ଓଡ଼ିଶାରେ ବି ହେଉ SET ! ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ଅଧ୍ୟାପକ ଚୟନ ନିମନ୍ତେ ସର୍ବନିମ୍ନ ଯୋଗ୍ୟତା ଭାବେ SET ( State Eligibility Test) ପରୀକ୍ଷା କରାଯାଉ । ଏନେଇ ଜୋର ଧରିଲାଣି ଦାବି । ଦୀର୍ଘ ଦିନ ଧରି ଏହି ଦାବି କରାଯାଉଥିଲେ ବି କେହି ଶୁଣୁନାହାନ୍ତି । ଗତ ୨୪ ବର୍ଷର ବିଜେଡି ସରକାର ଏ ଦିଗରେ କର୍ଣ୍ଣପାତ ବି କରି ନାହାନ୍ତି । ତେଣୁ ନୂଆ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ।
ତେବେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଓ ଗୁଜୁରାଟ ଭଳି ପ୍ରାୟ ୧୬ଟି ରାଜ୍ୟରେ ଏହସି ପରୀକ୍ଷା କରାଯାଉଛି । ମହାବିଦ୍ୟାଳୟରେ ଅଧ୍ୟାପକ ଚୟନ ହେଉ କିମ୍ବା ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ସର୍ବନିମ୍ନ ଯୋଗ୍ୟତା ଭାବେ ଏହି SETକୁ ଗୁରୁତ୍ୱ ଦିଆଯାଉଛି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଜଣେ ଛାତ୍ର କିମ୍ବା ଛାତ୍ରୀ ଅଧ୍ୟାପକ/ ଆସିଷ୍ଟାଣ୍ଟ ପ୍ରଫେସର ହୋଇପାରିବ । ବିଭିନ୍ନ ରାଜ୍ୟରେ ଏହାକୁ ସର୍ବନିମ୍ନ ଯୋଗ୍ୟତା ଭାବେ ପରିଗଣିତ କରାଯାଉଛି l
ଏହି ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀ NET (National Eligibility TEST) ପାଇଥିବା ଛାତ୍ରଛାତ୍ରୀଙ୍କ ସହ ସମାନ ବୋଲି ମଧ୍ୟ କୁହାଯାଏ l ନେଟ୍ ପାଇଥିବା ଛାତ୍ରଛାତ୍ରୀ ଜାତୀୟ ସ୍ତରୀୟ ଯୋଗ୍ୟତା ହାସଲ କରୁଥିବା ବେଳେ ସେଟ ପାଉଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ୍ୟତା ଭାବେ ପରିଗଣିତ ହେବେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି l
Also Read
ନେଟ ପାଇଥିବା ଛାତ୍ରଛାତ୍ରୀ ଭାରତର ଯେକୌଣସି ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇପାରୁଥିବା ବେଳେ SET ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସମ୍ପୃକ୍ତ ରାଜ୍ୟରେ ହିଁ ଅଧ୍ୟାପକ ଭାବେ ନିଯୁକ୍ତି ପାଇପାରିବେ ବୋଲି ନିୟମ ରହିଛି l ତେଣୁ ଓଡ଼ିଶାରେ ମଧ୍ୟ କଲେଜ ଗୁଡ଼ିକରେ ଅଧ୍ୟାପକ କିମ୍ବା ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିଯୁକ୍ତି ପୂର୍ବରୁ SET ପରୀକ୍ଷା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି l
ପ୍ରଥମେ SET ପରୀକ୍ଷା କରି ପରେ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି କରିବାକୁ ଦାବି କରାଯାଇଛି l ନିର୍ଧାରିତ ମାନଦଣ୍ଡ ଅନୁସାରେ ଓଡ଼ିଶାରେ ଯେତିକି ଅଧ୍ୟାପକ ପଦବୀ ଖାଲି ଅଛି ସେତିକି ପରିମାଣର NET କିମ୍ବା Phd ଛାତ୍ରଛାତ୍ରୀ ନାହାନ୍ତି l ସେମାନଙ୍କ ସଂଖ୍ୟା କମ ରହିଛି l
ଗତବର୍ଷ ଠାରୁ ରାଜ୍ୟ ସରକାରଙ୍କ ଷ୍ଟେଟ ସିଲେକ୍ସନ ବୋର୍ଡ ମାଧ୍ୟମରେ MRFT (Mukhyamantri Research and innovative Fellowship Test ) ପରୀକ୍ଷା କରି ଏଥିରେ କୃତକାର୍ଯ୍ୟ ହେଉଥିବା ପ୍ରାୟ ୨ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ PhD ନିମନ୍ତେ ବୃତ୍ତି ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି l ହେଲେ ଏହି ପରୀକ୍ଷାକୁ SET ସହ ସଂଯୋଗ କରି NET ଭଳି ପରୀକ୍ଷା କରିବାକୁ ଦାବି ହୋଇଛି l
ଓଡ଼ିଶାରେ ପ୍ରତ୍ୟେକ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ୟୁଜିସି ଗାଇଡ୍ଲାଇନ୍ ଅନୁସାରେ ସର୍ବନିମ୍ନ ଯୋଗ୍ୟତା ୟୁଜିସି ନେଟ (NET) ଏବଂ Phd ରହିଛି l SSB ମାଧ୍ୟମରେ ଅନୁଦାନପ୍ରାପ୍ତ ୪୮୮ ବର୍ଗର କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା କେବଳ ପିଜି ରହିଥିଲା ବେଳେ ଏବେ ହାଇକୋର୍ଟକୁ ରଦ୍ଦ କରି NET ଏବଂ Phd ବାଧ୍ୟତାମୂଳକ କରିଛନ୍ତି l
ଜାତୀୟ ସ୍ତରୀୟ ନେଟ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଫଳତା ଅନ୍ୟ ରାଜ୍ୟ ଭଳି ନାହିଁ l ତେଣୁ ନେଟକୁ ବାଧ୍ୟତାମୂଳକ କଲେ ଅନ୍ୟ ପିଜି ପାଠପଢା ସାରିଥିବା ହଜାର ହଜାର ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ ନାହିଁ l ତେଣୁ ଅନ୍ୟ ରାଜ୍ୟ ଭଳି ଓଡିଶାରେ ତୁରନ୍ତ SET ପରୀକ୍ଷା କରିବାକୁ ନୟାଗଡ଼ର ଜଣାଶୁଣା ସାମାଜିକ କର୍ମୀ ସୌମ୍ୟରଞ୍ଜନ ପ୍ରଧାନ ଏନେଇ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ ଦାବି ଜଣାଇଛନ୍ତି l ସବୁ ଦୃଷ୍ଟିରୁ, ଓଡ଼ିଶାରେ ଆଗାମୀ ନିଯୁକ୍ତି ପୂର୍ବରୁ ୨୦୨୪ ପାଇଁ ହେବାକୁ ଥିବା MRFT ପରୀକ୍ଷାରେ ସଂଶୋଧନ କରି ଏହାକୁ SET ପରୀକ୍ଷା କରିବାକୁ ଦାବି ହୋଇଛି l