• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଦ୍ୟାଳୟ ପରିସରରେ ପିଲା ବ୍ୟବହାର କରିପାରିବେନି ମୋବାଇଲ୍‌ । ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ପିଲାଙ୍କୁ ବାରଣ କରାଯାଇଛି । ତାହାସହ ସ୍କୁଲ କ୍ୟାମ୍ପସରେ କିମ୍ବା ଶ୍ରେଣୀଗୃହରେ ପିଲାମାନଙ୍କୁ ମୋବାଇଲ ବ୍ୟବହାରକୁ ନେଇ କଡା ନିୟମ କରିଛନ୍ତି ଦିଲ୍ଲୀ ସରକାର । ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ଏନେଇ ଦିଲ୍ଲୀ ସରକାରଙ୍କ ଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି ।

ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି କି, ଏହି ଦିଗ ପ୍ରତି ଅଭିଭାବକମାନେ ଦୃଷ୍ଟି ଦେବା ଜରୁରୀ । ପିଲାମାନେ ସ୍କୁଲ ପରିସରକୁ ମୋବାଇଲ୍‌ ଫୋନ୍‌ ଆଣନ୍ତୁ ନାହିଁ । ଯଦି ଛାତ୍ରଛାତ୍ରୀମାନେ ମୋବାଇଲ ଫୋନ୍‌ ସ୍କୁଲକୁ ଆଣନ୍ତି, ତେବେ ସ୍କୁଲ କର୍ତ୍ତୃପକ୍ଷ ଫୋନ୍‌ଗୁଡ଼ିକୁ ଲକର୍‌ରେ ରଖିବା ବ୍ୟବସ୍ଥା କେରିବେ । ସ୍କୁଲ ଛୁଟି ପରେ ପିଲାମାନଙ୍କୁ ଫୋନ ଫେରସ୍ତ କରାଯିବ ।

ସେହିପରି ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପାଇଁ ନୂଆ ନିୟମ ମଧ୍ୟ କରାଯାଇଛି । ଶିକ୍ଷକ, ଶିକ୍ଷୟିତ୍ରୀମାନେ ଶ୍ରେଣୀଗୃହ, ଲାବୋରେଟୋରୀ ଏବଂ ଲାଇବ୍ରେରୀ ଭଳି ସ୍ଥାନରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବାକୁ କୁହାଯାଇଛି । ଅର୍ଥାତ୍‌ ଶିକ୍ଷାଦାନ ଏବଂ ଶିକ୍ଷଣ କାର୍ଯ୍ୟ ସ୍ଥାନରେ ମୋବାଇଲ୍‌କୁ ବାରଣ କରିଛନ୍ତି ଦିଲ୍ଲୀ ସରକାର ।

ଏହା ବ୍ୟତୀତ ଜରୁରୀକାଳୀନ କାର୍ଯ୍ୟ ପାଇଁ ହେଲ୍ପଲାଇନ୍‌ର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ହେଲ୍ପ ଲାଇନ୍‌ ଜରିଆରେ ଅଭିଭାବକମାନେ ସ୍କୁଲ ସହିତ ଯୋଗାଯୋଗ କରିପାରିବେ ।

ଦିଲ୍ଲୀ ସ୍କୁଲ ଶିକ୍ଷା ଅଧିନିୟମ ୧୯୭୩କୁ ଦର୍ଶାଇ ଏହାର ବ୍ୟବହାର ଉପରେ କଟକଣା ପାଇଁ ନିର୍ଦ୍ଦେଶାବଳି ପ୍ରସ୍ତୁତ କରାଯାଇଛି। ଶିକ୍ଷା ନିର୍ଦ୍ଦେଶକ ହିମାଂଶୁ ଗୁପ୍ତା ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୋବାଇଲ୍ ଫୋନ୍ ବ୍ୟବହାର ପିଲାମାନଙ୍କ ଉପରେ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଉଛି । ଫୋନର ଅତ୍ୟଧିକ ବ୍ୟବହାର ପିଲାମାନଙ୍କୁ ନିଦ୍ରାହୀନତା, ସାମାଜିକ ବିଚ୍ଛିନ୍ନତା, ଚାପ ଓ ଚିନ୍ତାଗ୍ରସ୍ତ କରିପାରେ । ତେଣୁ ବିଦ୍ୟାଳୟ ପରିସରରେ ମୋବାଇଲ୍ ଫୋନର ବ୍ୟବହାରକୁ ବାରଣ କରାଯାଇଛି ।