନ ବ୍ୟବସ୍ଥା ଆପଣେଇଛି ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ। ଅପରପକ୍ଷରେ ଏବେ ଏସ୍ସିଇଆର୍ଟି ନିର୍ଦ୍ଦେଶାଳୟର ଅଲ୍ଟରନେଟ୍ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ୍ ଜରିଆରେ ପ୍ରାୟ ଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅଫଲାଇନ୍ ଶିକ୍ଷା ପାଇଁ ବି ପ୍ରୟାସ ଆରମ୍ଭ ହୋଇଛି।
Also Read
କରୋନା ପାଇଁ ଦେଢ଼ବର୍ଷ ହେଲା ସ୍କୁଲ ହତା ମାଡ଼ି ନ ଥିବା ଛାତ୍ରଛାତ୍ରୀଙ୍କ ଲାଗି ସରକାର ଆରମ୍ଭ କରିଛନ୍ତି ଅନଲାଇନ୍ ପାଠପଢ଼ା। ଅଭିଜ୍ଞ ଶିକ୍ଷକଙ୍କ ଜରିଆରେ ଏବେ ୟୁଟ୍ୟୁବ୍ ଜରିଆରେ ଚାଲିଛି ଶିକ୍ଷାଦାନ। ହେଲେ ଭିତ୍ତିଭୂମି ଅଭାବରୁ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ। ଏଇ ଯେମିତି ଦେବଗଡ଼ ସଦର ମହକୁମାରୁ ୪୫ କିଲୋମିଟର ଦୂରରେ ଥିବା ଟାମ୍ପର ଗାଁ। କେବଳ ସୌର ବତୀଖୁଣ୍ଟ ଛଡ଼ା ପାହାଡ଼ ଜଙ୍ଗଲ ଘେରା ଏ ଗାଁକୁ ଏ ଯାଏଁ ବିଜୁଳି ଛୁଇଁନି। ମୋବାଇଲ୍ ନେଟ୍ଓ୍ୱର୍କ ତ ସାତ ସପନ, ୟୁଟ୍ୟୁବ୍ ଶିକ୍ଷା କଥା କିଏ ପଚାରେ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ମଦନପୁର ରାମପୁର ଓ ଥୁଆମୂଳ ରାମପୁର ବ୍ଲକର ଅଧିକାଂଶ ଅଞ୍ଚଳରେ ବି ସେହି ସମାନ ଅବସ୍ଥା। କେଉଁଠି ବିଜୁଳି ନାହିଁ ତ ଆଉ କେଉଁଠି ନେଟ୍ୱାର୍କ ନାହିଁ। ଆଉ ଯେଉଁଠି ବିଜୁଳି ଓ ନେଟ୍ୱାର୍କ ଅଛି, ସେଠି ପିଲାଙ୍କ ପାଖରେ ସ୍ମାର୍ଟଫୋନର ରହିଛି ଅଭାବ ।
ଏଣୁ ଏଭଳି ସ୍ଥିତିରେ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାସଂପୃକ୍ତି ନାଁରେ ଏକ ବିକଳ୍ପ ପ୍ରକଳ୍ପ ହାତକୁ ନେଇଛି ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ। ଯାହା ଜରିଆରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗାଁ ଗାଁକୁ ଯାଇ ଛାତ୍ରଛାତ୍ରୀଙ୍କ ଏଇଭଳି ୧୦ ଜଣିଆ ଗ୍ରୁପ୍ ଗଠନ କରି ସେମାନଙ୍କୁ ପାଠ ପଢ଼ାଉଛନ୍ତି। ଏପଟେ ଶିକ୍ଷାନବୀସ ବା ଷ୍ଟୁଡେଣ୍ଟ ଟିଚର୍ସଙ୍କ ଜରିଆରେ ପିଲାଙ୍କୁ ଅଫଲାଇନ୍ ଶିକ୍ଷାଦାନର ଆଉ ଏକ ପନ୍ଥା ଆପଣେଇଛି ରାଜ୍ୟର ଶିକ୍ଷକ ଶିକ୍ଷା ଓ ଏସ୍ସିଇଆର୍ଟି ନିର୍ଦ୍ଦେଶାଳୟ ଅଲ୍ଟରନେଟ୍ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ନାମକ ଏହି କାର୍ଯ୍ୟକ୍ରମ ଅଧୀନରେ ଡିଆଇଇଟି, ବିଆଇଇଟି ଓ ଇଟିଇଆଇର ଶିକ୍ଷାନବୀସ ନିଜ ଗାଁରେ ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ। ଏବେ ରାଜ୍ୟର ବିଭିନ୍ନ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ପ୍ରାୟ ୧୦ ହଜାର ଶିକ୍ଷାନବୀସ ଥିବାରୁ ମହାମାରୀ ସମୟରେ ଏମାନେ ପ୍ରାୟ ଲକ୍ଷେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ସହାୟକ ହେବେ ବୋଲି କୁହାଯାଉଛି।
କରୋନା କାଳରେ ସ୍କୁଲ କେବେ ଖୋଲିବ, ସେ ଉତ୍ତର କାହା ପାଖରେ ନାହିଁ। ଏଭଳି ସ୍ଥିତିରେ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ଏଭଳି ବିକଳ୍ପ ଅଫ୍ଲାଇନ୍ ପାଠପଢ଼ା କିଛିମାତ୍ରାରେ ସହାୟକ ହେବ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)